ଆବୁଧାବି: ଆବୁଧାବିର ଶେଖ ଜାୟେଦ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ଲିଗ୍ର ୧୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନ୍ରେ ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ । ଦିଲ୍ଲୀ କ୍ୟାପିଟାଲସ ୧୬୩ ରନ୍ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୭ ୱିକେଟ ହରାଇ ୧୪୭ ରନ୍ କରି ମ୍ୟାଚ ହାରଯାଇଛି ।
ଦିଲ୍ଲୀ ପକ୍ଷରୁ ଶିଖର ଧାୱନ ୩୧ ବଲରେ ୩୪ ରନ୍ କରିଥିବା ବେଳେ ରିଷଭ ପନ୍ତ ୨୭ ବଲରେ ୨୮ ରନ୍ ଓ ଶିମରନ୍ ହେଟମାୟର ୧୨ ବଲ ଖେଳି ୨୧ ରନ୍ କରିଥିଲେ । ହାଇଦ୍ରାବାଦ ପକ୍ଷରୁ ଭୁବନେଶ୍ୱର କୁମାର ୨ ୱିକେଟ, ରସିଦ ଖାନ ୪ ଓଭରରେ ମାତ୍ର ୧୪ ରନ୍ ଦେଇ ୩ ୱିକେଟ ନେଇଥିବା ବେଳେ ଟି. ନଟରାଜନ୍ ଓ ଖଲିଲ ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ଏହା ସହ ସନରାଇଜର୍ସ ହାଇଦ୍ରାବାଦ ଚଳିତ ସଂସ୍କରଣରେ ତାର ପ୍ରଥମ ବିଜୟ ହାସଲ କରିବା ସହ ୨ ପଏଣ୍ଟ୍ ସଂଗ୍ରହ କରିଛି ।
ପୂର୍ବରୁ ଦିଲ୍ଲୀ ଟସ ଜିଣି ହାଇଦ୍ରାବାଦକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଅଧିନାୟକ ଡେଭିଡ ଓ୍ଵାର୍ନର ଓ ଜନି ବେୟାରଷ୍ଟୋ ସତର୍କତାର ସହ ଖେଳି ଦଳକୁ ଏକ ମଜବୁତ ଆରମ୍ଭ ଦେଇଥିଲେ । ଓ୍ଵାର୍ନର ୪୫ ରନ କରି ଆଉଟ ହୋଇଥିବା ବେଳେ ବେୟାରଷ୍ଟୋ ୫୩ ରନ କରିଥିଲେ । ୩ୟ ସ୍ଥାନରେ ଆସିଥିବା ମନୀଷ ପାଣ୍ଡେ ମାତ୍ର ୩ ରନ କରି ଆଉଟ ହୋଇଥିଲେ । ତେବେ ରେନ ଓ୍ଵିଲିୟମସନ ଓ ବେୟାରଷ୍ଟୋ ଦୃଢ ବ୍ୟାଟିଂ ପ୍ରଦର୍ଶନ କରି ଦଳୀୟ ସ୍କୋରକୁ ଏକ ସମ୍ମାନଜନକ ସ୍ଥିତିକୁ ନେଇଥିଲେ । ବେୟାରଷ୍ଟୋ ୪୮ ବଲରେ ୫୩ ରନ କରିଥିଲେ । ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୬୨ ରନ କରିଥିଲା ।