ସନ୍‌ରାଇଜର୍ସ-ନାଇଟ୍‌ରାଇଡର୍ସ ଫାଇନାଲ୍‌

ଚହଲଙ୍କ ଅଲୋଡ଼ା କୀର୍ତ୍ତିମାନ

ଚେନ୍ନାଇ: ୨୦୧୬ ମସିହାର ବିଜେତା ସନ୍‌ରାଇଜର୍ସ ହାଇଦ୍ରାବାଦ ତୃତୀୟ ଥର ଆଇପିଏଲ୍‌ ଫାଇନାଲ୍‌ରେ ପହଞ୍ଚିଯାଇଛି। ଶୁକ୍ରବାର ଖେଳାଯାଇଥିବା ଦ୍ବିତୀୟ କ୍ବାଲିଫାୟର୍‌ରେ ପ୍ୟାଟ୍ କମିନ୍ସଙ୍କ ଦଳ ସଂଜୁ ସାମ୍‌ସନ୍‌ଙ୍କ ସେନାକୁ ଅତି ସହଜରେ ୩୬ ରନ୍‌ରେ ହରାଇ ଦେଇଛି। ହାଇଦ୍ରାବାଦକୁ ୧୭୫ ରନ୍‌ରେ ରୋକିଥିଲେ ମଧ୍ୟ ରୟାଲ୍ସ ଦଳ ସ୍ପିନରଙ୍କୁ ଖେଳି ନପାରି ୧୩୯/୭ରେ ଅଟକିଯାଇଥିଲା। ଦଳର ଦୁଇ ଭାରତୀୟ ସ୍ପିନର୍‌ ସାହବାଜ ଅହମ୍ମଦ (୪-୦-୨୩-୩) ଓ ଅଭିଷେକ ଶର୍ମା (୪-୦-୨୪-୨) ମଧ୍ୟକ୍ରମରେ ୫ ୱିକେଟ୍‌ ଦଖଲ କରିନେବା ସଂଜୁଙ୍କ ସ୍ବପ୍ନକୁ ଚୁରମାର୍ କରି ଦେଇଛି। ଏଥି ସହିତ ସନ୍‌ରାଇଜର୍ସ ହାଇଦ୍ରାବାଦ ରବିବାର କୋଲକାତା ନାଇଟ୍ ରାଇଡର୍ସ ସହ ଫାଇନାଲ୍ ଖେଳିବ। ଉଭୟ ଦଳ ଲିଗ୍ ପର୍ଯ୍ୟାୟରେ ପ୍ରଥମ ଦୁଇ ସ୍ଥାନରେ ରହିଥିବାରୁ ଚଳିତ ଋତୁରେ ତୃତୀୟ ଥର ମୁକାବିଲା କରିବେ। ଲିଗ୍‌ ଓ କ୍ବାଲିଫାୟାର୍‌-୧ରେ କୋଲକାତା ଜିତିଥିବାରୁ ଶ୍ରେୟସ ଆୟରଙ୍କ ଦଳର ମନୋବଳ ଉଚ୍ଚରେ ରହିଛି।

