ପୁଣି ସର୍ବୋଚ୍ଚ ସ୍କୋର୍‌ ରେକର୍ଡ ଭାଙ୍ଗିଲା ସନ୍‌ରାଇଜର୍ସ: ଆର୍‌ସିବିର ଷଷ୍ଠ ପରାଜୟ

ବେଙ୍ଗାଲୁରୁ: ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ରେକର୍ଡ ସ୍କୋର୍ (୨୮୭/୩) ସ୍କୋର୍‌ ସହିତ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୨୫ ରନ୍‌ରେ ପରାସ୍ତ କରିଛି। ନୂଆ କୀର୍ତ୍ତିମାନ ପରେ ବେଙ୍ଗାଲୁରୁ ମଧ୍ୟ ଖୁବ୍ ଲଢ଼ିଥିଲା। ବିଶେଷ କରି ଦୀନେଶ କାର୍ତ୍ତିକ ୩୫ ବଲ୍‌ରୁ ୮୩ ରନ୍‌ର ବିସ୍ଫୋରକ ପାଳି ଖେଳି ବେଙ୍ଗାଲୁରୁ ପାଇଁ ଶେଷ ପର୍ଯ୍ୟନ୍ତ ଲଢ଼ିଥିଲେ ଏବଂ ଦଳର ଏନ୍‌ଆର୍‌ଆର୍‌କୁ ଅଧିକ ପ୍ରଭାବିତ ହେବାକୁ ଦେଇନଥିଲେ। କାର୍ତ୍ତିକଙ୍କ ପାଳିରେ ୫ ଚୌକା ଓ ୭ ଛକା ସାମିଲ ଥିଲା। ଏପରିକି ଚଳିତ ଆଇପିଏଲ୍‌ ଋତୁର ଦୀର୍ଘତମ (୧୦୮ ମିଟର୍) ଛକା ସେ ନଟରାଜନଙ୍କ ବିପକ୍ଷ‌ରେ ମ‌ାରିଥିଲେ। ବିରାଟ କୋହଲି (୨୦ ବଲ୍‌ରୁ ୪୨ ରନ୍) ଏବଂ ଫାଫ୍‌ ଡୁ ପ୍ଲେସିସ୍ (୨୮ ବଲ୍‌ରୁ ୬୨ ରନ୍) ମିଳିତ ଭାବେ ପାୱାର ପ୍ଲେରୁ ୭୯ ରନ୍ ଉଠାଇଥିଲା। କିନ୍ତୁ ମଧ୍ୟ ଓଭରଗୁଡ଼ିକରେ ଆରସିବି ୬ ୱିକେଟ୍ ହରାଇବା ସହ ଏହି ହତଭାଗ୍ୟ ଦଳକୁ ଲକ୍ଷ୍ୟ ଦିଗରେ ନେଇପାରିନଥିଲା। ତଥାପି ହାଇଦ୍ରାବାଦର ୨୮୭ ଜବାବରେ ‌ବେଙ୍ଗାଲୁରୁ ୨୬୨ ରନ୍ ସଂଗ୍ରହ କରିବା ଉଲ୍ଲେଖନୀୟ ଥିଲା। ଉଭୟ ପାଳିର ୪୦ ଓଭରରୁ ୫୪୯ ରନ୍ ସଂଗୃହିତ ହେବା ମଧ୍ୟ ଏକ ନୂଆ ରେକର୍ଡ ସୃଷ୍ଟି କରିଥିଲା। ମୋଟ ଉପରେ ଏକ ଟ୍ବେଣ୍ଟି-୨୦ ମ୍ୟାଚ୍‌ରେ ସର୍ବାଧିକ ୮୧ ବାଉଣ୍ଡରି (୪୩ ଚୌକା ଓ ୩୮ ‌ଛକା) ମଧ୍ୟ ରେକର୍ଡର ସମକକ୍ଷ ହୋଇଛି। ଗତବର୍ଷ ସେଞ୍ଚୁରିଅନ୍‌ରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ୮୧ ବାଉଣ୍ଡରି (୪୬ ଚୌକା ଓ ୩୫ ଛକା) ହୋଇଥିଲା।

