ମାଙ୍ଗାଲୋର: ଭାରତୀୟ ହକି ଦଳର ଅଗ୍ରଭାଗ ଖେଳାଳି, ଅଲିମ୍ପିଆନ୍ ତଥା ଅର୍ଜୁନ ପୁରସ୍କାର ବିଜେତା ଏସ୍ ଭି ସୁନୀଲ ନୂଆ ଜୀବନ ଆରମ୍ଭ କରିଛନ୍ତି। ସୁନୀଲ ମାଙ୍ଗାଲୋରର ଜଣେ ବ୍ୟବସାୟୀ ତାରାନାଥଙ୍କ ଝିଅ ନିସାରାଙ୍କୁ ସେ ଶନିବାର ଜୀବନ ସାଥୀ ଭାବେ ବାଛିଛନ୍ତି। ଉଭୟଙ୍କ ବିବାହ ବୈଦିକ ରୀତି ନୀତିରେ ସ୍ଥାନୀୟ କୁଦ୍ରୋଲି ଗୋରଖନାଥ ମନ୍ଦିରରେ ସମାପ୍ତ ହୋଇଛି। ବିବାହ ଉତ୍ସବରେ କେବଳ ନିକଟତମ ବନ୍ଧୁ ଏବଂ ପରିବାରବର୍ଗ ସାମିଲ ହୋଇଥିଲେ। ସୋମବାର ବିବାହ ଭୋଜି ଅନୁଷ୍ଠିତ ହେବ। ଏଥିରେ ଭାରତୀୟ ହକି ଦଳର ପୂର୍ବତନ ଏବଂ ସାଂପ୍ରତିକ ସଦସ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପାଖା ପାଖି ଅଢ଼େଇ ହଜାର ଲୋକ ଯୋଗ ଦେବାର ସମ୍ଭାବନା ରହିଛି। ୧୯୮୯ ମସିହା ମେ ୬ ତାରିଖରେ କର୍ଣ୍ଣାଟକର କୋଡୁଗୁ ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିବା ସୁନୀଲ ୧୯୮ ଅନ୍ତର୍ଜାତୀୟ ହକି ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରି ୫୯ ଗୋଲ୍ ଦେଇଛନ୍ତି। ୨୦୦୭ରେ ଚେନ୍ନାଇରେ ଆୟୋଜିତ ଏସିଆ କପରେ ସେ ନିଜ ଅନ୍ତର୍ଜାତୀୟ ଖେଳ ଜୀବନ ଆରମ୍ଭ କରିଥିଲେ। ଗତବର୍ଷ ଏସିଆ କପରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ଦଳର ସେ ଅନ୍ୟତମ ସଦସ୍ୟ ଥିଲେ। ସେ ମଧ୍ୟ ୨୦୧୪ ଇଞ୍ଚିଅନ୍ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ଜିତିଥିବା ଦଳରୁ ଖେଳିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp