ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡରେ ଇତିହାସ ରଚିବାର ସୁବର୍ଣ୍ଣ ସୁଯୋଗ ହାତଛଡ଼ା କଲା। ୧-୨ରେ ପଛୁଆ ଥିଲା ବେଳେ ନିଜ ଭୁଲ ପାଇଁ ସ୍ଥିତି ସମାନ ସ୍ତରକୁ ଆଣି ଶୃଙ୍ଖଳା ବିଜୟର ସ୍ୱପ୍ନ ଦେଖିବାରୁ ବଞ୍ଚିତ ହେଲା। ଦକ୍ଷିଣ ଆଫ୍ରିକା ଗସ୍ତ ଭଳି ଇଂଲଣ୍ଡରେ ମଧ୍ୟ ଆମ ବୋଲରମାନେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନ୍ଙ୍କୁ ଧୂଳି ଚଟାଇଲେ, ହେଲେ ଦୁର୍ଭାଗ୍ୟଜନକ ଭାବେ ଆମକୁ ଆମ ବ୍ୟାଟ୍ସମ୍ୟାନ୍ ହିଁ ପୁଣି ଥରେ ନିରାଶ କଲେ।
ଉଭୟ ଶୃଙ୍ଖଳାରେ କିନ୍ତୁ ଅଧିନାୟକ ବିରାଟ କୋହଲି ସୁନା ଭଳି ଦାଉ ଦାଉ ହୋଇ ଚମକିଲେ। ସାଥୀ ଖେଳାଳିମାନେ ସଂଘର୍ଷ କରୁଥିଲା ବେଳେ ସେ ଅନ୍ୟ ଗ୍ରହରୁ ଆସିଲା ଭଳି ଲାଗୁଥିଲେ। ତାଙ୍କ ପାଇଁ ବ୍ୟାଟିଂ ଯେମିତି ଉଦ୍ୟାନରେ ପ୍ରାତଃ ଭ୍ରମଣ କଲା ଭଲି ସହଜ ଏବଂ ସୁନ୍ଦର ଥିଲା। ଉଦ୍ୟାନରେ ଚାଲୁଥିଲା ବେଳେ ଆମକୁ ଯେମିତି, କେବେ କେବେ ଖାଲ ଖମା ଓ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଠିକ୍ ସେହିଭଳି କୋହଲିଙ୍କ ଆଗକୁ ମଧ୍ୟ ଅନେକ ଛୋଟ ବଡ଼ ପ୍ରତିବନ୍ଧକ ଆସିଥିଲା। ହେଲେ ସେ ଏହାକୁ ସାହାସର ସହ ପାର କରି ନେଇଥିଲେ। ୫୦୦ରୁ ଅଧିକ ରନ୍ କରି ନିନ୍ଦୁକଙ୍କ ମୁହଁକୁ ସେ କେବଳ ବନ୍ଦ କଲେନି, ବିଶ୍ୱର ଶ୍ରେଷ୍ଠ ବୋଲି ଆଉ ଥରେ ପ୍ରମାଣ କରିଦେଲେ। ଦୁଃଖର କଥା ଯେ ଅନ୍ୟମାନେ ତାଙ୍କୁ ଆଶାଜନକ ସମର୍ଥନ ଦେଲେନି। ସେ ଆଉଟ୍ ହେଲା ପରେ ଭାରତୀୟ ବ୍ୟାଟିଂ ତାସ୍ ଘର ଭଳି ଭୁଶୁଡ଼ି ଯାଉଥିଲା। ଏହା ହୁଏତ ଅଭ୍ୟାସ ମ୍ୟାଚ୍ ନଖେଳିବାର ଫଳ। ତେବେ ଭାରତୀୟ ବ୍ୟାଟ୍ସମ୍ୟାନ୍ ମୋଇନ ଅଲ୍ଲୀଙ୍କ ଆଗରେ ଆତ୍ମସମର୍ପଣ କରିବା ସର୍ବାଧିକ ଦୁଃଖ ଓ ପରିତାପର ବିଷୟ ଥିଲା। ମୋ ମତରେ ଧଳା ବଲ୍ରେ ମାତ୍ରାଧିକ କ୍ରିକେଟ୍ ଖେଳିବା ଧିରେଧିରେ ପାରମ୍ପରିକ ବ୍ୟାଟିଂ କୌଶଳକୁ ଧ୍ୱଂସ କରୁଛି। ନେଟ୍ସରେ ଯେତେ ଅଭ୍ୟାସ କଲେ ମଧ୍ୟ ଅଭ୍ୟାସ ମ୍ୟାଚ୍ର ଅଭିଜ୍ଞତା ଅଲଗା। ଭାରତୀୟ କ୍ରିକେଟ୍ ଦଳକୁ ଏବେ ଏକଥା ବୁଝିବାକୁ ହେବ। ଦ୍ରୁତ ବୋଲରଙ୍କୁ କିନ୍ତୁ ଯେତେ ପ୍ରଶଂସା କଲେ ତାହା କମ୍ ହେବ। ଈଶାନ୍ତ ଶର୍ମା, ଯଶପ୍ରୀତ ବୁମରା ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ଅଧିକାଂଶ ସମୟ ଅଡ଼ୁଆରେ ପକାଉଥିଲେ।
ପଞ୍ଚମ ଟେଷ୍ଟ ଖେଳାଯିବାକୁ ଥିବା କିଆ ଓଭାଲ ଅବଶ୍ୟ ବ୍ୟାଟ୍ସମ୍ୟାନଙ୍କୁ ସୁହାଇବ। ଯାହା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସମ୍ମାନ ରକ୍ଷାର ଶେଷ ସୁଯୋଗ ହେବ। ସେମାନଙ୍କୁ କିନ୍ତୁ ନିଜ ବ୍ୟାଟ୍ ଚଲାଇବା ଗତିରେ ସୁଧାର ଆଣିବାକୁ ହେବ। ଓଭାଲ ଟେଷ୍ଟ୍ ଆଲେଷ୍ଟର କୁକ୍ଙ୍କ ଶେଷ ଟେଷ୍ଟ୍। ଏଠାରେ ସମ୍ଭବତଃ ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ୍ ପୃଥ୍ଵୀ ସ’ଙ୍କ ଟେଷ୍ଟ ଜୀବନର ଆୟମାରମ୍ଭ ହୋଇପାରେ। ଯାହାକୁ ମୁଁ ଚାହିଁ ବସିଛି। (ପିଏମଜି/ଇଏସ୍ପି)