ଶେଷ ମୂହୁର୍ତ୍ତରେ ହାର୍ଦ୍ଦିକଙ୍କ ଭୁଲ ହିଁ ଗୁଜରାଟକୁ ହରାଇଲା: ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ: ସୋମବାର ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯାଇଥିଲା ଆଇପିଏଲ-୨୦୨୩ର ଶେଷ ମ୍ୟାଚ୍। ଏହି ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟନ୍ସ। ତେବେ ଚେନ୍ନାଇ ୫ ୱିକେଟ୍‌ରେ ଗତଥରର ବିଜେତା ଗୁଜରାଟ ଟାଇଟନ୍ସକୁ ଶେଷ ବଲ୍‌ରେ ପରାସ୍ତ କରି ଟ୍ରଫି ହାସଲ କରିଥିଲା। ଶେଷ ଦୁଇ ବଲ୍‌ରୁ ୧୦ ରନ୍ ଆବଶ୍ୟକ ଥିବାବେଳେ ମୋହିତ ଶର୍ମାଙ୍କୁ ଛକା ଓ ଚୌକା ମାରି ରବୀନ୍ଦ୍ର ଜାଦେଜା ଏହାକୁ ଧୋନିଙ୍କ ଷ୍ଟାଇଲରେ ଶେଷ କରିଥିଲେ। ଗତବର୍ଷ ଗୁଜରାଟ ଟ୍ରଫି ହାତେଇଥିବା ବେଳେ ଏଥର ମଧ୍ୟ ଗୁଜରାଟ ଜିତିବା ବ‌ୋଲି ଆଶା କରାଯାଉଥିଲା। ହେଲେ ତାହା ହୋଇନଥିଲା।

ଏବେ ଗୁଜରାଟ ହାରିବା ପରେ ଏଥିପାଇଁ ଗୁଜରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟୀ କରିଛନ୍ତି ପୂର୍ବ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର। ‘ସ୍ପୋର୍ଟସ୍ ତକ୍’କୁ ସାକ୍ଷାତକାର ଦେଇ ଗାଭାସ୍କର କହିଛନ୍ତି ଯେ ଶେଷ ଓଭରରେ ବୋଲର ମୋହିତ ଶର୍ମାଙ୍କ ସହ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କଥା ହେବା ଅନାବଶ୍ୟକ ଥିଲା। ମୋହିତ ଶର୍ମା ଚମତ୍କାର ଭାବରେ ବୋଲିଂ ଆରମ୍ଭ କରିଥିଲେ। କିନ୍ତୁ ତା’ପରେ କୌଣସି କାରଣରୁ ଓଭର ମଝିରେ ତାଙ୍କୁ ପାଣି ପଠାଗଲା। ଏହା ପରେ ହାର୍ଦ୍ଦିକ ଆସି ମୋହିତଙ୍କ ସହ କଥା ହୋଇଥିଲେ। ଏହା ଦ୍ବାରା ତାଙ୍କ ଧ୍ୟାନ ଭଙ୍ଗ ହୋଇଥିଲା। ଯେତେବେଳେ ବୋଲର ଭଲ ବୋଲିଂ କରୁଥାଏ, ସେତେବେଳେ ତାଙ୍କୁ କିଛି କହିବାର ଆବଶ୍ୟକ ନଥାଏ। ସେଥିପାଇଁ ହାର୍ଦ୍ଦିକ ମଝିରେ ମୋହିତଙ୍କ ସହ ଯାଇ ଏଭଳି କଥା ହେବା ଠିକ ନଥିଲା। ହାର୍ଦ୍ଦିକ କଥା ହେବା ପରେ ମୋହିତ ଯେଉଁ ୨ଟି ବଲ ଫିଙ୍ଗିଥିଲେ, ତାହା ଚେନ୍ନାଇକୁ ଜିତାଇଥିଲା।

ସମ୍ବନ୍ଧିତ ଖବର