ଆଇପିଏଲ : ରାଜସ୍ଥାନକୁ ୭ ୱିକେଟରେ ହରାଇଲା ହାଇଦ୍ରାବାଦ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ-୨୦୨୧ର ୪୦ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୭ ୱିକେଟରେ ପରାସ୍ତ କରିଛି ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମ ପାଳିରେ ରାଜସ୍ଥାନ ୨୦ ଓଭରରେ ୫ ୱିକେଟ ହରାଇ ୧୬୪ ରନ୍‌ କରିଥିଲା । ଜବାବରେ ହାଇଦ୍ରାବାଦ ୧୮.୩ ଓଭରରେ ୩ ୱିକେଟ ହରାଇ ୧୬୭ ରନ୍ କରି ବିଜୟୀ ହୋଇଛି । ହାଇଦ୍ରାବାଦ ପକ୍ଷରୁ ଜାସନ୍ ରୟ ସର୍ବାଧିକ ୬୯ ରନ୍‌ କରିଥିବା ବେଳେ କ୍ୟାପଟେନ୍‌ କେନ୍ ୱିଲିୟମସନ୍ ୪୧ ବଲରେ ୫୧ ରନ୍‌ କରି ହାଇଦ୍ରାବାଦକୁ ବିଜୟ ଦେଇଥିଲେ । ଏହି ବିଜୟ ସହ ହାଇଦ୍ରାବାଦ ତାର ପରାଜୟ ଧାରାକୁ ଭାଙ୍ଗି ଚଳିତ ସିଜିନ୍‌ରେ ଦ୍ବିତୀୟ ବିଜୟ ହାସଲ କରିଛି । ଜସନ୍ ରୟଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଛି।

ଆଜି ରାଜସ୍ଥାନ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳୀୟ ସ୍କୋର ମାତ୍ର ୧୧ ରନ ହୋଇଥିବାବେଳେ ଓପନ ଏଭିନ ଲୁଇସ ୬ ରନ କରି ଆଉଟ ହୋଇଥିଲେ । ତେବେ ଯଶସ୍ବୀ ଜୟସ୍ବାଲ ଓ ସଂଜୁ ସାମସନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଜୟସ୍ବାଲ ୩୬ କରିଥିବା ବେଳେ ସାମସନ ୮୨ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମହୀପାଲ ଲାମରୋର ମହତ୍ତ୍ବପୂର୍ଣ୍ଣ ୨୯ ରନର ଯୋଗଦାନ ଦେଇଥିଲେ । ଫଳରେ ଦଳ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୬୪ ରନ କରିପାରିଥିଲା ।

ଚଳିତ ଆଇପିଏଲରେ ଅତ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରି ହାଇଦ୍ରାବାଦ ପ୍ଲେ-ଅପରୁ ବାହାର ହୋଇଯାଇଛି । ତେବେ ରାଜସ୍ଥାନ ଦଳ ହାଇଦ୍ରାବାଦ ତୁଳନାରେ ଅପେକ୍ଷାକୃତ ଉନ୍ନତ ପ୍ରଦର୍ଶନ କରି ଏ ପର୍ଯ୍ୟନ୍ତ ୮ ପଏଣ୍ଟ ପାଇଛି ।

ସମ୍ବନ୍ଧିତ ଖବର