ଆଇପିଏଲ୍‌: ପଂଜାବକୁ ୭ ଓ୍ଵିକେଟ୍‌ରେ ପରାସ୍ତ କଲା ହାଇଦ୍ରାବାଦ୍‌

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)-୨୦୨୨ର ୨୮ତମ ମ୍ୟାଚ୍‌ରେ ରବିବାର ପଂଜାବ କିଙ୍ଗ୍‌ସକୁ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ୭ ଓ୍ଵିକେଟ୍‌ରେ ପରାସ୍ତ କରିଛି। ସ୍ଥାନୀୟ ଡ. ଡିଓ୍ଵାଇ ପାଟିଲ ଷ୍ଟାଡିୟମ୍‌ରେ ହାଇଦ୍ରାବାଦ୍‌ ଟସ୍‌ ଜିଣି ପ୍ରଥମେ ବୋଲି ନିଷ୍ପତ୍ତି ନେଇଥିଲା। ଟିମ୍‌ର ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ପଂଜାବକୁ ବ୍ୟାଟିଂ କରିବା ପାଇଁ ଆମନ୍ତ୍ରଣ କରିଥିଲେ। ପଂଜାବ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୫୧ ରନ୍‌ କରିଥିଲା।

୧୫୨ ରନ୍‌ର ବିଜୟ ଲକ୍ଷ୍ୟ ନେଇ ହାଇଦ୍ରାବାଦ୍‌ ନିଜର ପାଳି ଆରମ୍ଭ କରିଥିଲା। ଟିମ୍‌ ୧୮.୫ ଓଭରରେ ୩ଟି ଓ୍ଵିକେଟ୍‌ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିଥିଲା। ଆରମ୍ଭରୁ ଧୀମା ଖେଳିଥିଲେ ମଧ୍ୟ ପରେ ଦଳର ଖେଳାଳିମାନେ ଉପସ୍ଥିତ ବୁଦ୍ଧି ଲଗାଇ କ୍ରିଜ୍‌ରେ ଛିଡ଼ା ହୋଇଥିଲେ। ୧୪ ରନ୍‌ରେ ପ୍ରଥମ ଝଟକା ଲାଗିଥିଲା। ଅଧିନାୟକ କେନ୍‌ ଓ୍ଵିଲିୟମ୍‌ସନ୍‌ ୯ଟି ବଲ୍‌ ସାମ୍ନା କରି ମାତ୍ର ୩ ରନ୍‌ କରି କାଗିସୋ ରାବଡ଼ାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ସ୍କୋର ୬୨ ରନ୍‌ରେ ୨ୟ ଓ୍ଵିକେଟ୍‌ ଭାବେ ରାହୁଲ ଚହର (୩୪ରନ୍‌) ଆଉଟ୍‌ ହୋଇଥିଲେ। ଓପରନ ଅଭିଷେକ ଶର୍ମା ୩୧ ରନ୍‌ କରିଥିଲେ। ସେ ୨୫ଟି ବଲ୍‌ ଖେଳି ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସ୍କୋର ୭୭ ରନ୍‌ରେ ହାଇଦ୍ରାବାଦ୍‌କୁ ୩ୟ ଝଟକା ଲାଗିଥିଲା।

Photo: Zee News

ହାଇଦ୍ରାବାଦ୍‌ ପାଇଁ ଆଇଡେନ୍‌ ମାର୍କମ ସର୍ବାଧିକ ୪୧ ରନ୍‌ କରିଥିଲେ। ସେ ଅପରାଜିତ ରହି ୨୭ଟି ବଲ୍‌ ଖେଳିଥିଲେ। ଏବଂ ୪ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ସେହିପରି ନିକୋଲାସ ପୂରନ ୩୦ଟି ବଲ୍‌ ଖେଳି ଅପରାଜିତ ୩୫ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ ଥିଲା।

ପ୍ରଥମ ପାଳିରେ ପଂଜାବର ଇନିଂସ ଆରମ୍ଭ କରିଥିଲେ ଶିଖର ଧାଓ୍ଵନ୍‌ ଓ ପ୍ରଭସିମରନ୍‌। କିନ୍ତୁ ଦଳକୁ ଆରମ୍ଭରୁ ଝଟକା ଲାଗିଥିଲା। ଧଓ୍ଵନ୍‌ ୧୧ଟି ବଲ୍‌ ଖେଳି ଗୋଟିଏ ଚୌକା ସହିତ ୮ ରନ୍‌ ସଂଗ୍ରହ କରିଥିଲେ। ହାଇଦ୍ରାବାଦ୍‌ ୩୨ ରନ୍‌ରେ ୨ୟ ଓ୍ଵିକେଟ୍‌ ଭାବେ ପ୍ରଭସିମରନ୍‌(୧୪ ରନ୍‌)ଙ୍କୁ ହରାଇଥିଲା। ଜନି ବେୟାରଷ୍ଟୋ ୧୦ଟି ବଲ୍‌ ଖେଳି ୧୨ ରନ୍‌ ସଂଗ୍ରହ କରିଥିଲେ। ଟିମ୍‌ ୪୮ ରନ୍‌ ବେଳକୁ ଆଗଧାଡ଼ିର ୩ ଜଣ ବ୍ୟାଟରଙ୍କୁ ହରାଇ ସାରିଥିଲା। ଜିତେଶ ଶର୍ମା ୮ଟି ବଲ୍‌ ଖେଳି ୧୧ ରନ୍‌ କରିଥିଲେ।

ମଧ୍ୟକ୍ରମର ବ୍ୟାଟର ଲିଆମ୍‌ ଲିଭିଂଷ୍ଟୋନ୍‌ ପଂଜାବ ପାଇଁ ସର୍ବାଧିକ ରନ୍‌ କରିଥିଲେ। ସେ ୬୦ ରନ୍‌ କରିଥିଲେ। ୩୩ଟି ବଲ୍‌ ସାମ୍ନା କରି ୫ଟି ଚୌକା ଓ ୪ଟି ଛକା ମାରିଥିଲେ। ଓଡେନ୍‌ ସ୍ମିଥ ୨୮ଟି ବଲ୍‌ ଖେଳି ୨୬ ରନ୍‌ କରିଥିଲେ। ପଂଜାବର ୪ ଜଣ ବ୍ୟାଟର ଖାତା ଖୋଲିପାରି ନଥିଲେ। ଏମାନେ ହେଲେ କାଗିସୋ ରାବଡ଼ା, ରାହୁଲ ଚହର, ବୈଭବ ଅରୋରା ଓ ଅର୍ସଦୀପ ସିଂହ। କାଗିସୋ ରାବଡ଼ା କୌଣସି ବଲ ସାମ୍ନା କରି ନଥିବା ବେଳେ ସେ ଅପରାଜିତ ପାଭ୍‌ଲିଅନ୍‌ ଫେରିଥିଲେ।

ସମ୍ବନ୍ଧିତ ଖବର