ସୁନିଲ ଯୋଶୀ ହେଲେ ଜାତୀୟ ବରିଷ୍ଠ କ୍ରିକେଟ୍ ଚୟନ ସମିତିର ମୁଖ୍ୟ ଚୟନକର୍ତା

ଖୋଡ଼ାଙ୍କ ସ୍ଥାନରେ ହରବିନ୍ଦର, ଅଗରକର ଓ ମୋଙ୍ଗିଆଙ୍କ ନାଁ ବିଚାରକୁ ଆସିଲାନି

ମୁମ୍ବାଇ : ପୂର୍ବତନ ଅନ୍ତର୍ଜାତୀୟ ସ୍ପିନର ସୁନିଲ ଯୋଶୀ ବୁଧବାର ଜାତୀୟ ବରିଷ୍ଠ କ୍ରିକେଟ୍ ଚୟନ ସମିତିର ମୁଖ୍ୟ ଚୟନକର୍ତା ଘୋଷିତ ହୋଇଛନ୍ତି। ପୂର୍ବତନ ଭାରତୀୟ କ୍ରିକେଟର ମଦନ ଲାଲ, ଆରପି ସିଂହ ଓ ସୁଲକ୍ଷଣା ନାଏକଙ୍କୁ ନେଇ ଗଠିତ ବିସିସିଆଇ କ୍ରିକେଟ୍ ପରାମର୍ଶଦାତା ସମିତି (ସିଏସି) ସର୍ବସମ୍ମତିକ୍ରମେ ତାଙ୍କୁ ଏହି ପଦରେ ଅବସ୍ଥାପିତ କରିଛି। ଯୋଶୀ ଦକ୍ଷିଣାଞ୍ଚଳର ପ୍ରତିନିଧିତ୍ବ କରୁଥିବା ଏମ୍‌ଏସ୍‌କେ ପ୍ରସାଦଙ୍କ ସ୍ଥାନ ନେଇଛନ୍ତି। ପ୍ରସାଦଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ମଧ୍ୟ ବିଭିନ୍ନ କାରଣ ପାଇଁ ସେ ନିଜ ପଦ ଛାଡ଼ି ନଥିଲେ। ଅନ୍ୟପକ୍ଷରେ ଚୟନସମିତିରେ କେନ୍ଦ୍ରାଞ୍ଚଳର ପ୍ରତିନିଧିତ୍ବ କରୁଥିବା ଗଗନ ଖୋଡ଼ାଙ୍କ ସ୍ଥାନ ପଞ୍ଜାବର ପୂର୍ବତନ ଅନ୍ତର୍ଜାତୀୟ ଦ୍ରୁତ ବୋଲର ହରବିନ୍ଦର ସିଂହ ନେଇଛନ୍ତି। ପାଞ୍ଚ ଜଣିଆ ଚୟନ ସମିତିରେ ଖୋଡ଼ାଙ୍କ କାର୍ଯ୍ୟକାଳ ମଧ୍ୟ ସରିଯାଇଥିଲା। ସମିତିର ଅନ୍ୟ ତିନି ସଦସ୍ୟ ଯତୀନ ପରଞ୍ଜପେ, ଦେବାଙ୍ଗ ଗାନ୍ଧି ଓ ସରଣଦୀପ ସିଂହ କିନ୍ତୁ ନିଜ ନିଜ ପଦ ବଜାୟ ରଖିଛନ୍ତି। ଏମାନଙ୍କ କାର୍ଯ୍ୟକାଳ ସରିବାକୁ ଆଉ କିଛି ମାସ ବାକି ରହିଛି।

