ସୁନୀଲଙ୍କୁ ମିଷ୍ଟର୍‌ ୟୁନିଭର୍ସ ସ୍ବର୍ଣ୍ଣ

ବ୍ରହ୍ମପୁର: ଆଇଏଫ୍‌ବିବି (ଇଣ୍ଟରନ୍ୟାସନାଲ୍ ଫେଡେରେସନ୍‌ ଅଫ୍ ବଡ଼ିବିଲ୍ଡିଂ ଆଣ୍ଡ ଫିଟ୍‌ନେସ୍‌) ପକ୍ଷରୁ ପୁନେ ଠାରେ ଅନୁଷ୍ଠିତ ମିଷ୍ଟର୍‌ ୟୁନିଭର୍ସ ପ୍ରତିଯୋଗିତାରେ ବ୍ରହ୍ମପୁରର ସୁନୀଲ୍ ସେଠୀ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ୧୭୭ ସେମି ଉଚ୍ଚତା (ମେନ୍‌ସ ପିଜିକ୍‌) ବର୍ଗରେ ସୁନୀଲ୍‌ଙ୍କ ସହ ବିଭିନ୍ନ ଦେଶର ମୋଟ ୧୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ତେବେ ସୁନୀଲ୍ ଶ୍ରେଷ୍ଠ ପ୍ରଦର୍ଶନ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ସୁନୀଲ୍‌ଙ୍କ ଘର ବ୍ରହ୍ମପୁର ଭାପୁର ବଜାର ନିକଟ ଭଣ୍ଡାରୀ ସାହିରେ ହୋଇଥିବା ବେଳେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏମ୍‌ବିଏ ଶିକ୍ଷାଲାଭ କରୁଛନ୍ତି। ପିଲାଦିନରୁ ବଡିବିଲ୍ଡିଂ ପ୍ରତି ଆକୃଷ୍ଟ ହୋଇଥିଲେ। ପୁରୀରେ ଗୁରୁ ନାରାୟଣ ପଟ୍ଟନାୟକଙ୍କ ଠାରୁ ତାଲିମ୍ ନେଇ ବ୍ରହ୍ମପୁରରେ ଥିବା ଏକ ଘରୋଇ ବ୍ୟାୟାମଶାଳାରେ ଅଭ୍ୟାସ କରୁଛନ୍ତି। ଗତ ୧୦ ତାରିଖରେ ଭୁବନେଶ୍ବର ସ୍ଥିତ ରେଳବାଇ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଜାତୀୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା (ନ୍ୟାସନାଲ୍‌ ଫିଜିକ୍ ଚ୍ୟାଲେଞ୍ଜ)ରେ ଅଂଶଗ୍ରହଣ କରି ନିଜ ବର୍ଗରେ ରୌପ୍ୟ ପଦକ ହାସଲ କରି ମିଷ୍ଟର୍ ୟୁନିଭର୍ସ ପ୍ରତିଯୋଗିତା ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଶେଷରେ ଏଥିରେ ଉନ୍ନତ ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଲାଭ କରିବାରେ ସକ୍ଷମ ହୋଇଛନ୍ତି। ନିଜ ସଫଳତାର ଶ୍ରେୟ ବାପା-ମାଙ୍କୁ ସୁନୀଲ୍‌ ଦେଇଛନ୍ତି।

ସମ୍ବନ୍ଧିତ ଖବର