ନୂଆଦିଲ୍ଲୀ: ଭାରତୀୟ ମହିଳା ହକି ଦଳ ମାର୍ଚ ୩ରୁ ୧୨ ତାରିଖ ପର୍ଯ୍ୟନ୍ତ କୋରିଆ ଗସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଖେଳିବ। ଏଥିପାଇଁ ଶୁକ୍ରବାର ହକି ଇଣ୍ଡିଆ ୨୦ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ରାଣୀ ରାମ୍ପଲ୍ଙ୍କୁ ଦଳର ନେତୃତ୍ୱ ଭାର ମିଳିଥିଲା ବେଳେ ଓଡ଼ିଆ ଝିଅ ସୁନୀତା ଲାକ୍ରା ଉପଅଧିନାୟିକା ମନୋନୀତ ହୋଇଛନ୍ତି। ସୁନୀତାଙ୍କୁ ମିଶାଇ ୨୦ ଜଣିଆ ଭାରତୀୟ ଦଳରେ ମୋଟ ୪ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ସୁନୀତାଙ୍କ ବ୍ୟତୀତ ଦୀପ୍ଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ଲିଲିମା ମିଞ୍ଜ୍ ଦଳରେ ସାମିଲ ହୋଇଛନ୍ତି। ଅନ୍ୟପକ୍ଷରେ ଗୋଲ୍ରକ୍ଷିକା ସ୍ୱାତୀଙ୍କୁ ଆନ୍ତର୍ଜାତିକ ପଦାର୍ପଣ ସୁଯୋଗ ମିଳିଛି। ସେ ରଜନୀ ଇଟିମାର୍ପୁଙ୍କ ସହ ଗୋଲ୍ରକ୍ଷିକା ଭାବେ ଦଳରେ ରହିଛନ୍ତି। ଫଳରେ ନିୟମିତ ଗୋଲ୍ରକ୍ଷିକା ସବିତାଙ୍କୁ ଏହି ଗସ୍ତରୁ ବିଶ୍ରାମ ଦିଆଯାଇଛି। ପୁଣି ପୂନମ୍ ରାଣୀଙ୍କ ପ୍ରତ୍ୟାବର୍ତନ ଦଳର ଶକ୍ତିକୁ ବଢ଼ାଇ ଦେଇଛି। କୋରିଆ ଗସ୍ତରୋ ଭାରତ ସମସ୍ତ ୫ ମ୍ୟାଚ୍ ଜିନ୍ଚୁନ୍ ଜାତୀୟ ଆଥ୍ଲେଟିକ୍ ସେଣ୍ଟରରେ ହିଁ ଖେଳିବ। ମାର୍ଚ ୩ ତାରିଖରେ ପ୍ରଥମ ମ୍ୟାଚ୍ ଖେଳି ଗସ୍ତ ଆରମ୍ଭ କରିବାକୁ ଥିବା ଭାରତ ୬, ୮, ୯ ଓ ୧୧ ତାରିଖରେ ପରବର୍ତୀ ୪ ମ୍ୟାଚ୍ ଖେଳିବାର ସୂଚୀ ରହିଛି। ଗତବର୍ଷ ନଭେମ୍ବରରେ ଚୀନ୍କୁ ୫-୪ ପେନାଲ୍ଟି ସୁଟ୍ଆଉଟ୍ ଗୋଲ୍ରେ ପରାସ୍ତ କରି ଐତିହାସିକ ଏସିଆ କପ୍ ବିଜେତା ହୋଇଥିବା ଭାରତୀୟ ମହିଳା ଦଳ ପାଇଁ କୋରିଆ ଗସ୍ତ ପ୍ରଥମ ପ୍ରତିଯୋଗିତା ହେବ। ତେଣୁ କୌଣସି ଋତୁର ପ୍ରଥମ ପ୍ରତିଯୋଗିତାରେ ଭଲ ଫଳାଫଳ ପାଇବା ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା ବେଳେ ଖେଳାଳିଙ୍କ ଆତ୍ମବିଶ୍ୱାସ ବଢ଼ାଇଥାଏ। କୋରିଆ ଗସ୍ତ ଆମକୁ ଏହି ଦୁଇଟି ଦିଗରେ ସହାୟକ ହେବ। ପୁଣି ଅଷ୍ଟ୍ରେଲିଆର ଗୋଲ୍ଡକୋଷ୍ଟରେ ଅୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପୂର୍ବରୁ କୋରିଆ ଗସ୍ତ ଆମକୁ ଉନ୍ନତ ପ୍ରଦର୍ଶନ କରିବାରେ ସହାୟକ ହେବ ବୋଲି ଭାରତୀୟ ମହିଳା ଦଳର ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂହ କହିଛନ୍ତି। ଆହତରୁ ମୁକୁଳି ଉଭୟ ଅଭିଜ୍ଞ ଖେଳାଳି ଦୀପିକା ଓ ପୂନମ୍ ଦଳକୁ ଫେରିଥିବାରୁ ଅନ୍ୟମାନଙ୍କ ମନୋବଳ ବୃଦ୍ଧି ପାଇବ। ବିଶେଷକରି ଯୁବ ଓ ଅଭିଜ୍ଞଙ୍କ ସନ୍ତୁଳନରେ ଗଠିତ ଦଳ କୋରିଆ ଗସ୍ତରେ ଭଲ ପ୍ରଦର୍ଶନ କରିବ ବୋଲି ହରେନ୍ଦ୍ର ଆଶା ବ୍ୟକ୍ତ କରିଛନ୍ତି। ଘୋଷିତ ୨୦ ଜଣିଆ ଦଳର ଅଧିକାଂଶ ଖେଳାଳି ରାଞ୍ଚିରେ ଜାତୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ସେମାନେ ନିଜ ନିଜର ଦଳ ପକ୍ଷରୁ ଦମ୍ଦାର ପ୍ରଦର୍ଶନ ମଧ୍ୟ କରିଛନ୍ତି। ମୁଁ କେତେକ ମ୍ୟାଚ୍ ଅତି ନିକଟରୁ ଦେଖିଛି। ତେଣୁ ଖେଳାଳିମାନେ କୋରିଆ ଗସ୍ତରେ ଭଲ ପ୍ରଦର୍ଶନ କରିବେ ବୋଲି ମୋର ଦୃଢ଼ ବିଶ୍ୱାସ ଥିବା କହିଛନ୍ତି ହରେନ୍ଦ୍ର।
ଭାରତୀୟ ଦଳ: ରଜନୀ ଇଟିମାର୍ପୁ ଓ ସ୍ୱାତୀ (ଗୋଲ୍ରକ୍ଷିକା), ଦୀପିକା, ସୁନିତା ଲାକ୍ରା (ଉପଅଧିନାୟିକା), ଦୀପ୍ଗ୍ରେସ୍ ଏକ୍କା, ସୁମନ ଦେବୀ ଥୋଡାମ୍, ଗୁର୍ଜିତ୍ କୌର, ସୁଶୀଳା ଚାନୁ ପୁଖ୍ରମ୍ବାମ୍ (ରକ୍ଷଣଭାଗ), ମୋନିକା, ନମିତା ଟପ୍ପୋ, ନିକ୍କି ପ୍ରଧାନ, ନେହା ଗୋୟଲ୍, ଲିଲିମା ମିଞ୍ଜ୍ , ଉଦିତା (ମଧ୍ୟଭାଗ), ରାଣୀ ରାମ୍ପଲ୍ (ଅଧିନାୟିକା), ବନ୍ଦନା କାଟାରିୟା, ଲାଲ୍ରେମ୍ସିଆମି, ନଭ୍ଜୋତ୍ କୌର, ନବନୀତ୍ କୌର ଓ ପୂନମ୍ ରାଣୀ (ପୂରୋଭାଗ)।