ଟସ୍ ଜିତି ସଂଜୁ ସାମସନ୍‌‌‌ କ୍ଷେତ୍ରରକ୍ଷଣ କରିବା ପରେ ପ୍ରଥମ ଓଭରରୁ ହାଇଦ୍ରାବାଦ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରି ଦେଇଥିଲା। ଚୌକା ଓ ଛକା ମାରି ଅଭିଷେକ ଶର୍ମା ଅଭିଯାନ ଆରମ୍ଭ କରିଥିଲେ ମଧ୍ୟ ଷଷ୍ଠ ବଲ୍‌ରେ ବୋଲ୍ଟ ପ୍ରତିଶୋଧ ନେଇଯାଇଥିଲେ। ଏହା ପରେ ଟ୍ରାଭିସ୍ ହେଡ୍‌ ଓ ରାହୁଲ ତ୍ରିପାଠୀ ନିର୍ଭୟରେ ବ୍ୟାଟିଂ କରି ପାୱାର ପ୍ଲେ ସୁଯୋଗକୁ ହାତଛଡ଼ା କରି ନଥିଲେ। ରାହୁଲ ତ୍ରିପାଠୀ ମାତ୍ର ୧୫ ବଲ୍‌ରୁ ୩୭ ରନ୍ (୫ ଚୌକା, ୨ ଛକା) ସଂଗ୍ରହ କରି ବୋଲ୍ଟଙ୍କ ଦ୍ବିତୀୟ ଶିକାର ହୋଇଥିଲେ। ଦୁଇଟି ବଲ୍‌ ପରେ ଐଦେନ ମାରକ୍ରମ (୧)ଙ୍କୁ ମଧ୍ୟ ବୋଲ୍ଟ ଆଉଟ୍ କରିଦେବାରୁ ହାଇଦ୍ରାବାଦ ପଞ୍ଚମ ଓଭର ସୁଦ୍ଧା ୫୭/୩ରେ ପହଞ୍ଚିଯାଇଥିଲା। ଏହା ସତ୍ତ୍ବେ ହାଇଦ୍ରାବାଦ ଆକ୍ରମଣାତ୍ମକ ଆଭିମୁଖ୍ୟକୁ ଜାରି ରଖିଥିଲା। ଟ୍ରାଭିସ୍ ହେଡ୍‌ ୨୮ ବଲ୍‌ରୁ ୩୪ ରନ୍ (୩ ଚୌକା, ୧ ଛକା) ସଂଗ୍ରହ କରି ସନ୍ଦୀପ ଶର୍ମାଙ୍କ ବଲ୍‌ରେ ଅଶ୍ବିନଙ୍କୁ କ୍ୟାଚ୍‌ ‌‌ଦେଇ ଫେରିଥିଲେ। ଦଶମ ଓଭର ସୁଦ୍ଧା ଦଳ ୯୯/୪ ସ୍ଥିତିରେ ଥିଲା। ନୀତୀଶ ରେଡ୍ଡୀ (୫), ଅବଦୁଲ ସମାଦ (୦)ଙ୍କୁ ଲଗାତାର ଭାବେ ଆଉଟ୍ କରି ଅୱେସ ଖାନ୍ ହାଇଦ୍ରାବାଦକୁ ବଡ଼ ସ୍କୋର୍‌ ଦିଗରେ ଅଗ୍ରସର ହେବାକୁ ଦେଇ ନଥିଲେ। ତଥାପି ୱିକେଟରକ୍ଷକ ବ୍ୟାଟର୍ କ୍ଲା‌ସେଁ (୩୪ ବଲ୍‌ରୁ ୫୦ ରନ୍, ୪ ଛକା)ଙ୍କ ଦାୟିତ୍ବପୂର୍ଣ୍ଣ ଅର୍ଦ୍ଧଶତକ କାରଣରୁ ହାଇଦ୍ରାବାଦ ୧୭୫ ରନ୍‌ର ଲଢ଼ୁଆ ସ୍କୋର୍‌ କରି ନେଇଥିଲା। ୧୪ତମ ଓଭର ବେଳକୁ ୧୨୦/୬ରେ ସଂଘର୍ଷ କରିଥିବା ପ୍ୟାଟ୍ କମିନ୍ସଙ୍କ ଦଳ ପାଇଁ କ୍ଲାସେଁଙ୍କ ପାଳି ନିର୍ଣ୍ଣାୟକ ‌ହୋଇଥିଲା। କ୍ଲା‌ସେଁଙ୍କୁ ସାହାବାଜ ଅହମ୍ମଦ (୧୮ ବଲ୍‌ରୁ ୧୮ ରନ୍) ଭଲ ସହଯୋଗ କରିବାରୁ ଏହା ସମ୍ଭବ ହୋଇଥିଲା। ଟ୍ରେଣ୍ଟ୍‌ ବୋଲ୍ଟ ସର୍ବାଧିକ ୪୫ ରନ୍ ବ୍ୟୟ କରିଥିଲେ ମଧ୍ୟ ୩ ୱିକେଟ୍ ନେଇଥିଲେ। ଅୱେସ ଖାନ୍ କିନ୍ତୁ ସଫଳତମ (୪-୦-୨୭-୩) ବୋଲର ଥିଲେ। ସନ୍ଦୀପ ଶର୍ମା (୪-୦-୨୫-୨) ନିୟନ୍ତ୍ରିତ ବୋଲିଂ କରି ହାଇଦ୍ରାବାଦକୁ ରୋକିବାରେ ପ୍ରମୁଖ ଭୂମିକା ନେଇଥିଲେ।

