ସୁପର କପ୍‌ର ଶୁଭାରମ୍ଭ

ଆଇଲିଗ୍‌ ବନାମ ଆଇଏସ୍‌ଏଲ୍‌

ଭୁବନେଶ୍ୱର: ଗୁରୁବାର ଓଡ଼ିଶା ଫୁଟ୍‌ବଲ୍‌ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିହେବ। ଭାରତର ଦୁଇ ପ୍ରତିଷ୍ଠିତ ପେସାଦାର ଲିଗ୍‌ ଆଇଏସ୍‌ଏଲ୍‌ ଏବଂ ଆଇ-ଲିଗ୍‌ର ବଛା ବଛା ଦଳକୁ ନେଇ ପ୍ରଥମ ଥର ଲାଗି ଆୟୋଜିତ ହେବାକୁ ଯାଉଥିବା ସୁପର କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତା ଓଡ଼ିଶାରୁ ହିଁ ତା’ର ଯାତ୍ରା ଆରମ୍ଭ କରିବ। ଆସନ୍ତାକାଲି କଳିଙ୍ଗ ଷ୍ଟାଡିୟମରେ ସୁପର କପ୍‌ର ଦୁଇଟି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଦିଲ୍ଲୀ ଡାଇନାମସ୍‌୍‌ ଏବଂ ଚର୍ଚିଲ ବ୍ରଦର୍ସ ମୁହାଁମୁହିଁ ହେବେ। ଦ୍ୱିତୀୟରେ ନର୍ଥ ଇଷ୍ଟ ୟୁନାଇଟେଡ୍‌- ଗୋକୁଳମ୍‌ କେରଳ ମୁହାଁମୁହିଁ ହେବେ। ସେହିଭଳି ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ତଥା ଶେଷ ଦିନରେ ମୁମ୍ବାଇ ସିଟିକୁ ଇଣ୍ଡିଆନ୍‌ ଆରୋଜ୍‌ ଏବଂ ଏଟିକେକୁ ଚେନ୍ନାଇ ସିଟି ଭେଟିବ। ଏଥିଲାଗି କଳିଙ୍ଗ ଷ୍ଟାଡିୟମ୍‌ ପୂରା ପ୍ରସ୍ତୁତ ହୋଇସାରିଛି। ଏବେ ଖାଲି ଯାହା ଆସନ୍ତାକାଲିର ଫୁଟବଲ୍‌ ଲଢ଼େଇକୁ ଅପେକ୍ଷା। ସବୁଠାରୁ ବଡ଼ କଥା ହେଲା କଳିଙ୍ଗ ଷ୍ଟାଡିୟମରେ କେବଳ ଯୋଗ୍ୟତାପର୍ଯ୍ୟାୟ ହେବନି। ଚଳିତ ମାସ ୩୧ରୁ ଆସନ୍ତାମାସ ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସୁପର କପ୍‌ ମୁଖ୍ୟ ପର୍ଯ୍ୟାୟ ମଧ୍ୟ ଅନୁଷ୍ଠିତ ହେବ। ସେତେବେଳେ ଦେଶର ଶୀର୍ଷ ସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଭା ସହ ଅନେକ ନାମୀ ବିଦେଶୀ ଖେଳାଳିଙ୍କ ଭିଡ଼ ଭୁବନେଶ୍ୱରରେ ଦେଖିବାକୁ ମିଳିବ।

ଆଇଲିଗ୍‌ ଏବଂ ଆଇଏସ୍‌ଏଲର ଶୀର୍ଷ ୬ ଲେଖାଏଁ ଦଳ ସୁପର କପ୍‌ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିବେ। ବଳକା ଚାରିଟି ସ୍ଥାନ ଲାଗି ଦୁଇଟି ଯାକ ଲିଗ୍‌ର ଶେଷ ୪ ସ୍ଥାନରେ ଥିବା ଦଳଗୁଡ଼ିକୁ ନେଇ ଦୁଇ ଦିନିଆ ଯୋଗ୍ୟତା ପର୍ଯ୍ୟାୟ ଆୟୋଜିତ ହେବ। ଏଣୁ ପରୋକ୍ଷରେ ଏହି ପ୍ରତିଯୋଗିତା ଆଇଏସ୍‌ଏଲ୍‌ ଏବଂ ଆଇଲିଗ୍‌ ମଧ୍ୟରେ ଶକ୍ତିପରୀକ୍ଷା ସଦୃଶ ହେବ। ଗୁରୁବାରର ଯୋଗ୍ୟତା ପର୍ଯ୍ୟାୟର ପ୍ରଥମ ମୁକାବିଲାରେ ଆଇଲିଗ୍‌ ଦଳ ଚର୍ଚିଲ ବ୍ରଦର୍ସ ଆଇଏସ୍‌ଏଲ୍‌ ଦଳ ଦିଲ୍ଲୀ ଡାଇନାମସ୍‌କୁ ଭେଟିବ। ସେହିଭଳି ଦ୍ୱିତୀୟ ଲଢ଼େଇରେ ଆଇଲିଗ୍‌ର ଗୋକୁଳମ୍‌ କେରଳା ଓ ଆଇଏସ୍‌ଏଲ୍‌ର ନର୍ଥ ଇଷ୍ଟ ୟୁନାଇଟେଡକୁ ଭେଟିବ। ଚଳିତ ବର୍ଷର ଆଇଲିଗ୍‌ରେ ଚର୍ଚିଲ ବ୍ରଦର୍ସ ନବମ ଏବଂ ଗୋକୁଳମ୍‌ କେରଳା ସପ୍ତମ ସ୍ଥାନରେ ରହିଥିଲା। ଅନ୍ୟ ପକ୍ଷରେ ଆଇଏସ୍‌ଏଲ୍‌-୨୦୧୮ରେ ଦିଲ୍ଲୀ ଡାଇନାମସ୍‌ ଅଷ୍ଟମ ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍‌ ସବାଶେଷ ଅର୍ଥାତ୍‌ ଦଶମ ସ୍ଥାନରେ ରହିଥିଲା।