ସୋମବାର ଏହି ହାଇସ୍କୋରିଂ ମୁକାବିଲାରେ ଧୂଆଁଧାର ଶତକ ହାସଲ କରିଥିବା ଟ୍ରାଭିସ୍ ହେଡ୍ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ହାଇଦ୍ରାବାଦ ଷଷ୍ଠ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ସହ ଚତୁର୍ଥକୁ ଉଠିଥିବାବେଳେ ବେଙ୍ଗାଲୁରୁ ସପ୍ତମ ମ୍ୟାଚ୍‌ରୁ ଷଷ୍ଠ ପରାଜୟ ସହ ସଂଘର୍ଷ ସମୟରୁ ବାହାରିବାକୁ ବାଟ ଖୋଜୁଛି।
ସନ୍‌ରାଇଜର୍ସ ହାଇଦ୍ରାବାଦ ସୋମବାର ଆଇପିଏଲ୍‌ରେ ନିଜ କୀର୍ତ୍ତିମାନକୁ ନିଜେ ଭାଙ୍ଗିଛି। ଚଳିତ ସଂସ୍କରଣରେ ଗତ ମାସ ୨୭ ତାରିଖରେ ପ୍ରତିଯୋଗିତାର ସର୍ବୋଚ୍ଚ ପାଳି ସ୍କୋର ୨୭୭/୩କୁ ଅତିକ୍ରମ କରି ସୋମବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷରେ ୨୮୭/୩ର ପାହାଡ଼ ଠିଆ କରିଥିଲା। ଘରୋଇ ମ୍ୟାଚ୍‌ରେ ଆର୍‌ସିବି ଟସ୍‌ ଜିତି କ୍ଷେତ୍ରରକ୍ଷଣ କରିଥିଲେ ମଧ୍ୟ ହାଇଦ୍ରାବାଦ ବ୍ୟାଟର୍‌ କୌଣସି ବୋଲରଙ୍କୁ ଫୁର୍‌ସତ୍‌ ଦେଇ ନଥିଲେ। ଅଭିଷେକ ଶର୍ମା (୩୪ରନ୍‌, ୨୨ବଲ୍‌, ‌୨ଚୌକା, ୨ଛକା) ଓ ଟ୍ରାଭିସ୍‌ ହେଡ୍‌ (୧୦୨ ରନ୍‌, ୪୧ବଲ୍, ୯ଚୌକା, ୮ଛକା) ପ୍ରଥମ ୱିକେଟ୍‌ରେ ୧୦୮ ରନ୍‌ ଯୋଡ଼ିଥି‌ଲେ। ହେନରିକ୍‌ କ୍ଲାସେଁ (୬୭ରନ୍‌, ୩୧ବଲ୍‌, ୨ଚୌକା, ୭ଛକା) ଙ୍କୁ ସାଥୀ କରି ହେଡ୍‌ ଆକ୍ରମଣାତ୍ମକ ବ୍ୟାଟିଂ ଜାରି ରଖିବା ସହ ୩୯ ବଲ୍‌ରୁ ପ୍ରତିଯୋଗିତା ଇତିହାସରେ ଚତୁର୍ଥ ଦ୍ରୁତତମ ଶତକ ଅର୍ଜନ କରିଥିଲେ। ଏହି ତିନିଜଣଙ୍କ ୱିକେଟ୍‌ ଯିବା ପରେ ଐଦେନ ମାରକ୍ରମ (୩୨*ରନ୍‌, ୧୭ବଲ୍‌, ୨ଚୌକା, ୨ଛକା) ଓ ଅବଦୁଲ ସମଦ (୩୭*ରନ୍‌, ୧୦ବଲ୍‌, ୪ଚୌକା, ୩ଛକା) ମଧ୍ୟ ଏହି ଧାରା ବଜାୟ ରଖି ଦଳକୁ ଐତିହାସିକ ସ୍କୋର୍‌ରେ ପହଞ୍ଚାଇଥିଲେ। ବେଙ୍ଗାଲୁରୁର ବିଜୟ କୁମାର ବୈଶାଖ ଓ ରିସ୍‌ ଟପ୍‌ଲେ ଯଥାକ୍ରମେ ୬୪ ଓ ୬୮ ରନ୍‌ ବ୍ୟୟ କରି ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ହାଇଦ୍ରାବାଦ ପାଳିରେ ୧୯ ଚୌକା ଓ ୨୨ଛକା ଦେଖିବାକୁ ମିଳିଥିଲା। ଯାହାଫଳରେ ଆଇପିଏଲ୍‌ରେ ଗୋଟିଏ ପାଳିରୁ ସର୍ବାଧିକ ଛକା ରେକର୍ଡ ମଧ୍ୟ ହାଇଦ୍ରାବାଦ ନାମରେ ଲିପିବଦ୍ଧ ହୋଇଛି। ଅନ୍ୟପକ୍ଷରେ ଟ୍ବେଣ୍ଟି-୨୦ କ୍ରିକେଟ୍‌ରେ ସର୍ବୋଚ୍ଚ ପାଳି ସ୍କୋର୍‌ରେ ହାଇଦ୍ରାବାଦ ଦ୍ବିତୀୟ ସ୍ଥାନରେ ରହିଛି। ଗତବର୍ଷ ଏସୀୟ କ୍ରୀଡ଼ାରେ ମଙ୍ଗୋଲିଆ ବିପକ୍ଷରେ ନେପାଳ ସର୍ବୋଚ୍ଚ ସ୍କୋର୍‌ (୩୧୪/୩) କରିଥିଲା।

ସଂକ୍ଷିପ୍ତ ସ୍କୋର୍: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୨୮୭/୩ (ଟ୍ରାଭିସ୍ ହେଡ୍ ୧୦୨, ହେନରିକ୍ କ୍ଲାସେଁ ୬୭, ଐଦେନ ମାରକ୍ରମ୍ ୩୨*, ଅବଦୁଲ ସମଦ ୩୭*, ଲୋକି ଫର୍ଗୁସନ୍ ୨/୫୨)। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୨୦ ଓଭରରେ ୨୬୨/୭ (ଦ‌ୀନେଶ କାର୍ତ୍ତିକ-୮୩, ଫାଫ୍‌ ଡୁ ପ୍ଲେସିସ୍‌-୬୨, ବିରାଟ କୋହଲି-୪୨, ଅନୁଜ ରାୱତ-୨୫*, ପ୍ୟାଟ୍ କମିନ୍ସ-୩/୪୩, ମୟଙ୍କ ମାର୍କଣ୍ଡେ-୨/୪୬, ଟି ନଟରାଜନ-୧/୪୭)।

ସମ୍ବନ୍ଧିତ ଖବର