ବିବାହ ବନ୍ଧନରେ ସୁନୀତା

ରାଉରକେଲା: ଚଳିତ ଶୀତଋତୁରେ ବହୁ ସେଲିବ୍ରିଟିଙ୍କ ବିବାହ ଅନୁଷ୍ଠିତ ହୋଇଛି। ଏହି ଧାରାରେ ସାମିଲ ହୋଇଛନ୍ତି ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ଡିଫେଣ୍ଡର୍‌ ସୁନୀତା ଲାକ୍ରା। ଓଡ଼ିଶା ପୁଲିସରେ କାର୍ଯ୍ୟରତ ତଥା ସବଡେଗା ବ୍ଲକ ସିମଡେଗା ପାଇକବାହାଲର ସୁମନ ଦୀପକ ଟପ୍ପୋଙ୍କ ସହିତ ସୁନୀତାଙ୍କର ଶୁଭପରିଣୟ ଅନୁଷ୍ଠିତ ହୋଇଯାଇଛି। ରାଜଗାଙ୍ଗପୁର କେଶ୍ରାମାଲ ସେଣ୍ଟ୍‌ ଫ୍ରାନ୍‌ସିସ୍‌ ଜାଭିଅର୍‌ ଚର୍ଚ୍ଚରେ ଅନୁଷ୍ଠିତ ଏହି ନିରାଡ଼ମ୍ବର ବିବାହ ଉତ୍ସବରେ ବହୁ ଅନ୍ତର୍ଜାତୀୟ ହକି ଖେଳାଳି ସାମିଲ ହୋଇଥିଲେ। ଅଲିମ୍ପିଆନ ଲାଜରୁସ୍‌ ବାର୍ଲା, ଭାରତୀୟ ପୁରୁଷ ହକି ଦଳର ସଦସ୍ୟ ଅମିତ ରୋହିଦାସ, ମହିଳା ହକି ଦଳର ଲିଳିମା ମିଞ୍ଜ୍‌, ନମିତା ଟପ୍ପୋ, ଭାରତୀୟ ମହିଳା ହକି ଦଳର ପୂର୍ବତନ ଖେଳାଳି ସୁଶୀଳା ଚାନୁ, ସିଲ୍‌ଭେଷ୍ଟର୍‌ ମିଞ୍ଜ୍‌, ଷ୍ଟାନ୍‌ଲି ଭିକ୍ଟର ମିଞ୍ଜ୍‌, ସରିତା ଲାକ୍ରା, ଗ୍ଲୋରିଆ ଡୁଙ୍ଗଡୁଙ୍ଗ, ରୋଜାଲିନ ଡୁଙ୍ଗଡୁଙ୍ଗ, ଅନୂପା ବାର୍ଲା, ପ୍ରଶିକ୍ଷକ ଅମୂଲ୍ୟାନନ୍ଦ ବିହାରୀ ଓ ବିଜୟ ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଆଲବିସ୍‌ ଲାକ୍ରା ଓ ଶାନ୍ତି ପ୍ରଭା ଏକ୍କାଙ୍କ ଏକମାତ୍ର ଝିଅ ସୁନୀତା ୨୦୦୮ ମସିହାରେ ୨୧ ବର୍ଷରୁ କମ୍‌ ବର୍ଗରେ ଅନ୍ତର୍ଜାତୀୟ ହକିରେ ପଦାର୍ପଣ କରିଥିଲେ। ବର୍ଷକ ପରେ ସେ ଭାରତୀୟ ମହିଳା ଦଳରେ ସାମିଲ ହୋଇଥିଲେ। ଆଘାତ ହେବାରୁ ପ୍ରାୟ ୨/୩ ବର୍ଷ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିପାରି ନ ଥିଲେ। ମାତ୍ର ନିଜର ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ସମସ୍ୟାକୁ ଡେଇଁ ୨୦୧୩ରେ ଚମତ୍କାର ଭାବେ ଅନ୍ତର୍ଜାତୀୟ ହକିକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ତା’ପରଠାରୁ ସେ ଭାରତୀୟ ଜାତୀୟ ମହିଳା ହକି ଦଳର ନିୟମିତ ସଦସ୍ୟା ପାଲଟି ଯାଇଛନ୍ତି। ଅଲିମ୍ପିକ୍ସ, ବିଶ୍ବକପ୍‌, ଏସୀୟ କ୍ରୀଡ଼ା ଓ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ପ୍ରମୁଖ ପ୍ରତିଯୋଗିତାରେ ଖେଳି ସାରିଛନ୍ତି। ଗତ ମେ’ ମାସରେ କୋରିଆ ଗସ୍ତରେ ଯାଇଥିବା ଭାରତୀୟ ଦଳର ଅଧିନାୟିକା ଭାର ମଧ୍ୟ ସେ ସମ୍ଭାଳିଥିଲେ।

ସମ୍ବନ୍ଧିତ ଖବର