ଓ୍ଵିକେଟ୍‌ ପତନରେ ପିଚ୍‌ର ଭୂମିକା ନାହିଁ

ସୁନୀଲ ଗାଭାସ୍କର

ଆଉ ଏକ ଚମତ୍କାର ପ୍ରଦର୍ଶନ ଜରିଆରେ ଭାରତୀୟ ବୋଲରମାନେ ଇଂଲଣ୍ଡ ବ୍ୟାଟ୍‌ସମ୍ୟାନ୍‌ଙ୍କ ଉପରେ ଚାପ ପକାଇବାରେ ସଫଳ ହୋଇଛନ୍ତି। ପିଚ୍‌ ଉପରେ ନଜର ପକାଇଥିବା ସମସ୍ତେ ନିଶ୍ଚିତ ଅନୁଭବ କରିଥିଲେ ଏହା ଚଳିତ ଶୃଙ୍ଖଳାର ସବୁଠୁ ଭଲ ଓ ସୁନ୍ଦର। ଇଂଲଣ୍ଡ ବ୍ୟାଟସମ୍ୟାନ୍‌ଙ୍କ ଆଉଟ୍‌ରେ ପିଚ୍‌ର କୌଣସି ଭୂମିକା ନ ଥିଲା, ବରଂ ଭାରତୀୟ ଦ୍ରୁତ ବୋଲରମାନେ ସେମାନଙ୍କୁ ଆଉଟ୍‌ କରିଥିଲେ। ଇଂଲଣ୍ଡ ଦଳ ଘୋଷଣା ବେଳକୁ କିଟନ୍‌ ଜେନିଙ୍ଗ୍‌ସଙ୍କ ଚୟନକୁ ନେଇ ପ୍ରଶ୍ନ ଉଠିଥିଲା। ସେ କାନ୍ଧରେ ଏକ ବଲ୍‌ ଖେଳିବା ପରେ ସ୍ପଷ୍ଟ ହୋଇଥିଲା ତାଙ୍କ ମନୋବଳ ଅତି ଖରାପ ସ୍ଥିତିରେ ରହିଛି। ଆଲେଷ୍ଟର୍‌ କୁକ୍‌ ପୂର୍ବ ଟେଷ୍ଟ ତୁଳନାରେ ଭଲ ବ୍ୟାଟିଂ କରୁଥିଲେ, କିନ୍ତୁ ଖରାପ ସଟ୍‌ ଖେଳି ସବୁ ପରିଶ୍ରମକୁ ବେକାର ଯିବାକୁ ଦେଇଥିଲେ। ଈଶାନ୍ତଙ୍କୁ କ୍ରସ୍‌ ଖେଳି ଲେଗ୍‌ ବିଫୋର୍‌ ଓ୍ଵିକେଟ୍‌ ହେବାରୁ ଜୋ ରୁଟ୍‌ଙ୍କ ଖରାପ ବେଳା ମଧ୍ୟ ଆଗକୁ ବଢ଼ିଥିଲା। ପୂର୍ବରୁ ବୁମରାଙ୍କ ଓଭରଷ୍ଟେପ୍‌ କାରଣରୁ ସେ ବର୍ତିଥିଲେ। ଏ କ୍ଷେତ୍ରରେ କିନ୍ତୁ କଠିନ ପରିଶ୍ରମ କରିବାର ଅଛି। ଓ୍ଵିକେଟ୍‌ ପାଇବା ଏବଂ ଓଭରଷ୍ଟେପ୍‌ କାରଣରୁ ବଞ୍ଚିତ ହେବା କେବଳ ବ୍ୟକ୍ତିଗତ ବ୍ୟର୍ଥତା ନୁହେଁ ଦଳ ପାଇଁ ମଧ୍ୟ ବିରକ୍ତିକର। ଜଣେ ଦ୍ରୁତ ବୋଲର ଭାବେ ଅତିରିକ୍ତ ଗୋଟିଏ ବଲ୍‌ ପକାଇବା ମଧ୍ୟ କ୍ଲାନ୍ତିର କାରଣ ପାଲଟିଥାଏ।

