କୁଲଦୀପ୍‌ ସ୍ପିନ୍‌ ଇଂଲିସ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ନଚାଇଥିଲା

ସୁନିଲ ଗାଭାସ୍କର

ପ୍ରଥମ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ ଇଂଲଣ୍ଡ ବିପକ୍ଷରେ ଭାରତର ପ୍ରଶଂସନୀୟ ବିଜୟ ଆନନ୍ଦର ବିଷୟ ଥିଲା। ଭାରତର ପ୍ରଦର୍ଶନ ଏକ ଚିକ୍କଣ କାର୍‌ ଭଳି ଉଚ୍ଚଶ୍ରେଣୀୟ ଗତିରେ ଦୌଡ଼ିଥିଲା। ଏପରିକି ନିରବତା ସମୟରେ ବି ଇଂଜିନ୍‌ ଭଲ ଘୁରୁଥିଲା ଏବଂ ଚାଳକଙ୍କ ନିର୍ଦେଶରେ ଟପ୍‌ ଗିୟରକୁ ଯିବା ଅପେକ୍ଷାରେ ରହୁଥିଲା। ଏହି ଚାଳକ ଜଣଙ୍କ ଥିଲେ ଅଧିନାୟକ ବିରାଟ କୋହଲି ଯିଏ ଦଳକୁ ପ୍ରାଞ୍ଜଳ ଭାବେ ନିଜ ସ୍ୱତନ୍ତ୍ରତାରେ ନେତୃତ୍ୱ ଦେଇ ଆସିଛନ୍ତି। ଗସ୍ତ ଆଗକୁ ବଢ଼ିବା ସହିତ ଏଭଳି ପ୍ରଦର୍ଶନ ମଧ୍ୟ ଆଶା ରଖିବା। ଯେଉଁମାନଙ୍କଠାରୁ ଭଲ ପ୍ରଦର୍ଶନ ଆଶା କରାଯାଉଥିଲା ସେମାନଙ୍କ ବିନା ଅବଦାନରେ ଯଦି ଦଳ ଏଭଳି ସହଜ ବିଜୟ ଲାଭ କରିବ ତେବେ ନିଶ୍ଚିତ ଦଳ ଆଗରେ ସୀମାହୀନ ଆକାଶ ରହିଛି ବୋଲି ଧରିନେବାକୁ ପଡ଼ିବ।

ଇଂଲଣ୍ଡ ଆକାଶ ଏବେ ବେଶ ଉଜ୍ଜ୍ୱଳ ଏବଂ ଭାରତୀୟ ଗ୍ରୀଷ୍ମ ପରିବେଶ ଭଳି। ଇଂଲଣ୍ଡରେ ଏଭଳି ପରିବେଶ ସାଧାରଣ ଥିବାରୁ ଭାରତୀୟମାନେ ବିନା ସ୍ୱେଟର୍‌ରେ ଖେଳି ଖୁସି ଅଛନ୍ତି। ଅବଶ୍ୟ ଏଭଳି ପାଗ ଏବଂ ଏତେ ସଂଖ୍ୟକ ଭାରତୀୟ ପ୍ରଶଂସକଙ୍କ ଉପସ୍ଥିତି ଇଂଲଣ୍ଡ ଖେଳାଳି ଆଶା କରିନଥିଲେ, ଯେଉଁଥି ପାଇଁ ସେମାନେ ଆଶ୍ଚର୍ଯ୍ୟ। ସେହିଭଳି କୁଲଦୀପ୍‌ଙ୍କ ଯାଦୁ ମଧ୍ୟ ଇଂଲଣ୍ଡ ଖେଳାଳିଙ୍କ ଆଶା ବାହାରେ ଥିଲା। ଜନି ବେୟାରଷ୍ଟୋ ଏବଂ ଜୋ ରୁଟ୍‌ ଯେଭଳି ଭାବେ ଭୁଲ୍‌ ଖେଳି ଆଉଟ୍‌ ହେଲେ ତାହା ଆଶ୍ଚର୍ଯ୍ୟ କରିଥିଲା। କଚଟି ସ୍ପିନର୍‌ଙ୍କ ବିପକ୍ଷରେ ଇଂଲିସ୍‌ ଖେଳାଳି ଏତେ ସଂଘର୍ଷ କରିବେ ସେମାନଙ୍କ ବିଶ୍ୱାସ ବାହାରେ ଥିଲା। ୟୁଜବେନ୍ଦ୍ର ଚହଲ୍‌ ସମ୍ଭବତଃ ନୂଆ ବଲ୍‌କୁ ଏତେ ନିୟନ୍ତ୍ରଣ କରିପାରିନଥିଲେ କିମ୍ବା ଶ୍ରେଷ୍ଠତ୍ୱରେ ନଥିଲେ। କିନ୍ତୁ ବଟଲର୍‌ ବିସ୍ଫୋରଣ ବେଳେ କୁଲଦୀପ୍‌ଙ୍କ ଆଗମନ ମ୍ୟାଚ୍‌କୁ କ୍ଷଣକ ଭିତରେ ଓଲଟପାଲଟ କରି ଦେଇଥିଲା। ଏହା ବାସ୍ତବିକ ଯାଦୁକରୀ ଥିଲା।

