ମୁମ୍ବାଇ: ବିଶ୍ବକପ୍ରୁ ଭାରତର ବିଦାୟକୁ ୩ ସପ୍ତାହ ବିତିଗଲାଣି। କିନ୍ତୁ ଭାରତୀୟ କ୍ରିକେଟ୍ ଦୁନିଆ ଏହି ବିପର୍ଯ୍ୟୟକୁ ଭୁଲି ପାରିନାହିଁ କି ଗ୍ରହଣ କରିପାରିନାହିଁ। ଏପରିକି ଭାରତୀୟ ଦଳ ଆମେରିକା/ୱେଷ୍ଟଇଣ୍ଡିଜ୍ ଗସ୍ତରେ ବାହାରି ଯାଇଥିଲେ ମଧ୍ୟ ବିପର୍ଯ୍ୟୟର କାରଣ ଖୋଜା ବି ବନ୍ଦ ହୋଇନାହିଁ। କିମ୍ବଦନ୍ତୀ ବ୍ୟାଟସମ୍ୟାନ୍ ସୁନୀଲ ଗାଭାସ୍କର କିନ୍ତୁ ସ୍ପଷ୍ଟ ଭାବେ ଅନେକ କାରଣ ଦର୍ଶାଇଛନ୍ତି। ନିଜ ସମୟର କିଛି ଶ୍ରେଷ୍ଠ ତଥା ସ୍ମରଣୀୟ ମୁହୂର୍ତକୁ ବି ମନେ ପକାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଭାରତୀୟ ଦଳ ନିଜ ଅହଂକାର ଓ ଘମଣ୍ଡ ଚରିତ୍ର ପାଇଁ ବିଶ୍ବକପ୍ ସେମିଫାଇନାଲରେ ଖରାପ କଲା, ନାଁ ମାତ୍ରାଧିକ ଆତ୍ମବିଶ୍ବାସ ପାଇଁ ବୋଲି ପ୍ରଶ୍ନ ହେବାରୁ ଗାଭାସ୍କର କହିଛନ୍ତି ‘କ୍ରିକେଟ୍ରେ ଖରାପ ଦିନ ଥାଏ। ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ଉପରେ ଦଳ ଅଧିକ ନିର୍ଭରଶୀଳ ରହୁଥିଲା। ସେମାନେ ବିଫଳ ହେବାରୁ ଦଳ ସଂଘର୍ଷ କରିଥିଲା। ପରବର୍ତୀ ବ୍ୟାଟିଂକ୍ରମ ବି ଦଳକୁ ସହାୟକ ହୋଇନଥିଲା। ଋଷବ ପନ୍ତ୍ କି ହାର୍ଦିକ ପାଣ୍ଡ୍ୟାଙ୍କ ତୁଳନାରେ ଅଭିଜ୍ଞ ମହେନ୍ଦ୍ର ସିଂହ ଧୋନିଙ୍କଠାରୁ ଅଧିକ ଆଶା ରହିଥିଲା। ସେହବାଗ ତାଙ୍କ ସମୟର ଶ୍ରେଷ୍ଠ ବ୍ୟାଟସମ୍ୟାନ୍ କି ବୋଲି ପ୍ରଶ୍ନ ହେବାରୁ ଗାଭାସ୍କର କହିଥିଲେ ‘ଏକବିଂଶ ଶତାବ୍ଦୀ ଆରମ୍ଭ ବେଳକୁ ଭାରତ ନିକଟରେ ବିଶ୍ବର ଶ୍ରେଷ୍ଠ ବ୍ୟାଟିଂ ଲାଇନ୍ ଅପ୍ ଥିଲା। କଡ଼ା ପ୍ରତିଦ୍ବନ୍ଦ୍ବୀ ଥିଲେ ବି ସୌରଭ ଗାଙ୍ଗୁଲି ଏହାର ଠିକଣା ମୁକାବିଲା କରିବାର ନେତୃତ୍ବ ନେଇଥିଲେ। ଭାରତୀୟ କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ଏହା ଥିଲା ଯାଦୁକରୀ ମୁହୂର୍ତ। ଏହି ସମୟରେ ବି ଅନିଲ କୁମ୍ବଲେ ଥିଲେ ଏବଂ ଅନ୍ତର୍ଜାତୀୟ କ୍ରିକେଟ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ଆଗମନ ହୋଇଥିଲା।
