ଗାଭାସ୍କରଙ୍କ ମହାନତା, ୩୫ ଶିଶୁଙ୍କ ହାର୍ଟ ସର୍ଜରୀ କରାଇବେ

ମୁମ୍ବାଇ: ଭାରତୀୟ କ୍ରିକେଟ୍‌ ଦଳର କେତେକ ମହାନ୍‌ ତାରକାଙ୍କ ପାଇଁ ଜୁଲାଇ ମାସ ସ୍ମରଣୀୟ। ଏହି ମାସରେ ହିଁ ତିନି ଜଣ ତାରକାଙ୍କ ଜନ୍ମଦିନ ପଡ଼ିଛି। ଚଳିତ ମାସ ୭ ତାରିଖରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ୮ ତାରିଖରେ ଅନ୍ୟତମ ସଫଳ ଅଧିନାୟକ ସୌରଭ ଗା‌ଙ୍ଗୁଲିଙ୍କ ଜନ୍ମଦିନ ପାଳନ ହୋଇଯାଇଥିଲା ବେଳେ ଶୁକ୍ରବାର (ଜୁଲାଇ ୧୦) କିଂବଦନ୍ତି ସୁନିଲ ଗାଭାସ୍କରଙ୍କ ଜନ୍ମଦିନ ପାଳିତ ହୋଇଛି। ଏହି ଦିନ ଗାଭାସ୍କର ତାଙ୍କ ୭୧ତମ ଜନ୍ମଦିନ ପାଳିଛନ୍ତି। ତେବେ ଏଭଳି ଏକ ଦିନକୁ ଏକ ମହାନ୍‌ କାର୍ଯ୍ୟ ଜରିଆରେ ଗାଭାସ୍କର ଆହୁରି ସ୍ମରଣୀୟ କରି ତୋଳିଛନ୍ତି। ଜନ୍ମିଦିନ ଅବସରରେ ଗାଭାସ୍କର ୩୫ ଜଣ ଶିଶୁଙ୍କ ହାର୍ଟ ସର୍ଜରୀ ନିମନ୍ତେ ପ୍ରାୟୋଜକ ହେବାକୁ ନିଷ୍ପତ୍ତି ନେଇଥିଲେ। ପିଲାଙ୍କ ହାର୍ଟ କେୟାର ପାଇଁ ଖ୍ୟାତ ଖାରଘରସ୍ଥିତ ଶ୍ରୀ ସତ୍ୟ ସାଇ ସଂଜୀବନୀ ହସ୍ପିଟାଲରେ ୩୫ ଗରିବ ପିଲାଙ୍କ ସର୍ଜରୀ ପାଇଁ ପାଣ୍ଠି ଯୋଗାଡ଼ କରିଛନ୍ତି। ଏହି ପିଲାମାନଙ୍କ ଅଭିଭାବକ ସେମାନଙ୍କ ଚିକିତ୍ସା ନିମନ୍ତେ ଟଙ୍କା ଖର୍ଚ୍ଚ କରିବାର ସାମର୍ଥ୍ୟ ରଖିନଥିଲା ବେଳେ ଗାଭାସ୍କର ଦେବଦୂତ ଭଳି ମହାନତା ଦେଖାଇଛନ୍ତି। ତାଙ୍କର ଏଭଳି ମହାନତା ଗରିବ ପିଲାଙ୍କ ଜୀବନ ରକ୍ଷା ଦିଗରେ ସହାୟକ ହେବ। ଆଉ ସବୁଠୁ ବଡ଼ କଥା ହେଲା ନିଜେ ଭାରତ ପାଇଁ ସଂଗ୍ରହ କରିଥିବା ଶତକ ସଂଖ୍ୟା (୩୫)କୁ ସଂଯୋଗ କରି ୩୫ ଜଣ ପିଲାଙ୍କ ଚିକିତ୍ସା ଦାୟିତ୍ବ ନେଇଛନ୍ତି। ତାଙ୍କର ଏଭଳି ମହନୀୟ କାର୍ଯ୍ୟ ପାଇଁ ପ୍ରତି ପିଲାଙ୍କ ପରିବାରରେ ଆନନ୍ଦ ଖେଳିଯାଇଛି। ମୋର ଏଭଳି କାର୍ଯ୍ୟରେ ସେହି ପିଲା ଏବଂ ସେମାନଙ୍କ ପରିବାରରେ ଖୁସୀ ଦେଇପାରିବି ବୋଲି ଆଶା ରଖିଥିବା କହିଛନ୍ତି ଗାଭାସ୍କର।

ତାଙ୍କର ଏଭଳି ମହତ୍‌ପୂର୍ଣ୍ଣ କାର୍ଯ୍ୟ ପଛରେ ରହିଥିବା ପ୍ରେରଣା ସଂପର୍କରେ ଗାଭାସ୍କର କହିଛନ୍ତି, ଭାରତରେ ଜନ୍ମ ସମୟରେ ହୃଦ୍‌ରୋଗ ଏକ ସାଧାରଣ ତ୍ରୁଟି। ଜନ୍ମଗତ ହୃଦ୍‌ରୋଗ ମଧ୍ୟ ସବୁଠୁ ବଡ଼ ଅବସୋସର ବିଷୟ। ଏପରି ରୋଗରେ ଅଧିକାଂଶ ବଞ୍ଚିବା ମୁସ୍କିଲ ହୋଇପଡ଼ିଥାଏ ତ ଆଉ କିଛି ଜୀବନକୁ ଦୁର୍ବିଷହ ମନେ କରନ୍ତି। ପୁଣି ସେଭଳି ରୋଗରେ ଆକ୍ରାନ୍ତ ଅଧିକାଂଶ ହେଉଛନ୍ତି ଦରିଦ୍ର ଶ୍ରେଣୀର। ତେଣୁ ସେମାନଙ୍କ ପାଇଁ ଦେଶରେ ଚିକିତ୍ସା ବ୍ୟବସ୍ଥା ନଗଣ୍ୟ। ଯଦିଓ ଶ୍ରୀ ସତ୍ୟ ସାଇ ସଂଜୀବନୀ ସେଣ୍ଟର ଫର୍‌ ଚିଲ୍‌ଡ୍ରେନ୍‌ ହାର୍ଟ କେୟାର (ନୟା ରାୟପୁର, ପଲ୍‌ୱାଲ, ହରିଆଣା ଏବଂ ନଭି ମୁମ୍ବାଇର ଖାରଘର)ରେ ମାଗଣା ଚିକତ୍ସା ମିଳେ ତଥାପି ମୁଁ କାର୍ଯ୍ୟ କରୁଥିବା ‘‘ହାର୍ଟ ଟୁ ହାର୍ଟ ଫାଉଣ୍ଡେସନ୍‌’’ ଏଭଳି ଶତାଧିକ ପିଲାଙ୍କ ଜୀବନ ପାଇଁ ଆଶୀର୍ବାଦ ପାଲଟିଛି। ହେଲେ ମୁଁ ଯେଉଁ ୩୫ ପିଲାଙ୍କୁ ବାଛିଛି ସେମାନଙ୍କ ପରିବାର ତାଙ୍କ ପିଲା‌ଙ୍କ ଉପରୁ ଆଶା ହରାଇ ସାରିଛନ୍ତି। କିନ୍ତୁ ମୁଁ ସେମାନଙ୍କୁ ନୂଆ ଜୀବନ ଦେବା ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଗାଭାସ୍କର।

ସମ୍ବନ୍ଧିତ ଖବର