ଏହା ପରେ ଯେଉଁ ବ୍ୟାଟିଂ ଦେଖିବାକୁ ମିଳିଲା ତାହା ଭାରତୀୟ କ୍ରିକେଟ୍‌ ପାଇଁ ପରବର୍ତୀ ବଡ଼ କଥା ହେବାକୁ ଯାଉଛି। ଅଷ୍ଟ୍ରେଲିଆ ବିପକ୍ଷ ଗତ ଗସ୍ତ ପଦାର୍ପଣଠାରୁ ଆରମ୍ଭ କରି ତାଙ୍କ ଉଚ୍ଚଶ୍ରେଣୀୟ ପ୍ରଦର୍ଶନ ଦେଖିବାକୁ ମିଳିଛି। ଭୟଙ୍କର ମିଚେଲ୍‌ ଜନ୍‌ସନ୍‌ଙ୍କୁ ବି ସେ ଛାଡ଼ିନଥିଲେ। ଇଂଲିସ୍‌ ବୋଲରଙ୍କୁ ସେ ଯେଭଳି ସହଜରେ ଖେଳି ଗଲେ ହୃଦୟସ୍ପର୍ଶୀ ଥିଲା। ନିଜ ବ୍ୟାଟିଂ ପଡ଼ିବା ପୂର୍ବରୁ ଡଗ୍‌ ଆଉଟ୍‌ରେ ବସି ଅଧିନାୟକ ବିରାଟ କୋହଲି ବି ତାଳିବାଡ଼ାଇ ଏହାକୁ ଉପଭୋଗ କରୁଥିଲେ। ଆହ୍ଵାନବିହୀନ ଇଂଲଣ୍ଡ ବୋଲିଂ ଆଗରେ କିନ୍ତୁ ରୋହିତ ଶର୍ମାଙ୍କ ବ୍ୟାଟିଂ ବିରକ୍ତିକର ଥିଲା। ଏବେ ଭାରତର ପ୍ରଦର୍ଶନ ଅଧିକ ଶାଣିତ ହେବାରେ ଲାଗିଛି ଏବଂ ଅଧିକ ସଫଳତାର ଭୋକ ବଢ଼ିଛି। ଯଦି ଇଂଲଣ୍ଡ ଦଳ ତୁରନ୍ତ କିଛି ଶିକ୍ଷା ଲାଭ ନକରୁଛି ଏବଂ ପାଗ ବଦଳିନଯାଉଛି ତେବେ ଏହା ନିଶ୍ଚିତ ଭାରତୀୟ ଋତୁର ପ୍ରତିଶ୍ରୁତି ରଖିବ। (ପିଏମ୍‌ଜି/ଇଏସ୍‌ପି)

ସମ୍ବନ୍ଧିତ ଖବର