ଭୁବନେଶ୍ୱର: ଭାରତୀୟ ମହିଳା ହକି ଟିମ୍ର ଷ୍ଟାର ଡିଫେଣ୍ଡର ତଥା ଓଡ଼ିଆ ଝିଅ ସୁନିତା ଲାକ୍ରା ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି। ହକିରୁ ଅବସର ନେଉଥିବା ନେଇ ସେ ଗୁରୁବାର ଘୋଷଣା କରିଛନ୍ତି। ସୁନିତାଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ତାଙ୍କୁ ଏହାର ସର୍ଜରୀ କରିବାକୁ ପଡ଼ିବ। ସୁନିତାଙ୍କୁ ଆଣ୍ଠୁ ସର୍ଜରୀ କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ସର୍ଜରୀ ପରେ ଶାରୀରିକ ଭାବେ ସୁସ୍ଥ ହେବା ପାଇଁ ତାଙ୍କୁ ବହୁ ସମୟ ଲାଗିବ। ସେତେବେଳକୁ ସୁସ୍ଥ ହୋଇ ଟିମ୍କୁ ଫେରିବା ଆଉ ସହଜ ହେବ ନାହିଁ, ମନେ କରି ହକିକୁ ଆଜି ବଦାୟ କହିଦେଇଛନ୍ତି ସୁନିତା ।
Photo: The Indian Expressତେବେ ହକିରୁ ଅବସର ନେବା ସୁନିତାଙ୍କ ପାଇଁ ଏକ ସାଧାରଣ ମୂହୁର୍ତ୍ତ ନ ଥିଲା। କାରଣ ସେ ଚଳିତବର୍ଷ ଜାପାନର ରାଜଧାନୀ ଟୋକିଓରେ ଆୟୋଜିତ ହେବାକୁ ଥିବା ଅଲିମ୍ପିକ୍ସରେ ଖେଳିବାକୁ ବଡ଼ ସ୍ୱପ୍ନ ଦେଖିଥିଲେ। ଅବସର ଘୋଷଣା କରିବା ଅବସରରେ ସୁନିତା କହିଛନ୍ତି, ମୋ ପାଇଁ ଆଜିର ଦିନଟି ଏକ ଭାବବିହ୍ଵଳ ସମୟ। ପିଲାଟି ଦିନରୁ ହକିକୁ ମୁଁ ବହୁତ ଭଲ ପାଏ। ମୋର ପ୍ରିୟ ଖେଳ ଆଜି ଠାରୁ ଛାଡୁଛି। ମୁଁ ୨୦୦୯ରେ ହକିରେ ପଦାର୍ପଣ କରି ଦେଶ ପାଇଁ ନିଜକୁ ସମର୍ପଣ କରିଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତ ତରଫରୁ ଖେଳି ନିଜକୁ ଭାଗ୍ୟବାନ ମନେ କରୁଛି। ଭାରତୀୟ ମହିଳା ହକି ଟିମ ତିନି ଦଶନ୍ଧି ପରେ ହକି ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ଏହା ଏକ ଐତିହାସିକ ସମୟ ଥିଲା। ଟୋକିଓ ଅଲିମ୍ପିକ୍ସରେ ଦେଶ ପାଇଁ ଖେଳିବାକୁ ଇଚ୍ଛା ଥିଲା। ଏହି ଇଚ୍ଛା ଏବେ ପୂରଣ ହୋଇ ପାରିବ ନାହିଁ। ବିଦାୟ ନେବା ଅବସରରେ ସୁନିତା ନାଲକୋକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ନାଲକୋର ସହାୟତା ବଳରେ ମୁଁ ଆଗକୁ ବଢ଼ିଛି।
ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ୧୯୯୧ ଜୁନ ୧୧ରେ ଜନ୍ମ ନେଇଥିବା ସୁନିତା ୨୦୦୯ରେ ଅନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିଲେ। ସେ ୨୦୧୪ ଏସୀୟ କ୍ରୀଡ଼ା, ୨୦୧୮ ଏସୀୟ କ୍ରୀଡ଼ା, ୨୦୧୬ ଅଲିମ୍ପିକ୍ସ, ୨୦୧୭ରେ ମହିଳା ଏସିଆ କପ ଆଦିରେ ଭାରତୀୟ ଦଳ ପାଇଁ ଖେଳିଥିଲେ। ସୁନିତା ୨୦୧୯ ମେ’ ମାସରେ କୋରିଆ ବିପକ୍ଷରେ ନିଜର ୧୫୦ତମ ମ୍ୟାଚ୍ ଖେଳିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/sunita_lakra_hockey_india.jpg)