ଭୁବନେଶ୍ୱରରେ ସୁପରକପ୍‌

ଭୁବନେଶ୍ୱର : ହକି ବିଶ୍ୱ ଲିଗ୍‌, ଏସୀୟ ଦୌଡ଼କୁଦ ଓ ଜାମସେଦପୁର ଏଫସି-ବେଙ୍ଗାଲୁରୁ ଏଫ୍‌ସି ଆଇଏସଏଲ୍‌ ମ୍ୟାଚ୍‌ର ସଫଳ ଆୟୋଜନ ପରେ ଭୁବନେଶ୍ୱରରେ ଆଉ ଏକ ମହତ୍ୱପୂର୍ଣ୍ଣ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହେବାର ଶୁଭ ଖବର ବୁଧବାର ମିଳିଛି। କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ସୁପର କପ୍‌ ଫୁଟବଲ୍‌ ପ୍ରତିଯୋଗିତା ଆୟୋଜିତ ହେବ ବୋଲି ଆଜି ସର୍ବଭାରତୀୟ ଫୁଟବଲ୍‌ ମହାସଂଘ (ଏଆଇଏଫଏଫ୍‌) ଘୋଷଣା କରିଛି। ଏହି ପ୍ରତୀକ୍ଷିତ ପ୍ରତିଯୋଗିତା ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଆସନ୍ତାମାସ ୨୫ ତାରିଖରେ ଶେଷ ହେବ। ପୂର୍ବରୁ ସୁପରକପ୍‌ ଆସନ୍ତାମାସ ୨୨ ତାରିଖରେ ଶେଷ ହେବାର ଥିଲା। ବୁଧବାର ଘୋଷିତ ନୂଆ ସୂଚୀରେ କିନ୍ତୁ ଏହାକୁ ଆଉ ତିନି ଦିନ ଘୁଞ୍ଚାଇ ୨୫ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ଆୟୋଜନ କରିବାକୁ ଏଆଇଏଫଏଫ୍‌ ନିଷ୍ପତ୍ତି ନେଇଛି। ସେହିଭଳି ପ୍ରତିଯୋଗିତାର ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଚଳିତ ମାର୍ଚ ୧୨ରେ ଆରମ୍ଭ ହେବାର ଥିଲା। ଏବେ ଏହାକୁ ତିନି ଦିନ ଆଗକୁ ଅର୍ଥାତ୍‌ ୧୫ ଓ ୧୬ ତାରିଖ ଦୁଇ ଦିନ ଧରି ଆୟୋଜନ କରିବାକୁ ନୀତିଗତ ନିଷ୍ପତ୍ତି ନିଆ ଯାଇଛି। ପୂର୍ବରୁ ଏହି ପ୍ରତିଯୋଗିତା କେରଳର କୋଚିରେ ଖେଳାଯିବାର ଥିଲା। ହେଲେ ଶେଷ ମୁହୂର୍ତରେ ଭୁବନେଶ୍ୱର ସପକ୍ଷରେ ଏଆଇଏଫଏଫ୍‌ ନିଷ୍ପତ୍ତି ନେଇଥିଲା। ଗତ ମାସ ୨୫ ତାରିଖରେ ଓଡ଼ିଶା ଫୁଟବଲ୍‌ ପ୍ରେମୀ କଳିଙ୍ଗ ଷ୍ଟାଡିୟମରେ ଜାମସେଦପୁର-ବେଙ୍ଗାଲୁରୁ ମଧ୍ୟରେ ପ୍ରଥମ ଏବଂ ଏକମାତ୍ର ଆଇଏସଏଲ୍‌ ମ୍ୟାଚ୍‌ ଦେଖିବାର ସୁଯୋଗ ପାଇଥିଲେ। ଏବେ କିନ୍ତୁ ଏକ ପୂରା ପ୍ରତିଯୋଗିତାର ମଜା କଳିଙ୍ଗ ଷ୍ଟାଡିୟମ ଗ୍ୟାଲେରିରେ ବସି ନେବାର ସୁଯୋଗ ପାଇବାକୁ ଯାଉଛନ୍ତି। ମାର୍ଚ-ଏପ୍ରିଲରେ ଭୁବନେଶ୍ୱରର ଉତ୍ତପ୍ତ ଜଳବାୟୁକୁ ନେଇ ଆୟୋଜକଙ୍କ ମନରେ କିଛିଟା ସଂଶୟ ଥିଲା। ତେବେ ପରେ ଏହା ଦୂର ହୋଇଛି। ସେଥିଲାଗି ମ୍ୟାଚ୍‌ ପ୍ରତିଦିନ ରାତି ୮ଟାରୁ କିମ୍ବା ସଂଧ୍ୟା ସାଢ଼େ ୫ଟାରୁ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ସହ କଟକ ମଧ୍ୟ ସୁପରକପ୍‌ ଆୟୋଜନ ଦୌଡ଼ରେ ଥିଲା। କଟକରେ ଗତବର୍ଷ ଫେଡେରେସନ୍‌ କପ୍‌ ଆୟୋଜନ ହେବା ଏହା ସପକ୍ଷରେ ଯାଇଥିଲା। ତେବେ ତୁଳନାତ୍ମକ ଭାବେ ଭୁବନେଶ୍ୱରରେ ଭଲ ସୁବିଧା ସୁଯୋଗ ଥିବାରୁ ଆଇଏସଏଲ୍‌ ଏବଂ ଏଆଇଏଫଏଫ୍‌ ଭୁବନେଶ୍ୱରରେ ଏହି ପ୍ରତିଯୋଗିତା କରିବାକୁ ଚାହୁଁଛନ୍ତି। ରାଜ୍ୟ ଫୁଟବଲ୍‌ ସଂଘ କିମ୍ବା କ୍ରୀଡ଼ା ବିଭାଗର କୌଣସି ଅଧିକାରୀ କିନ୍ତୁ ଆନୁଷ୍ଠାନିକ ଭାବେ ଏଥିନେଇ କୌଣସି ସୂଚନା ଦେଇ ନାହାନ୍ତି।

ମାର୍ଚ ୧୫-୧୬ ଯୋଗ୍ୟତା, ମାର୍ଚ ୩୧ରୁ ଏପ୍ରିଲ ୨୫ ମୁଖ୍ୟ ପର୍ଯ୍ୟାୟ
କଳିଙ୍ଗ ଷ୍ଟାଡିୟମରେ ଫ୍ଲଡ୍‌ ଲାଇଟ୍‌ ଫୁଟ୍‌ବଲ୍‌ ଲଢ଼େଇ
ଆଇଏସଏଲ୍‌ ଓ ଆଇ-ଲିଗ୍‌ର ଶ୍ରେଷ୍ଠ ୬ ଦଳକୁ ସିଧାସଳଖ ଯୋଗ୍ୟତା

୧୬ ଦଳିଆ ପେସାଦାର ପ୍ରତିଯୋଗିତା
ବନ୍ଧ ହୋଇ ଯାଇଥିବା ଚାମ୍ପିଅନ୍ସ ଲିଗ୍‌ ଟେ୍ଵଣ୍ଟି-୨୦ କ୍ରିକେଟ୍‌ ପ୍ରତିଯୋଗିତା ଢାଞ୍ଚାରେ ଖେଳା ଯିବାକୁ ଥିବା ଏହି ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟରେ ୧୬ ଦଳ ଅଂଶ ଗ୍ରହଣ କରିବେ। ତେବେ ଯୋଗ୍ୟତା ପର୍ଯ୍ୟାୟକୁ ମିଶାଇଲେ ମୋଟ ୨୦ ଦଳ ଖେଳିବେ। ଦେଶର ଦୁଇ ପ୍ରତିଷ୍ଠିତ ଫୁଟବଲ୍‌ ଲିଗ୍‌ ଆଇଏସଏଲ୍‌ ଏବଂ ଆଇ-ଲିଗର ଶ୍ରେଷ୍ଠ ୬ ସ୍ଥାନରେ ରହିଥିବା ଦଳ ସିଧାସଳଖ ସୁପର କପ୍‌ରେ ଖେଳିବେ। ଅନ୍ୟ ପକ୍ଷରେ ଉଭୟ ଲିଗ୍‌ର ଶେଷ ୪ ସ୍ଥାନରେ ରହିଥିବା ଦଳଗୁଡ଼ିକୁ ନେଇ ଏକ ୮ ଦଳିଆ ଯୋଗ୍ୟତା ପର୍ଯ୍ୟାୟ ଆୟୋଜିତ ହେବ। ଯୋଗ୍ୟତା ପର୍ଯ୍ୟାୟର ଶ୍ରେଷ୍ଠ ୪ ଦଳ ମୁଖ୍ୟ ପର୍ଯ୍ୟାୟ ଖେଳିବେ। ଏହି ଭଳି ଭାବେ ୧୬ ବଛା ବଛା ଦଳକୁ ନେଇ ସୁପର କପ୍‌ ଫୁଟବଲ୍‌ ପ୍ରତିଯୋଗିତା ଆୟୋଜିତ ହେବ। ଯୋଗ୍ୟତା ପର୍ଯ୍ୟାୟ ଲାଗି ଡ୍ର’ ଶୁକ୍ରବାର ଅନୁଷ୍ଠିତ ହେବ।

ପ୍ରତ୍ୟେକ ଦଳରେ ୬ ବିଦେଶୀ ଖେଳାଳି
ଆଇଏସଏଲ୍‌ ଦଳରେ ସର୍ବାଧିକ ୮ ଜଣ ବିଦେଶୀ ଖେଳାଳି ରହିବାର ବ୍ୟବସ୍ଥା ଥିଲା ବେଳେ ଆଇଲିଗ୍‌ରେ ଏହି ସଂଖ୍ୟା ୬ରେ ସୀମିତ। ସେଥିପାଇଁ ସୁପରକପ୍‌ର ପ୍ରତ୍ୟେକ ଦଳରେ ସର୍ବାଧିକ ୬ ବିଦେଶୀ ଖେଳାଳି ରଖିବାକୁ ଆୟୋଜକ ନିଷ୍ପତ୍ତି ନେଇଛନ୍ତି। ସବୁ ଦଳକୁ ସମାନ ସୁଯୋଗ ଦେବା ଲାଗି ଏଭଳି କରାଯାଇଥିବା ଜଣା ପଡ଼ିଛି। ନକଆଉଟ୍‌ ଭିତ୍ତିିରେ ଖେଳା ଯିବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରତ୍ୟେକ ଦଳରେ ସର୍ବାଧିକ ୨୫ ଖେଳାଳି ରହିବେ। ପଡ଼ିଆ ଭିତରେ କିନ୍ତୁ ସର୍ବାଧିକ ୫ ଜଣ ବିଦେଶୀ ଖେଳାଳିଙ୍କୁ ଖେଳିବାର ସୁଯୋଗ ମିଳିବ। ବଡ଼ କଥା ହେଲା ପ୍ରଥମ ଥର ପାଇଁ ଆଇ-ଲିଗ୍‌ ଏବଂ ଆଇଏସଏଲ୍‌ ଦଳ ପରସ୍ପର ବିପକ୍ଷରେ ଖେଳିବେ।

ଓଡ଼ିଶା ପାଇଁ ଗୌରବର ବିଷୟ:ସଞ୍ଜୟ
ଏଆଇଏଫଏଫ୍‌ ଓଡ଼ିଶାରେ ସୁପରକପ୍‌ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିବାରୁ ଫାଓ ସଂପାଦକ ସଞ୍ଜୟ ବେହେରା ବେଶ୍‌ ଖୁସି ଅଛନ୍ତି। ଏହାକୁ ସେ ଓଡ଼ିଶା ଫୁଟ୍‌ବଲ୍‌ ପାଇଁ ଗୌରବମୟ ଅଧ୍ୟାୟ ଭାବେ ବର୍ଣ୍ଣନା କରିଛନ୍ତି। ତେବେ ଲିଖିତ ଭାବେ ଏଥିନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ଏଆଇଏଫ୍‌ଏଫ୍‌ ଦେଇ ନଥିବା ମଧ୍ୟ ସେ ସ୍ପଷ୍ଟ କରିଛନ୍ତି। ଓଡ଼ିଶାରେ ସୁପରକପ୍‌ ଆୟୋଜନ ହେବାର ୯୦-୯୫ ପ୍ରତିଶତ ନିଶ୍ଚିତ। ହେଲେ ଏଆଇଏଫଏଫ୍‌ ଏଥିନେଇ ଆମ ପାଖକୁ ଆନୁଷ୍ଠାନିକ ଭାବେ କୌଣସି ସୂଚନା ଦେଇ ନାହିଁ। ତେବେ ଅସନ୍ତା ୧୫ ଓ ୧୬ ଦୁଇ ଦିନ ଧରି ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବ। ଏଥିଲାଗି ଆଉ ମାତ୍ର କିଛି ଦିନ ଥିବାରୁ ଆମେ ଟିକିଏ ଚିନ୍ତାରେ ଅଛୁ। ତେବେ ରାଜ୍ୟ କ୍ରୀଡ଼ା ବିଭାଗ ସହ ମିଶି ପ୍ରତିଯୋଗିତାକୁ ସଫଳ କରିବାକୁ ସମସ୍ତ ପ୍ରକାର ଚେଷ୍ଟା କରିବୁ ବୋଲି ସେ ‘ସମ୍ବାଦ’କୁ କହିଛନ୍ତି।

ସମ୍ବନ୍ଧିତ ଖବର