ଚଳିତ ବର୍ଷ ଆଇପିଏଲ୍ର ଅତୁଳନୀୟ ଆରମ୍ଭ ହୋଇଛି। ସନ୍ରାଇଜର୍ସ ହାଇଦ୍ରାବାଦ ତା’ ପ୍ରଥମ ମ୍ୟାଚ୍ରେ ସହଜ ବିଜୟ ହାସଲ କରିବା ଛଡ଼ା ଅନ୍ୟ ସମସ୍ତ ମ୍ୟାଚ୍ ବେଶ୍ ରୋମାଞ୍ଚକର ଭାବେ ଶେଷ ହୋଇଛି। ଏହି ଉତ୍କଣ୍ଠାପୂର୍ଣ୍ଣ ସଂଘର୍ଷ ହିଁ ଆଇପିଏଲ୍କୁ ଅନ୍ୟ ସମସ୍ତଙ୍କଠାରୁ ଭିନ୍ନ କରିଛି। ପ୍ରଶଂସକମାନେ କ୍ରିକେଟ୍ର ସମସ୍ତ ଦିଗକୁ ଖୁବ୍ କମ୍ ସମୟ ମଧ୍ୟରେ ଦେଖିବାକୁ ପାଉଛନ୍ତି। ମୋ ମତରେ ଏହା ହିଁ ଏହି ଚର୍ଚିତ ଲିଗ୍ର ବିଶେଷତ୍ୱ। ଷ୍ଟାଡିୟମ୍ ହେଉକି ଟେଲିଭିଜନ ପରଦା, କ୍ରିକେଟ୍ପ୍ରେମୀ ଆଇପିଏଲ୍ରେ ଉଚ୍ଚମାନର ଦ୍ରୁତ ବୋଲିଂ, ଶୀର୍ଷ ସ୍ତରୀୟ ସ୍ପିନ୍, ଆକ୍ରମଣାତ୍ମକ ବ୍ୟାଟିଂ ଏବଂ କେତେକ ନୂଆ ପ୍ରକାରର ଓ ନିଆରା ସଟ୍ ଦେଖିବାର ମଜା ନେଉଛନ୍ତି। ସତ କହିଲେ ଆଇପିଏଲ୍ରେ କ୍ରିକେଟ୍ର ମାନ ବେଶ୍ ଉଚ୍ଚ ଏବଂ ବିଶ୍ୱସ୍ତରୀୟ ହୋଇ ଯାଇଛି। ଏବି ଡିଭିଲିୟର୍ସଙ୍କ ଭଳି ମନୋରଞ୍ଜନକାରୀ କ୍ରିକେଟ୍ରେ ବହୁତ କମ୍ ଅଛନ୍ତି। ଶୁକ୍ରବାର ଡିଭିଲିୟର୍ସ କିଙ୍ଗ୍ଦ ଏକାଦଶ ପଞ୍ଜାବ ବିପକ୍ଷରେ ଆଉ ଏକ ଚମତ୍କାର ପ୍ରଦର୍ଶନ କରି ବେଙ୍ଗାଲୁରୁକୁ ପ୍ରତିଯୋଗିତାର ପ୍ରଥମ ବିଜୟ ଉପହାର ଦେଲେ। ଚଳିତ ବର୍ଷ ଭଲ ଆରମ୍ଭ କରିଥିବା ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚ୍ରେ ମଧ୍ୟ ଡିଭିଲିୟର୍ସ ଏହି ଭଳି ଭାବେ ଖେଳନ୍ତୁ ବୋଲି ବେଙ୍ଗାଲୁରୁ ଚାହୁଁଥିବ। ଉଭୟ ରାଜସ୍ଥାନ ଏବଂ ବାଙ୍ଗାଲୋର ଦଳରେ ଭଲ ଭଲ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ହେଲେ ଦୁଇ ଦଳଙ୍କ ବୋଲିଂ ବିଭାଗ ତୁଳନାତ୍ମକ ଭାବେ ଦୁର୍ବଳ। ଦର୍ଶକମାନେ ଅବଶ୍ୟ ବୋଲର ମାଡ଼ ଖାଉଥିବାର ଦେଖିବାକୁ ଭଲ ପାଆନ୍ତି। ଏଣୁ ମନୋରଞ୍ଜନ ଦୃଷ୍ଟିରୁ ଏହା ଏକ ବଡ଼ ପ୍ରତିବନ୍ଧକ ବୋଲି ମୁଁ ଭାବୁନାହିଁ।
ଦୁଇବର୍ଷ ପରେ ପ୍ରତ୍ୟାବର୍ତନ କରିଥିବା ଚେନ୍ନାଇ ସୁପରକିଙ୍ଗ୍ସ କିନ୍ତୁ ଏବେ ପ୍ରତିଯୋଗିତାର ସବୁଠାରୁ ଚର୍ଚିତ ଦଳର ମାନ୍ୟତା ଲାଭ କରିିଛି। ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଭଳି ଏହି ଦଳର ଖେଳାଳି ମଧ୍ୟ କଠିନ ପରିସ୍ଥିତିରେ ଶାନ୍ତ ରହୁଛନ୍ତି। ଟେ୍ଵଣ୍ଟି-୨୦ରେ ଅଧିନାୟକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ହେଲେ ଶେଷ ଓଭର ଆଡ଼ିକି ବିଭିନ୍ନ ଦଳ ଯେମିତି ବିଚାର ବିମର୍ଶରେ ମାତ୍ରାଧିକ ସମୟ ଅପଚୟ କରୁଛନ୍ତି ତାକୁ ଯୁବ ପ୍ରଶଂସକମାନେ ପସନ୍ଦ କରୁନାହାନ୍ତି। ଅମ୍ପାୟାରମାନେ ଲିଗ୍ର ଏହି ଦିଗକୁ ଧ୍ୟାନ ଦେବା ଉଚିତ। କାରଣ ଦର୍ଶକ ଷ୍ଟାଡିୟମକୁ କ୍ରିକେଟ୍ ଦେଖିବାକୁ ଆସୁଛନ୍ତି। ଖେଳାଳିଙ୍କ ମଧ୍ୟରେ ଆଲୋଚନା ଓ ପର୍ଯ୍ୟାଲୋଚନାକୁ ନୁହେଁ। (ପିଏମଜି/ଇଏସ୍ପି)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/04/sunil-gavaskar-afp_806x605_61499092498.jpg)