ଅହମଦାବାଦ: ଚଳିତ ଆଇପିଏଲ୍‌‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଆଶା ଅସ୍ତଗାମୀ ହୋଇଛି। ଶୁକ୍ରବାର ୫୧ତମ ମ୍ୟାଚ୍‌ରେ ଏହି ଦଳକୁ ଗୁଜରାଟ ଟାଇଟନ୍ସ ୩୮ ରନ୍‌ରେ ହରାଇଦେଇଛି। ଫଳରେ ଗୁଜରାଟ ପ୍ଲେ ଅଫ୍‌ ଯୋଗ୍ୟତାର ନିକଟତର ହୋଇଥିବା ବେଳେ ସନ୍‌ରାଇଜର୍ସ ସପ୍ତମ ପରାଜୟ ସହ ବାଦ୍‌ ପଡ଼ିବା ଦ୍ବାରରେ ଛିଡ଼ା ହୋଇଛି।

Advertisment

ପ୍ରଥ‌ମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଘରୋଇ ଗୁଜରାଟ ଟାଇଟନ୍ସ ନିଜ ପାୱାର ପ୍ଲେ ଭିତରେ ବିନା କ୍ଷତିରେ ୮୨ ରନ୍ ଉଠାଇ ଦୃଢ଼ ମୂଳଦୁଆ ପକାଇଥିଲା। ସପ୍ତମ ଓଭରରେ ସାଇ ସୁଦର୍ଶନ (୨୩ ବଲ୍‌ରୁ ୪୮ ରନ୍)ଙ୍କୁ ଜୀସାନ ଅନସାରୀ ଆଉଟ୍ କରି ସନରାଇଜର୍ସକୁ ପ୍ରଥମ ସଫଳତା ଦେଇଥିଲେ। ଏହା ପରେ ଶୁବମନ ଗିଲ୍ (୩୮ ବଲ୍‌ରୁ ୭୬ ରନ୍) ଏବଂ ଜୋସ୍ ବଟଲର୍ (୩୭ ବଲ୍‌ରୁ ୬୪ ରନ୍) ରନ୍ ବର୍ଷା କରିବାରୁ ଗୁଜରାଟ ୧୮ ଓଭରରେ ୨୦୦ ରନ୍ ପୂର୍ଣ୍ଣ କରିଥିଲା। ଶେଷ ଓଭରରେ ଜୟଦବ ଉନାଦକଟ୍‌ ୩ ୱିକେଟ୍ ବାହାର କରିବାରୁ ଗୁଜରାଟ ମଧ୍ୟ ଆଉ କିଛି ରନ୍ ଯୋଡ଼ିବାରୁ ବଞ୍ଚିତ ରହିଥିଲା। ତଥାପି ୨୨୫ ରନ୍‌ର ବିଜୟ ଲକ୍ଷ୍ୟ ସଂଘର୍ଷ କରୁଥିବା ହାଇଦ୍ରାବାଦ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଥିଲା। ଅଭିଷେକ ଶର୍ମା (୪୧ ବଲ୍‌ରୁ ୭୪ ରନ୍)ଙ୍କ ଲଢ଼ୁଆ ପାଳି ସତ୍ତ୍ବେ ହାଇଦ୍ରାବାଦ ଲକ୍ଷ୍ୟରେ ପହଞ୍ଚିପାରିନଥିଲା।

ସଂକ୍ଷିପ୍ତ ସ୍କୋର: ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୨୪/୬ (ଶୁବମନ ଗିଲ୍‌-୭୬, ଜୋସ୍ ବଟଲର୍‌-୬୪, ସାଇ ସୁଦର୍ଶନ-୪୮, ଜୟଦେବ ଉନାଦକଟ୍‌-୩/୩୫, ପ୍ୟାଟ୍ କମିନ୍ସ-୧/୪୦)। ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୮୬/୬ (ଅଭିଷେକ ଶର୍ମା-୭୪, ନୀତୀଶ ରେଡ୍ଡୀ-୨୧*, ପ୍ୟାଟ୍ କମିନ୍ସ-୧୯*, ପ୍ରସିଦ୍ଧ କ୍ରିଷ୍ଣା-୨/୧୯, ମହମ୍ମଦ ସିରାଜ-୨/୩୩, ଈଶାନ୍ତ ଶର୍ମା-୧/୩୫, ଗେରାଲ୍ଡ କୋଏତ୍‌ଜେ-୧/୩୬)।