ଚହଲଙ୍କ ଅଲୋଡ଼ା କୀର୍ତ୍ତିମାନ
ଏହି ପାଳି ଅବସରରେ ଆଇପିଏଲ୍‌ର ଅନ୍ୟତମ ସଫଳ ବୋଲର ୟୁଝବେନ୍ଦ୍ର ଚହଲ ୱିକେଟ୍‌ଶୂନ୍ୟ ରହିବା ସହ ଏକ ଅଲୋଡ଼ା କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ସର୍ବାଧିକ ୨୨୪ ଛକା ବରଣ କରି ସେ ଆଗକୁ ବଢ଼ିଯାଇଥିଲେ। ମୁମ୍ବାଇ ଇଣ୍ଡିଆନ୍ସ ଲେଗ୍ ସ୍ପିନର୍‌ ପୀୟୂଷ ଚାୱଲା ୨୨୨ ଛକା, ‌ସିଏସ୍‌କେର ରବୀନ୍ଦ୍ର ଜାଡ଼େଜା ୨୦୬ ଛକା ଓ ରାଜସ୍ଥାନ ରୟାଲ୍ସର ରବିଚନ୍ଦ୍ରନ ଅଶ୍ବିନ ୨୦୨ ଛକାର ଶିକାର ହୋଇ ପଛରେ ପଡ଼ିଯାଇଛନ୍ତି। ଶୁକ୍ରବାର ଚହଲ ୩ ଛକାର ଶିକାର ହେବା ସହ ମଧ୍ୟ ଗୋଟିଏ ସଂସ୍କରଣରେ ସର୍ବାଧିକ ଛକାର ଶିକାର ତାଲିକାରେ ଦ୍ବିତୀୟରେ ପହଞ୍ଚିଯାଇଛନ୍ତି। ଚହଲ ଏ ବର୍ଷ ୩୦ ଛକା ବରଣ କରିଥିବା ବେଳେ ୨୦୨୨ରେ ମହମ୍ମଦ ସିରାଜ ୩୧ ଛକା ସହ ଶୀର୍ଷରେ ଅଛନ୍ତି।

ସଂକ୍ଷିପ୍ତ ସ୍କୋର: ସନ୍‌ରାଇଜର୍ସ ହାଇଦ୍ରାବାଦ ୨୦ ଓଭରରେ ୧୭୫/୯ (ହେନରିକ୍ କ୍ଲାସେଁ-୫୦, ରାହୁଲ ତ୍ରିପାଠୀ-୩୭, ଟ୍ରାଭିସ୍ ହେଡ୍‌-୩୪, ଅୱେସ ଖାନ୍‌-୩/୨୭, ଟ୍ରେଣ୍ଟ୍ ବୋଲ୍ଟ-୩/୪୫, ସନ୍ଦୀପ ଶର୍ମା-୨/୨୫)। ରାଜସ୍ଥାନ ରୟାଲ୍ସ ୨୦ ଓଭରରେ ୧୩୯/୭ (ଧୃବ ଜୁରେଲ-୫୬*, ଯଶସ୍ବୀ ଜୟସ୍ବାଲ-୪୨, ସାହବାଜ ଅହମ୍ମଦ-୩/୨୩, ଅଭିଷେକ ଶର୍ମା-୨/୨୪, ଟି ନଟରାଜନ-୧/୧୩)।

ସମ୍ବନ୍ଧିତ ଖବର