ସିଡ୍ନି/ପର୍ଥ : ଆଜିଠାରୁ ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍ର ମୁଖ୍ୟ ତଥା ସୁପର-୧୨ ପର୍ଯ୍ୟାୟ ଆରମ୍ଭ ହେବ। ଏହି ପର୍ଯ୍ୟାୟର ପ୍ରଥମ ଦିବସରେ ଆୟୋଜକ ଅଷ୍ଟ୍ରେଲିଆ ସହ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ସହ ଆଫ୍ଗାନିସ୍ତାନର ମୁକାବିଲା ଦେଖିବାକୁ ମିଳିବ। ସିଡ୍ନିରେ କିନ୍ତୁ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ୍ ମ୍ୟାଚ୍ରେ ବର୍ଷା ବାଧକ ସାଜିପାରେ। ‘ଲା ନିନା’ର ତାଣ୍ଡବ ସିଡ୍ନି ମ୍ୟାଚ୍କୁ ପ୍ରଭାବିତ କରିବା ଆଶଙ୍କା ୯୦ ପ୍ରତିଶତ ରହିଥିବା ପାଣିପାଗ ବିଭାଗର ଆକଳନ କରାଯାଇଛି। ତେବେ ପର୍ଥରେ କିଛିଟା କମ୍ ବର୍ଷା ଆଶଙ୍କା କରାଯାଇଛି।
ବର୍ଷା ଆଶଙ୍କା ମଧ୍ୟରେ ଥିବା ପ୍ରଥମ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ୍ ବିପକ୍ଷରେ ଅଷ୍ଟ୍ରେଲିଆର ପଲା ଭାରି ରହିଛି। ଗତବର୍ଷ ଦୁବାଇରେ ଆୟୋଜିତ ୨୦୨୧ ଟ୍ବେଣ୍ଟି-୨୦ ବିଶ୍ବକପ୍ ଫାଇନାଲ୍ରେ ନ୍ୟୁଜିଲାଣ୍ଡ୍କୁ ପରାସ୍ତ କରିଥିଲା ଅଷ୍ଟ୍ରେଲିଆ। ଏବେ ପ୍ରାୟ ଗୋଟିଏ ବର୍ଷରୁ କମ୍ ସମୟ ପରେ ପୁଣି ଥରେ ଉଭୟ ଦଳ ପ୍ରାରମ୍ଭିକ ପର୍ଯ୍ୟାୟରେ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ମ୍ୟାଚ୍ ପାଇଁ ସିଡ୍ନି କ୍ରିକେଟ୍ ଗ୍ରାଉଣ୍ଡରେ ଭରପୁର ଦର୍ଶକଙ୍କୁ ଦେଖିବାକୁ ମିଳିବ। ହେଲେ ସେମାନଙ୍କ ଖୁସୀରେ ଲି ନିନା ପାଣି ଢାଳି ଦେଇପାରେ। ଏହି ମୁକାବିଲା ପୂର୍ବରୁ ବ୍ରିସ୍ବେନ୍ରେ ନ୍ୟୁଜିଲାଣ୍ଡ୍ର ଭାରତ ବିପକ୍ଷ ଅଭ୍ୟାସ ମ୍ୟାଚ୍କୁ ମଧ୍ୟ ବର୍ଷା ଧୋଇ ନେଇଥିଲା। ପୁଣି ଆହତ ସମସ୍ୟା ନ୍ୟୁଜିଲାଣ୍ଡ୍ ଦଳ ପାଇଁ ଅଡୁଆ ସୃଷ୍ଟି କରିଛି। ୨୦୨୧ ବିଶ୍ବକପ୍ର ନାୟକ ଡାରିଲ ମିଚେଲ ଆହତ ଯୋଗୁଁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରୁ ବାଦ୍ ପଡ଼ିଥିଲା ବେଳେ ଦ୍ରୁତ ବୋଲର ଲୋକି ଫର୍ଗୁସନ ଓ ଆଦାମ ମିଲ୍ନେ ଅହତ ତାଲିକାରେ ଯୋଡ଼ି ହୋଇଛନ୍ତି। ତଥାପି ସେମାନଙ୍କ ଖେଳିବା ନେଇ ଅଧିନାୟକ କେନ୍ ୱିଲିୟମ୍ସନ୍ ଆଶାବାଦୀ ରହିଛନ୍ତି। ୱିଲିୟମ୍ସନ୍ ନିଜେ ମଧ୍ୟ ଗତବର୍ଷ ବିଶ୍ବକପ୍ ଫାଇନାଲ୍ ପରଠୁ ପ୍ରଭାବୀ ହୋଇପାରିନାହାନ୍ତି। ସେ ଏମଧ୍ୟରେ ୨୦ ଟ୍ବେଣ୍ଟି-୨୦ ପାଳିରୁ ମାତ୍ର ୪୨୦ ରନ୍ କରିପାରିଛନ୍ତି।
ଏସବୁ ସତ୍ତ୍ବେ ଅଷ୍ଟ୍ରେଲିଆରେ ଅଷ୍ଟ୍ରେଲିଆ ବିପକ୍ଷରେ ନ୍ୟୁଜିଲାଣ୍ଡ ୨୦୧୧ ପରଠାରୁ କୌଣସି ବି ଫର୍ମାଟ୍ରେ ବିଜୟଶୂନ୍ୟ ରହିଛି। ଫଳରେ ଚଳିତ ବିଶ୍ବକପ୍ରେ ଅଷ୍ଟ୍ରେଲିଆ ବିଜୟରୁ ଅଭିଯାନ ଆରମ୍ଭ କରିବା ସମ୍ଭାବନା ଅଧିକ ରହିଛି। ହେଲେ ନ୍ୟୁଜିଲାଣ୍ଡ୍ ପାଇଁ ମାଇକେଲ ବ୍ରାସ୍ୱେଲ ଫରକ ଆଣିପାରନ୍ତି ବୋଲି ଅଧିନାୟକ ଆଶା ବାନ୍ଧିଛନ୍ତି। ଟ୍ରେଣ୍ଟ୍ ବୋଲ୍ଟ ବି ଦଳର ପ୍ରମୋଘ ଅସ୍ତ୍ର ପାଲଟିବେ ବୋଲି କୁହାଯାଉଛି। ଆଉ ଏକ ପ୍ରସଙ୍ଗ ହେଲା ଅଷ୍ଟ୍ରେଲିଆ ଷ୍ଟାଡିୟମ୍ଗୁଡ଼ିକର ବାଉଣ୍ଡାରି ବିଶ୍ବର ଅଧିକାଂଶ ଷ୍ଟାଡିୟମ୍ ତୁଳନାରେ ଲମ୍ବା। ତେଣୁ ବ୍ୟାଟରଙ୍କୁ ଜଗିରଖି ବଡ଼ ସଟ୍ ଖେଳିବାକୁ ପଡ଼ିବ, ନହେଲେ ଆଉଟ୍ର ବିପଦ ରହିବା ନିଶ୍ଚିତ ବୋଲି କୁହାଯାଇଛି।
ଶନିବାର ଚଳିତ ବିଶ୍ବକପ୍ ସୁପର-୧୨ ପର୍ଯ୍ୟାୟର ଦ୍ବିତୀୟ ମୁକାବିଲା ଇଂଲଣ୍ଡ ଏବ ଆଫ୍ଗାନିସ୍ତାନ ମଧ୍ୟରେ ଖେଳାଯିବ। ପର୍ଥରେ ଏହି ମୁକାବିଲା ହେବ। ଆଫଗାନିସ୍ତାନ ଏବେ ଭଲ ଫର୍ମରେ ଥିବାରୁ ଇଂଲଣ୍ଡକୁ କଡ଼ା ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ବିଶେଷକରି ଆଫ୍ଗାନିସ୍ତାନର ବୋଲିଂ ଏବଂ ଇଂଲଣ୍ଡର ବ୍ୟାଟିଂ ମଧ୍ୟରେ ଟକ୍କର ହେବ। ଫଳରେ ଉଭୟ ଦଳ ବିଜୟରୁ ଅଭିଯାନ ଆରମ୍ଭ ଲକ୍ଷ୍ୟରେ ରହିବେ।