ମହମ୍ମଦ ସାମି ଭଲ ବୋଲିଂ କରିଥିଲେ। କିନ୍ତୁ ଆଶା ମୁତାବକ ଓ୍ଵିକେଟ୍‌ ପାଇନଥିଲେ। ତଥାପି ଏକାଧିକ ବାହ୍ୟ ଏଜ୍‌ କରାଇ ମନସ୍ତାତ୍ତ୍ୱିକ ବିଜୟ ପାଇଥିଲେ। ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ଜୋସ୍‌ ବଟଲର୍‌ଙ୍କୁ ଏକ ଆଉଟ୍‌ ସୁଇଙ୍ଗର୍‌ ଜରିଆରେ ତୃତୀୟ ସ୍ଲିପ୍‌ରେ କୋହଲିଙ୍କ ହାତରେ ଧରାଇ ନେଇଥିଲେ। ପ୍ରଥମ ବଲ୍‌ ହାଫ୍‌ ଭଲି ଥିବାରୁ ବଟଲର୍‌ ତାକୁ ସୀମାରେଖା ପାର୍‌ କରି ଦେଇଥିଲେ। ପରବର୍ତୀ ବଲ୍‌ର ଲମ୍ବା ଛୋଟ କରି ସାମି କିନ୍ତୁ ଚତୁରତାର ସହ ତାଙ୍କୁ ବ୍ୟାଟ୍‌ ଧାରରେ ଫସାଇଥିଲେ। ଏହା ପରେ ଭଲ ବ୍ୟାଟିଂ କରି ଭାଗୀଦାରି ଗଢ଼ୁଥିବା ବେନ୍‌ ଷ୍ଟୋକ୍‌ସଙ୍କୁ ମଧ୍ୟ ଲେଗ୍‌ ବିଫୋର୍‌ ଓ୍ଵିକେଟ୍‌ କରି ନେଇଥିଲେ।

ଗତ ସପ୍ତାହରେ କାଉଣ୍ଟି ପ୍ରତିଯୋଗିତାରେ ଦ୍ୱିଶତକ ଏବଂ ୬ ଓ୍ଵିକେଟ୍‌ ନେଇଥିବା ମୋଇନ୍‌ ଅଲ୍ଲୀ ଚୂଡାନ୍ତ ଏକାଦଶକୁ ଫେରି ସାମ୍‌ କରନ୍‌ଙ୍କ ସହିତ ବଢ଼ିଆ ଭାଗୀଦାରି କରିଥିଲେ। କରନ୍‌ ମଧ୍ୟ ଗତ ଟେଷ୍ଟ୍‍ରେ ବେନ୍‌ ଷ୍ଟୋକ୍‌ସଙ୍କ ପାଇଁ ବଞ୍ଚିତ ହୋଇଥିଲେ। ଉଭୟ ଏକ ଭଲ ଭାଗୀଦାରି କରି ଦେଖାଇ ଦେଇଥିଲେ ଜମି ରହିଲେ ରନ୍‌ ପାଇବା କଷ୍ଟକର ନୁହେଁ। ଉଭୟ ଗତ ଟେଷ୍ଟ୍‍ରେ ସୁଯୋଗ ନ ପାଇବା ବେଳେ କାଉଣ୍ଟି ଖେଳି ନିଜକୁ ପ୍ରସ୍ତୁତ ରଖିଥିଲେ। ଭାରତୀୟ ଶିବିର ଏଭଳି ଚିନ୍ତା କରିବା କଥା। ଗତ ଟେଷ୍ଟ୍‍ ଭଳି ଭାରତୀୟ ବୋଲର ଏବେ ସୁଯୋଗ ଆଣିଛନ୍ତି ଏବଂ ବ୍ୟାଟସମ୍ୟାନ୍‌ ଯଦି ଭଲ କରିବେ ତେବେ ଶୃଙ୍ଖଳା ସମତୁଲ ସମ୍ଭାବନା ଆଣିବେ। (ପିଏମ୍‌ଜି/ଇଏସ୍‌ପି)।

ସମ୍ବନ୍ଧିତ ଖବର