ଆଇପିଏଲ ସମୟରେ ନୁହେଁ ଭାରତ ପାଇଁ ଖେଳିବା ବେଳେ ଆମ ଖେଳାଳିଙ୍କୁ କାର୍ଯ୍ୟଭାର କଥା ମ‌ନେ ପଡେ: ଗାଭାସ୍କର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୨ରେ ଭାରତୀୟ କ୍ରିକେଟ ଦଳର ପରାଜୟ ସାରା ଭାରତବାସୀଙ୍କ ହୃଦୟ ଭାଙ୍ଗି ଦେଇଛି। ଏହି ବିଶ୍ବକପକୁ ନେଇ ଦେଶବାସୀ ଅନେକ ଆଶା ରଖିଥିବା ବେଳେ ଏବେ ସବୁ ଆଶା ମଉଳି ଯାଇଛି। ବିଶ୍ବକପ ଦୌଡରୁ ବିଦା ହୋଇଛି ଭାରତ। ସେମିଫାଇନାଲରେ ଇଂଲଣ୍ଡଠାରୁ ଭାରତ ହାରିବା ପରେ ଦଳର ରଣନୀତି ଉପରେ କ୍ରମାଗତ ଭାବରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଭାରତବାସୀଙ୍କ ସମେତ ପୂର୍ବତନ କ୍ରିକେଟରମାନେ ମଧ୍ୟ ଭାରତୀୟ ଦଳର ପ୍ରଦର୍ଶନକୁ ନେଇ ବିରକ୍ତି ପ୍ରକାଶ କରିଛନ୍ତି।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଭାରତୀୟ କ୍ରିକେଟରଙ୍କ ମନୋଭାବକୁ ନେଇ ପ୍ରଶ୍ନ କରିଛନ୍ତି। ଆଇପିଏଲ ଖେଳିବା ପ‌ରେ କାର୍ଯ୍ୟଭାର କଥା ମନେ ପଡେ ନାହିଁ, ହେଲେ ଭାରତ ପାଇଁ ବିଶ୍ବକପ ଖେଳିବା ବେଳେ କାର୍ଯ୍ୟଭାର କଥା ମନେ ପଡେ ବୋଲି କହିଛନ୍ତି ସୁନୀଲ ଗାଭାସ୍କର।

ଜାତୀୟ ଗଣମାଧ୍ୟମ ଆଜ୍ ତକର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ସୁନୀଲ ଗାଭାସ୍କର କହିଛନ୍ତି ଯେ, ଭାରତୀୟ ଟିମରେ ପରିବର୍ତ୍ତନ କରାଯିବା ଜରୁରୀ। ହେ‌ଲେ ଯେତେବେଳେ ଆପଣ ବିଶ୍ୱକପ୍ ଜିତି ପାରିବେ ନାହିଁ, ସେତେବେଳେ ପରିବର୍ତ୍ତନ କରାଯିବା ଉଚିତ୍। ଆମେ ଦେଖିଛୁ ଯେ ନ୍ୟୁଜିଲ୍ୟାଣ୍ଡ ଯାଉଥିବା ଦଳରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇ ଟିମରେ ପରିବର୍ତ୍ତନ ଅଣାଯାଇଛି। କିଛି ଖେଳାଳି କାର୍ଯ୍ୟଭାର କଥା କହୁଛନ୍ତି। ହେଲେ ଆଇପିଏଲ ଖେଳିବା ସମୟରେ ସେମାନଙ୍କୁ ବିଭିନ୍ନ ଦେଶକୁ ଯାତ୍ରା କରିବାକୁ ପଡ଼ିଥାଏ। ସେତେବେଳେ ଆମ ଖେଳାଳିଙ୍କୁ କାର୍ଯ୍ୟଭାର କଥା ମନେ ପଡେ ନାହିଁ, କେବଳ ଭାରତ ପାଇଁ ଖେଳିବା ବେଳେ ହିଁ ସୋମନଙ୍କୁ କାର୍ଯ୍ୟଭାର କଥା ମନେ ପଡେ।

ପ୍ରତି ମ୍ୟାଚ ପାଇଁ ବିସିସିଆଇ ଟିମ ବଦଳାଇବାକୁ ନେଇ ମଧ୍ୟ ଗାଭାସ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପ୍ରତି ଥର ଦଳରେ ପରିବର୍ତ୍ତନ କଲେ ଟିମ ଜିତିବ କେମିତି। ଯଦି ଆପଣ ଅନ୍ତରାଷ୍ଟ୍ରୀୟ ଟୁର୍ନାମେଣ୍ଟ ଜିତିବାକୁ ଚାହୁଁଛନ୍ତି, ତେବେ ଦଳରେ ଅଧିକ ପରିବର୍ତ୍ତନ ହେବା ଉଚିତ୍ ନୁହେଁ। ସବୁବେଳେ ଖେଳାଳି କାର୍ଯ୍ୟଭାର କଥା କହି‌ଲେ ଦଳ ଜିତିବ କିପରି? ୪ଓଭର ଫିଙ୍ଗି ମଧ୍ୟ ଖେଳାଳି କାର୍ଯ୍ୟଭାର କଥା କହୁଛନ୍ତି। ଏହି ଶବ୍ଦକୁ ଭାରତୀୟ ଦଳର ଅଭିଧାନରୁ ହଟାଯିବା ଉଚିତ୍।

ସମ୍ବନ୍ଧିତ ଖବର