ଆଇପିଏଲ୍‌ ଫାଇନାଲ୍‌ ଆଜି: ସୁପର୍‌ ବନାମ ରାଇଜର୍ସ

ମୁମ୍ବାଇ,: ଭାରତୀୟ କ୍ରିକେଟ୍‌କୁ ନୂଆ ରୂପ ଦେଇଥିବା ଇଣ୍ଡିଆନ ପ୍ରିମିୟର୍‌ ଲିଗ୍‌ର ନୂଆ ଦଶକ ପ୍ରଥମ ସଂସ୍କରଣ ଅର୍ଥାତ୍‌ ଆଇପିଏଲ୍‌-୧୧ର ଫାଇନାଲ୍‌ ମ୍ୟାଚ୍‌ ରବିବାର ମୁମ୍ବାଇର ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯିବ। ଲିଗ୍‌ ଶେଷରେ ପ୍ରଥମ ଦୁଇ ସ୍ଥାନରେ ଥିବା ଦଳ ସଂଯୋଗବଶତଃ ଫାଇନାଲ୍‌ରେ ମୁହାଁମୁହିଁ ହେବେ। ଘରୋଇ ଦଳ ତଥା ଗତବର୍ଷର ବିଜେତା ମୁମ୍ବାଇ ଇଣ୍ଡିଆନ୍‌ସ ବିଦାୟ ନେଇ ସାରିଥିବାରୁ ଓ୍ଵାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ନିରପେକ୍ଷ ପ୍ରଶଂସକଙ୍କ ସମ୍ମୁଖରେ ଉଭୟ ଦଳ ଏକ ରୋମାଞ୍ଚକର ଫାଇନାଲ୍‌ ମ୍ୟାଚ୍‌ ଦେଖାଇବେ ବୋଲି ଆଶା କରାଯାଉଛି। ଚେନ୍ନାଇ ସବୁଠୁ ସଫଳତମ ଦଳ ଭାବେ ୨ ଥର ବିଜେତା (୨୦୧୦, ୨୦୧୧) ହୋଇ ସାରିଛି। ନିଲମ୍ବିତ ଚେନ୍ନାଇର ଅନୁପସ୍ଥିତିରେ ୨୦୧୬ରେ ହାଇଦ୍ରାବାଦ ପ୍ରଥମ ଥର ବିଜେତା ହୋଇଥିଲା।

ଏବେ ୨ ବର୍ଷର ନିଲମ୍ବନ ପରେ ଫେରିଥିବା ଚେନ୍ନାଇ ନିଜ ଖ୍ୟାତି ମୁତାବକ ପ୍ରଦର୍ଶନ କରି ଆଉ ଏକ ମୁକୁଟର ଦ୍ୱାରଦେଶରେ ପହଞ୍ଚିଛି। ଚେନ୍ନାଇ ୯ରୁ ୭ ଥର ଫାଇନାଲ୍‌ ଖେଳୁଥିବା ବେଳେ ହାଇଦ୍ରାବାଦ ୬ ଥର ଖେଳି ଦ୍ୱିତୀୟ ଥର ଫାଇନାଲ୍‌ ଆସିଛି। ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ସନ୍‌ରାଇଜର୍ସ ହାଇଦ୍ରାବାଦ ପାଇଁ ଲିଗ୍‌ ଓ ପ୍ଲେ ଅଫ୍‌ ପରାଜୟର ମଧୁର ପ୍ରତିଶୋଧ ନେବାର ସୁଯୋଗ ରଖିବ। କାରଣ ଲିଗ୍‌ ପର୍ଯ୍ୟାୟର ଉଭୟ ମୁକାବିଲା ସହିତ ପ୍ରଥମ କ୍ୱାଲିଫାୟର୍‌ରେ ଜିତି ଚେନ୍ନାଇ ଚଳିତ ଋତୁରେ ହିଁ ୩-୦ରେ ହ୍ୟାଟ୍ରିକ୍‌ ଅର୍ଜନ କରିଛି। ଏପରିକି ମୋଟ ଉପରେ ଉଭୟ ଦଳର ମୁକାବିଲାରେ ଚେନ୍ନାଇ ଆଗୁଆ ରହିଛି। ଏ ପର୍ଯ୍ୟନ୍ତ ୯ ଥର ମୁହାଁମୁହିଁ ହୋଇଥିବା ଉଭୟ ଦଳ ମଧ୍ୟରୁ ଚେନ୍ନାଇ ୭-୨ରେ ଆଗୁଆ ଅଛି। ପ୍ରଥମ କ୍ୱାଲିଫାୟାର୍‌ରେ ଚେନ୍ନାଇ ପରାଜୟ ମୁହଁରୁ ବାହାରି ଫାପ୍‌ ଡୁ ପ୍ଲେସିସ୍‌ଙ୍କ ଅର୍ଧଶତକ ବଳରେ ୨ ଓ୍ଵିକେଟ୍‌ରେ ରୋମାଞ୍ଚକ ବିଜୟ ହାସଲ କରିଥିଲା। ସେହିଭଳି ଲିଗ୍‌ରେ ଚେନ୍ନାଇ ୪ ରନ୍‌ ଏବଂ ୮ ଓ୍ଵିକେଟ୍‌ରେ ଜିତିଥିବାରୁ ଧୋନି ବାହିନୀ ଆତ୍ମବିଶ୍ୱାସରେ ରହିଛି। ଚଳିତ ଋତୁରେ ଉଭୟ ୧୦ ଲେଖାଏଁ ବିଜୟ ସହ ଫାଇନାଲ୍‌ ଆସିଥିବା ବେଳେ ହାଇଦ୍ରାବାଦ ଗୋଟିଏ ମ୍ୟାଚ୍‌ ଅଧିକ (୧୬) ଖେଳିଛି। ସେହିଭଳି ଚେନ୍ନାଇ ବିଗତ ୨ ମ୍ୟାଚ୍‌ ଜିତି ଫାଇନାଲ୍‌ ପୂର୍ବରୁ ଢେର ବିଶ୍ରାମ ପାଇଥିବା ବେଳେ ହାଇଦ୍ରାବାଦ ଶୁକ୍ରବାର ରାତିରେ କୋଲ୍‌କାତାରେ କୋଲ୍‌କାତାକୁ ହରାଇ ମୁମ୍ବାଇ ଫେରିଥିବାରୁ ବିଶ୍ରାମ ପାଇନାହିଁ।

ଚେନ୍ନାଇ ସୁପର୍‌ କିଙ୍ଗ୍‌ସ: ସେନ୍‌ ଓ୍ଵାଟ୍‌ସନ୍‌, ଫାପ୍‌ ଡୁ ପ୍ଲେସିସ୍‌, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି (ଅଧିନାୟକ), ଡ୍ଵାନ୍‌ ବ୍ରାଭୋ, ରବୀନ୍ଦ୍ର ଜାଦେଜା, ଦୀପକ ଚହର, ହରଭଜନ ସିଂହ/ କର୍ନ ଶର୍ମା, ସାର୍ଦୁଲ ଠାକୁର, ଲୁଙ୍ଗି ଏନ୍‌ଗିଡି।

ସନ୍‌ରାଇଜର୍ସ ହାଇଦ୍ରବାଦ: ଋଦ୍ଧିମାନ ସାହା, ଶିଖର ଧାଓ୍ଵନ, କେନ୍‌ ଓ୍ଵିଲିୟମ୍‌ସନ୍‌ (ଅଧିନାୟକ), ସକିବ୍‌ ଅଲ୍‌ ହାସନ୍‌, ଦୀପକ ହୁଦା, ୟୁସୁଫ୍‌ ପଠାନ୍‌, କାର୍ଲୋସ୍‌ ବ୍ରାଥ୍‌େଓ୍ଵଟ୍‌, ରସିଦ୍‌ ଖାନ୍‌, ଭୁବନେଶ୍ୱର କୁମାର, ସିଦ୍ଧାର୍ଥ କଉଲ୍‌, ସନ୍ଦୀପ ଶର୍ମା/ଖଲିଲ୍‌ ଅହମ୍ମଦ/ବସିଲ୍‌ ଥମ୍ପି।

ସମ୍ବନ୍ଧିତ ଖବର