କାନପୁର ଟେଷ୍ଟ୍ରେ ମାଲକମ୍ ମାର୍ସାଲଙ୍କ ବଲ୍ ଆପଣଙ୍କ ହାତରୁ ବ୍ୟାଟ୍ ଖସାଇନେବା କ୍ରିକେଟ୍ ଜୀବନର ସବୁଠୁ ନିମ୍ନତମ ସୋପାନ ଥିଲା କି ବୋଲି ପ୍ରଶ୍ନ ହେବାରୁ ଗାଭାସ୍କର ଏହାକୁ ଏଡ଼ାଇ ଯାଇଥିଲେ। ପ୍ରଥମ ଟେଷ୍ଟ୍ରେ ମୁଁ ସେମାନଙ୍କୁ ହୁକ୍ ସଟ୍ ଖେଳିବାର ସୁଯୋଗ ପାଇନଥିଲି, କିନ୍ତୁ ପରବର୍ତୀ ଟେଷ୍ଟ୍ ଗୁଡ଼ିକରେ (ଦିଲ୍ଲୀ ଏବଂ ଅହମ୍ମଦାବାଦ) କରିପାରିଥିଲି ବୋଲି ବିଶ୍ବ କ୍ରିକେଟ୍ରେ ପ୍ରଥମେ ୧୦,୦୦୦ ରନ୍ ପୂର୍ଣ୍ଣ କରିଥିବା ଗାଭାସ୍କର କହିଥିଲେ। ଭାରତ ଯେତେବେଳେ ହାରି ଯାଉଥିଲା ପ୍ରତିଥର ଏହା ମୋ ପାଇଁ ଖରାପ ମୁହୂର୍ତ ହେଉଥିଲା। ବିଶେଷ କରି ଯେତେବେଳେ ଆମେ ହାରିବା ସ୍ଥିତିରେ ନଥାଇ ହାରିଯାଉଥିଲୁ। ବ୍ୟକ୍ତିଗତ ପ୍ରଦର୍ଶନର କିଛି ମାନେ ନାହିଁ ଯଦି ଦଳ ଜିତୁନାହିଁ। ଖେଳ ଜୀବନରେ କେଉଁଟା ସବୁଠାରୁ ବଡ଼ ସୁଯୋଗ ହାତଛଡ଼ା ଥିଲା? ଭିଭିଆନ୍ ରିଚାର୍ଡସଙ୍କ ସହିତ ନୁହେଁ ମହାନ କ୍ରିକେଟର୍ ଗାରଫିଲଡ୍ ସୋବର୍ସଙ୍କ ସହିତ ବଡ଼ ଭାଗୀଦାରି ହୋଇପାରି ନଥିବାରୁ ଦୁଃଖ ଲାଗିଥିଲା। ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ବ ଏକାଦଶରୁ ଖେଳୁଥିବା ବେଳେ ଏହା ଘଟିଥିଲା। କିନ୍ତୁ ରୋହନ କହ୍ନାଇଙ୍କ ସହ ଏହା ସମ୍ଭବ ହୋଇପାରିଥିଲା। ମୋ ସମୟର ସବୁଠାରୁ କୁଶଳୀ, କୌଶଳୀ ତଥା ଚିନ୍ତାଶୀଳ ଅଧିନାୟକ ଥିଲେ ଇଂଲଣ୍ଡର ରୟ ଇଲିଙ୍ଗୱର୍ଥ। ଦଳ ତାଙ୍କ ଉପରେ ବିଶ୍ବାସ ରଖୁଥିଲା। ତାଙ୍କ ପରେ ଇଆନ୍ ଚାପେଲ୍ ଏବଂ ଅଜିତ ୱାଦେକରଙ୍କୁ ମହାନ ଅଧିନାୟକ ଦର୍ଶାଇଥିଲେ ଗାଭାସ୍କର।