ନଟିଂହାମ୍ରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଭାରତର ପ୍ରଭାବୀ ପ୍ରଦର୍ଶନ ଇଂଲଣ୍ଡ ଶିବିର ଦାୟିତ୍ୱରେ ଥିବା ମୁଖିଆଙ୍କୁ ପରବର୍ତୀ ଦୁଇ ମ୍ୟାଚ୍କୁ ନେଇ ଚିନ୍ତା କରିବାକୁ ବାଧ୍ୟ କରିଛି। ଯେଉଁ ପିଚ୍ରେ ବିଗତ ୫ ବର୍ଷ ହେବ ହାରାହାରି ୩୦୦ରୁ ଊର୍ଧ୍ୱ ରନ୍ ହେଉଥିଲା ସେଠାରେ ଇଂଲଣ୍ଡ ୨୬୮ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା। ଭାରତର ଦୁଇ ଅଭିଜ୍ଞ ବୋଲର ଭୁବନେଶ୍ୱର କୁମାର ଏବଂ ଯସପ୍ରୀତ୍ ବୁମରାଙ୍କ ଅନୁପସ୍ଥିତିରେ ବି ଇଂଲଣ୍ଡକୁ ଭଲ ସ୍କୋର୍ କରିବା କାଠିକର ପାଠ ହୋଇଥିଲା। କିନ୍ତୁ ଇଂଲଣ୍ଡ ପାଇଁ ସବୁଠାରୁ ବଡ଼ ଆହ୍ଵାନ ହେଉଛି ଭାରତର ବ୍ୟାଟିଂ ଲାଇନ୍ ଅପ୍। ପ୍ରଥମ ମ୍ୟାଚ୍ରେ ଭାରତ ପ୍ରାୟ ୧୦ ଓଭର ଥାଇ ଜିତିଲା। ରୋହିତ ଶର୍ମାଙ୍କ ବ୍ୟାଟିଂ ସବୁବେଳେ ଭଲ ଗତିର କାର ଭଳି ଆରାମରେ ବଢ଼ି ଚାଲିଛି। ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଲାଗି ତାଙ୍କୁ ଦଳରୁ ବାଦ୍ ଦିଆଯାଇଥିଲା, କିନ୍ତୁ ସେ ଯେଭଳି ବ୍ୟାଟିଂ କରୁଛନ୍ତି ଏବେ ଚିନ୍ତା କରିବାକୁ ପଡ଼ିବ। ପାଗ ଓ ପିଚ୍ ସହିତ ଖାପ ଖୁଆଇବା କଥା ନୁହେଁ। ଜଣେ ଖେଳାଳି ଯିଏ ଦୁଇଟି ଅଲଗା ଅଲଗା ଫର୍ମାଟ୍ରେ ଲଗାତାର ଶତକ ମାରିପାରୁଛନ୍ତି ସେ ଟେଷ୍ଟ୍ କ୍ରିକେଟ୍ ପାଇଁ ବି ଦାବିଦାର। ଏହା ନିଶ୍ଚିତ ଯେ ଟେଷ୍ଟ୍ କ୍ରିକେଟ୍ ବେଳକୁ ଜିମ୍ମି ଆଣ୍ଡରସନ୍ ଏବଂ ଷ୍ଟୁଆର୍ଟ ବ୍ରଡ୍ଙ୍କ ବୋଲିଂ ଆସିଯାଇଥିବ ଏବଂ ବଲ୍ ବି ବଦଳିଯିବ। କିନ୍ତୁ ଟେଷ୍ଟରେ ରୋହିତ ଶର୍ମା ନିମ୍ନ କ୍ରମରେ ବ୍ୟାଟିଂ କରୁଥିବାରୁ ନୂଆ ଲାଲ୍ ବଲ୍କୁ ଖେଳିବା ପରିବର୍ତେ ପୁରୁଣା ଖେଳିବେ, ଯାହା ତାଙ୍କ ପାଇଁ ସମସ୍ୟା ହେବ ନାହିଁ।
ଗୁରୁବାର ଯେଉଁ ଅନ୍ୟ ଖେଳାଳି ଜଣଙ୍କ ପ୍ରଭାବ ଛାଡ଼ିଲେ ସେ ହେଉଛନ୍ତି କୁଲଦୀପ ଯାଦବ। ଭାରତର ବ୍ୟାଟିଂ ତୁଳନାରେ କୁଲଦୀପଙ୍କ ବୋଲିଂକୁ କିଭଳି ମୁକାବିଲା କରାଯିବ ତାହା ଇଂଲଣ୍ଡ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଛି। ତାଙ୍କ ବଲ୍ ଯେଭଳି ଘୁରୁଛି ଜୋସ୍ ବଟଲର୍ଙ୍କ ଛଡ଼ା ଅନ୍ୟ କୌଣସି ଇଂଲିସ୍ ଖେଳାଳି ବୁଦ୍ଧିଶୂନ୍ୟ ହୋଇଯାଉଛନ୍ତି। ହରାଇଜଣ୍ଟାଲ୍ ବଲ୍କୁ ଖେଳିବା ଅସମ୍ଭବ ପ୍ରାୟ। ଇଂଲଣ୍ଡ ଗସ୍ତ ଅଧା ବେଳକୁ ଦୁଇଟି ଶତକ (ରୋହିତ ଶର୍ମା) ଏବଂ ଦୁଇ ଥର ୫ ଓ୍ଵିକେଟ୍ ନେଇ ସାରିଥିବା (କୁଲଦୀପ ଯାଦବ) ଖେଳାଳି ଏବେ ନିଶ୍ଚିତ ଟେଷ୍ଟ୍ ଦଳରେ ସାମିଲ ହେବାକୁ ଦାବିଦାର ପାଲଟିଛନ୍ତି।
ଗ୍ରୀଷ୍ମ ପାଗ ଥିବାରୁ ପିଚ୍ ଶୁଷ୍କ ରହିବ। ଆର୍ଦ୍ର ପିଚ୍ ତୁଳନାରେ ନିଶ୍ଚିତ ସ୍ପିନ୍ ଆଗୁଆ କାମରେ ଲାଗିବ। ପ୍ରାଧାନ୍ୟ ବିସ୍ତାର କରୁଥିବା ଭାରତୀୟଙ୍କୁ କିଭଳି ରୋକାଯିବ ଏବେ ଇଂଲଣ୍ଡ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ଇଂଲଣ୍ଡ ତୁରନ୍ତ କିଛି ବାଟ ନପାଇଲେ ଟେ୍ଵଣ୍ଟି-୨୦ ଭଳି ଦିନିକିଆ ଶୃଙ୍ଖଳା ବି ହାତରୁ ଖସିଯିବ। (ପିଏମ୍ଜି/ଇଏସ୍ପି)
ଇଂଲଣ୍ଡ ଚୟନକର୍ତାଙ୍କ ମୁଣ୍ଡବ୍ୟଥା
ସୁନୀଲ ଗାଭାସ୍କର
/sambad/media/post_attachments/wp-content/uploads/2018/04/sunil-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)