ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା ଚଳିତ ଆଇପିଏଲ୍ର ୪୭ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୮୮ ରନ୍ରେ ପରାସ୍ତ କଲା ସନରାଇଜର୍ସ ହାଇଦ୍ରାବାଦ । ଦ୍ବିତୀୟ ପାଳିରେ ଦିଲ୍ଲୀ ୨୨୦ ରନ୍ର ବିଶାଳ ବିଜୟ ଲକ୍ଷ୍ୟକୁ ପିଛା କରି ୧୯ ଓଭରରେ ସମସ୍ତ ୱିକେଟ ହରାଇ ମାତ୍ର ୧୩୧ ରନ୍ କରି ପରାଜୟ ବରଣ କରିଛି । ପ୍ରଥମରୁ ଦିଲ୍ଲୀ ପକ୍ଷରୁ ଦୁର୍ବଳ ବ୍ୟାଟିଂ ଦେଖିବାକୁ ମିଳିଥିଲା ଶିଖର ଧାୱନ ଖାତା ନ ଖୋଲି ଆଇଟ ହୋଇଥିବା ବେଳେ ମାର୍କସ୍ ଷ୍ଟୋଇନିସ୍ ମାତ୍ର ୫ ରନ୍ କରି ଆଉଟ ହୋଇଥିଲେ । ଏହା ପରେ ଜଣଙ୍କ ପରେ ଜଣେ ବ୍ୟାଟ୍ସମ୍ୟାନ ଆଉଟ ହୋଇ ପ୍ୟାଭିଲିୟନକୁ ଫେରିଥିଲେ । ଦିଲ୍ଲୀ ପକ୍ଷରୁ ରିଷଭ ପନ୍ତ ସର୍ବାଧିକ ୩୬ ରନ୍ କରିଥିବା ବେଳେ ଅଜିଙ୍କ୍ୟ ରାହାଣେ ୨୬ ରନ୍ କରିଥିଲେ । ଫଳରେ ହାଇଦ୍ରାବାଦ ଏହି ମ୍ୟାଚକୁ ଏକ ବଡ ବ୍ୟବଧାନରେ ଜିତି ନେଇଥିଲା । ହାଇଦ୍ରାବାଦ ପକ୍ଷରୁ ରସିଦ ଖାନ ୩ଟି ୱିକେଟ ନେଇଥିବା ବେଳେ ଟି. ନାଟରାଜନ୍ ଓ ସନ୍ଦୀପ ଶର୍ମା ୨ଟି ୱିକେଟ ନେଇଥିଲେ । ସେହିପରି ଶାହାବାଜ ନାଦିମ, ବିଜୟ ଶଙ୍କର ଓ ଜସନ୍ ହୋଲ୍ଡର୍ ୧-୧ ୱିକେଟ ନେଇଥିଲେ । ଏହି ବିଜୟ ସହ ହାଇଦ୍ରାବାଦ ୧୦ ଅଙ୍କ ସଂଗ୍ରହ କରି ୬ଷ୍ଠ ସ୍ଥାନରେ ରହିଛି ।
#IPL2020 Match 47: Sunrisers Hyderabad (SRH) beat Delhi Capitals (DC) by 88 runs. pic.twitter.com/qWPtiVIWgW
— ANI (@ANI) October 27, 2020
ପୂର୍ବରୁ ହାଇଦ୍ରାବାଦ ଦଳ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ଆଗରେ ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଥିଲା । ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ବାର୍ଣ୍ଣର ଓ ଋଦ୍ଧିମାନ ଶାହା ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୦୭ ରନ କରି ଦଳକୁ ଏକ ମଜବୁତ ମୂଳଦୁଆ ଦେଇଥିଲେ । ଓ୍ବାର୍ଣ୍ଣର ୩୪ ବଲରେ ୬୬ ରନ କରିଥିବାବେଳେ ଋଦ୍ଧିମାନ ଶାହା ମାତ୍ର ୪୫ ବଲରେ ୮୭ ରନ କରିଥିଲେ । ମନୀଷ ପାଣ୍ଡେ ୪୪ ରନ ଓ କେନ ଓ୍ବିଲିୟମସନ ୧୧ ରନ କରି ଅପରାଜିତ ଥିଲେ । ଫଳରେ ଦଳ ୨୦ ଓଭରରେ ୨୧୯ ରନ କରିଥିଲା ।