‘‘ଚୟନକର୍ତା କାର୍ଯ୍ୟ ପାଇଁ ଆମେ ଶ୍ରେଷ୍ଠ ପ୍ରାର୍ଥୀଙ୍କୁ ବାଛିଛୁ। ଅନ୍ୟମାନଙ୍କ ତୁଳନାରେ ଯୋଶୀ ଓ ହରବିନ୍ଦରଙ୍କ ମତ ଓ ଯୋଜନାରେ ସ୍ପଷ୍ଟତା ଥିଲା’’ ବୋଲି ସିଏସି ସଦସ୍ୟ ମଦନଲାଲ ନୂଆ ଚୟନକର୍ତାଙ୍କ ନାଁ ଘୋଷଣା କଲା ବେଳେ କହିଥିଲେ। ସିଏସି ଚୟନସମିତିର ଦୁଇଟି ସ୍ଥାନ ଲାଗି ପୂର୍ବତନ ଖେଳାଳିଙ୍କର ପାଞ୍ଚ ଜଣିଆ ସଂକ୍ଷିପ୍ତ ତାଲିକା ଘୋଷଣା କରିଥିଲା। ଯୋଶୀ ଓ ହରବିନ୍ଦରଙ୍କ ଛଡ଼ା ରାଜେଶ ଚୌହ୍ବାନ, ଭେଙ୍କଟେଶ ପ୍ରସାଦ ଓ ଏଲ୍ ଶିବରାମକୃଷ୍ଣନ୍ ମଧ୍ୟ ଦୌଡ଼ରେ ଥିଲେ। ତେବେ ସିଏସି ଯୋଶୀ ଓ ହରବିନ୍ଦରଙ୍କ ମୁଣ୍ଡରେ ସୁନା କଳସ ଢାଳିଥିଲା। ଏଥିଲାଗି ମୋଟ ୪୦ ଜଣ ପୂର୍ବତନ କ୍ରିକେଟର୍‌ ଆବେଦନ କରିଥିଲେ। ପୂର୍ବତନ କ୍ରିକେଟର୍‌ ଅଜିତ ଅଗରକର ଓ ନୟନ ମୋଙ୍ଗିଆ ଆବେଦନ କରିଥିଲେ ମଧ୍ୟ ସେମାନଙ୍କ ନାଁ ବିଚାରକୁ ଆସି ନଥିବା ମଦନ ଲାଲ ସୂଚନା ଦେଇଥିଲେ। ତେବେ ସେପ୍ଟେମ୍ବର ମାସରେ ପରଞ୍ଜପେ, ଗାନ୍ଧି ଓ ସରଣଦୀପଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ସେତେବେଳେ ଏମାନଙ୍କ ନାଁ ବିଚାରକୁ ନିଆଯିବ ବୋଲି ସଙ୍କେତ ଦେଇଥିଲେ। ୪୯ ବର୍ଷୀୟ ଯୋଶୀ ୧୯୯୬ରୁ ୨୦୦୧ ମଧ୍ୟରେ ଭାରତ ପକ୍ଷରୁ ୧୫ ଟେଷ୍ଟ୍, ୬୯ ଦିନିକିଆ ଖେଳିଥିଲେ। ସେଥିମଧ୍ୟରେ ସେ ୪୧ ଟେଷ୍ଟ୍ ଓ ୬୯ ଦିନିକିଆ ୱିକେଟ୍ କରାୟତ୍ତ କରିଛନ୍ତି। ସେ ମଧ୍ୟ ବାଂଲାଦେଶ ଜାତୀୟ କ୍ରିକେଟ୍ ଦଳ ସହ ପ୍ରଶିକ୍ଷକ ଭା‌ବେ କାର୍ଯ୍ୟ କରିସାରିଛନ୍ତି। ଅନ୍ୟପକ୍ଷରେ ୪୨ ବର୍ଷୀୟ ହରବିନ୍ଦର ୧୯୯୮ରୁ ୨୦୦୧ ମଧ୍ୟରେ ୩ ଟେଷ୍ଟ୍ ଓ ୧୬ ଦିନିକିଆରେ ଭାରତର ପ୍ରତିନିଧିତ୍ବ କରିଛନ୍ତି। ସେଥିମଧ୍ୟରେ ସେ ଯଥାକ୍ରମେ ୪ ଓ ୨୪ ୱିକେଟ୍ ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର