ଭୁବନେଶ୍ବର: ମଙ୍ଗଳବାର କୋଜିକୋଡ୍‌ରେ ଖେଳାଯିବାକୁ ଥିବା ସୁପର କପ୍‌ର ଫାଇନାଲ୍‌ରେ ବେଙ୍ଗାଲୁରୁ ଏଫ୍‌ସି ସହ ମୁହାଁମୁହିଁ ହେବ ଓଡ଼ିଶା ଏଫ୍‌ସି। ଏହି ପ୍ରତିଯୋଗିତାରେ ବେଙ୍ଗାଲୁରୁ ତାହାର ଦ୍ବିତୀୟ ଟ୍ରଫି ସନ୍ଧାନରେ ରହିଛି। ପୂର୍ବରୁ ୨୦୧୮ରେ ଭୁବନେଶ୍ବରରେ ଅନୁଷ୍ଠିତ ସଂସ୍କରଣରେ ବେଙ୍ଗାଲୁରୁ ବିଜେତା ହୋଇଥିଲା। ଏବେ ଓଡ଼ିଶା ଏଫ୍‌ସି ପ୍ରଥମ ଥର ସୁପର କପ୍‌ ଫାଇନାଲ୍‌ରେ ପ୍ରବେଶ କରିଥିବାରୁ ଟ୍ରଫି ଦୌଡ଼ରେ ଏହି ଦଳ ମଧ୍ୟ ଆଗରେ ରହିଛି।

Advertisment

ଉଭୟ ଦଳ ଆଇଏସ୍‌ଏଲ୍‌ର ପ୍ଲେ ଅଫ୍‌କୁ ଯୋଗ୍ୟତା ଅର୍ଜନ କରିଥିଲେ। ତେବେ ପ୍ରଥମ ସୋପାନରେ ଏଟିକେ ମୋହନବାଗାନଠୁ ଓଡ଼ିଶା ପରାସ୍ତ ହୋଇଥିଲା ବେଳେ ବେଙ୍ଗାଲୁରୁ ଫାଇନାଲ୍‌ରେ ପ୍ରବେଶ କରିଥିଲା। କିନ୍ତୁ ସମାନ ପ୍ରତିପକ୍ଷଠୁ ବେଙ୍ଗାଲୁରୁ ପରାଜିତ ହୋଇ ଉପବିଜେତା ହୋଇଥିଲା। ତେଣୁ ମଙ୍ଗଳବାର ଇଏମ୍‌ଏସ୍‌ କର୍ପୋରେସନ୍‌ ଷ୍ଟାଡିୟମ୍‌ରେ ଗତ ବର୍ଷ ‌ସେପ୍ଟେମ୍ବରରେ ଡୁରାଣ୍ଡ କପ୍‌ ବିଜେତା ହୋଇଥିବା ବେଙ୍ଗାଲୁରୁ ଚଳିତ ଋତୁର ତୃତୀୟ ଫାଇନାଲ୍‌ ଖେଳିବାକୁ ଯାଉଛି। ଡୁରାଣ୍ଡ କପ୍‌ର କ୍ବାର୍ଟରଫାଇନାଲ୍‌ରେ ମଧ୍ୟ ଓଡ଼ିଶା ଏଫ୍‌ସି ଓ ବେଙ୍ଗାଲୁରୁ ଏଫ୍‌ସି ମୁହାଁମୁହିଁ ହୋଇଥିଲେ। ତେବେ ତୀବ୍ର ପ୍ରତିଦ୍ବନ୍ଦ୍ବିତାମୂଳକ ଏହି ମ୍ୟାଚ୍‌ର ୧୨୧ତମ ମିନିଟ୍‌ରେ କ୍ରିଷ୍ଣା ରଏଙ୍କ ଗୋଲ୍‌ ବଳରେ ଓଡ଼ିଶା ପରାସ୍ତ ହୋଇଥିଲା।

ଚଳିତ ସୁପର କପ୍‌ରେ ବେଙ୍ଗାଲୁରୁ ମଧ୍ୟ ଆରମ୍ଭରୁ ଚମତ୍କାର ପ୍ରଦର୍ଶନ ଦେଇଆସିଛି। ଗ୍ରୁପ୍‌ ଏ’ରେ ଶ୍ରୀନିଧି ଡେକାନ ଏଫ୍‌ସି, କେରଳ ବ୍ଲାଷ୍ଟର୍ସ ଏଫ୍‌ସି ଓ ରାଉଣ୍ଡଗ୍ଲାସ୍‌ ପଞ୍ଜାବ ଏଫ୍‌ସି ବିପକ୍ଷରେ ୫ ପଏଣ୍ଟ ସଂଗ୍ରହ କରି ‌ବେଙ୍ଗାଲୁରୁ ଶୀର୍ଷ ସ୍ଥାନ ଦଖଲ କରିଥିଲା। ସେମିଫାଇନାଲ୍‌ରେ ଜମସେଦପୁର ଏଫ୍‌ସିକୁ ଜୟେସ ରାଣେ ଓ ଅଧିନାୟକ ସୁନୀଲ ଛେତ୍ରୀଙ୍କ ଗୋଲ୍‌ ଯୋଗୁଁ ବେଙ୍ଗାଲୁରୁ ବିଜୟୀ ହୋଇ ଫାଇନାଲ୍‌ ଟିକେଟ ହାସଲ କରିଥିଲା। ଯଦି ମଙ୍ଗଳବାର ବେଙ୍ଗାଲୁରୁ ବିଜୟୀ ହୁଏ, ତାହେ‌ଲେ ଏହି ଦଳ ଏଏଫ୍‌ସି କପ୍‌ ଗ୍ରୁପ୍‌ ‌ପର୍ଯ୍ୟାୟ ପ୍ଲେ ଅଫ୍‌ ପାଇଁ ଗୋକୁଲମ୍‌ କେରଳ ସହିତ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯୋଗ୍ୟତା ଅର୍ଜନ କରିବ। ତେବେ ଫାଇନାଲ୍‌ ମ୍ୟାଚ୍‌କୁ ନେଇ ଓଡ଼ିଶା ଏଫ୍‌ସିର ଖେଳାଳିମାନେ କୌଣସି ଚାପରେ ନଥିବା ନୂଆ ପ୍ରଶିକ୍ଷକ କ୍ଲିଫୋର୍ଡ ମିରାଣ୍ଡା କହିଛନ୍ତି। ତାଙ୍କ ମତରେ, ଏହାକୁ ଆମେ ପ୍ରଥମ ଫାଇନାଲ୍‌ ଭାବେ ବିବେଚନା କରୁନାହୁଁ। ବରଂ ଏକ ‌ଭଲ ପ୍ରତିପକ୍ଷ ବିପକ୍ଷରେ ଆମକୁ ଆହୁରି ଭଲ ପ୍ରଦର୍ଶନ କରିବା ପାଇଁ ଏହା ଅନ୍ୟଏକ ସୁଯୋଗ ବୋଲି ସେ କହିଛନ୍ତି। ଏଥିପୂର୍ବରୁ ସେମିଫାଇନାଲ୍‌ରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ବିପକ୍ଷରେ ଓଡ଼ିଶା ଗୋଟିଏ ଗୋଲ୍‌ ପଛୁଆ ଥିଲେ ବି ନନ୍ଦ କୁମାର ଶେକର ଓ ଡିଏଗୋ ମୌରିସିଓ ଦଳକୁ ବିଳମ୍ବିତ ବିଜୟ ଭେଟିଦେଇଥିଲେ। ତେଣୁ ଓଡ଼ିଶା ତଳୁ ଉଠିବାରେ ମାହିର ହୋଇଯାଇଥିବାରୁ ଏହି ଦଳ ଉପରେ ‌କୌଣସି ଅତିରିକ୍ତ ଚାପ ରହିବନି ବୋଲି ପ୍ରଶିକ୍ଷକ କହିଛନ୍ତି।