ଖେଳାଳିଙ୍କ ଅଭ୍ୟାସ
ସୁପର କପ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ମଙ୍ଗଳବାର ଚାରିଟି ଦଳ ଚର୍ଚିଲ ବ୍ରଦର୍ସ, ଚେନ୍ନାଇ ସିଟି, ଗୋକୁଳମ୍‌ କେରଳା ଓ ନର୍ଥଇଷ୍ଟ ୟୁନାଇଟେଡ୍‌ ଭୁବନେଶ୍ୱର ପହଞ୍ଚିଥିଲେ। ବୁଧବାର ଆଉ ତିନିଟି ଦଳ ପହଞ୍ଚିଛନ୍ତି। ଗୁରୁବାର ଶେଷ ଦଳ ଭାବେ ଏଟିକେ ପହଞ୍ଚିବାର ଅଛି। ମଙ୍ଗଳବାର ପହଞ୍ଚିଥିବା ଖେଳାଳିମାନେ ବୁଧବାର କଳିଙ୍ଗ ଷ୍ଟାଡିୟମ୍‌ ଆସି ଢେର ସମୟ ପର୍ଯ୍ୟନ୍ତ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା।

ମୁଖ୍ୟ ପର୍ଯ୍ୟାୟ ଲାଗି ଅଧିକ ପ୍ରଚାର ପ୍ରସାର କରାଯିବ

ଫେବ୍ରୁଆରି ୨୫ ତାରିଖରେ ଅନୁଷ୍ଠିତ ଆଇଏସ୍‌ଏଲ୍‌ ମ୍ୟାଚ୍‌ରେ କଳିଙ୍ଗ ଷ୍ଟାଡିୟମ୍‌ ପୂରି ନଥିଲା। ୧୨ ହଜାର କ୍ଷମତା ଥିଲା ବେଳେ ପାଖା ପାଖି ୮,୮୦୦ ଦର୍ଶକ ମ୍ୟାଚ୍‌ ଦେଖିବାକୁ ଆସିଥିଲେ। ସୁପର କପ୍‌ ଯୋଗ୍ୟତା ପର୍ଯ୍ୟାୟରେ ମଧ୍ୟ ଏହି ସ୍ଥିତି ଜାରି ରହିବାର ଆଶଙ୍କା ଅଧିକ। ତେବେ ମୁଖ୍ୟ ପର୍ଯ୍ୟାୟ ପୂର୍ବରୁ ପ୍ରତିଯୋଗିତା ଲାଗି ଜୋର୍‌ଦାର ପ୍ରଚାର ପ୍ରସାର କରାଯିବ। ଯେମିତି ଷ୍ଟାଡିୟମ ପୂରା ଭର୍ତିହେବ ସେ ଦିଗରେ ଧ୍ୟାନ ଦିଆଯିବ। ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ସଚିବ ବିଶାଲ କୁମାର ଦେବ ଏହା କହିଥିଲେ। ଏସୀୟ ଦୌଡ଼କୁଦ ଲାଗି ଆମକୁ ୯୦ ଦିନର ଡେଡ୍‌ ଲାଇନ୍‌ ମିଳିଥିଲା। ସୁପରକପ୍‌ ଯୋଗ୍ୟତା ପର୍ଯ୍ୟାୟ ଲାଗି ମାତ୍ର ୩-୪ ଦିନ ମିଳିଛି। ହେଲେ ମୁଖ୍ୟ ପର୍ଯ୍ୟାୟ ଲାଗି ଆମେ ତୁଳନାତ୍ମକ ଭାବେ ଅଧିକ ପ୍ରଚାର ପ୍ରସାର କରିବୁ। ଏହି ଦିଗରେ ସ୍ଥାନୀୟ ଗଣମାଧ୍ୟମ ନିର୍ଣ୍ଣାୟକ ଭୂମିକା ନେଇ ପାରିବ ବୋଲି ଶ୍ରୀ ଦେବ କହିଥିଲେ।

ଆଗକୁ ମିଶ୍ରଣ ପର୍ବ

ସର୍ବଭାରତୀୟ ଫୁଟ୍‌ବଲ୍‌ ମହାସଂଘ ଫେଡେରସନ୍‌ କପ୍‌କୁ ବନ୍ଦ କରି ସୁପର କପ୍‌ର ଆରମ୍ଭ କରିଛି। ଏଥିରେ ଆଇଲିଗ୍‌ ଏବଂ ଆଇଏସ୍‌ଏଲ୍‌ର ଦଳ ଅଂଶ ଗ୍ରହଣ କରୁଛନ୍ତି। ଆଗକୁ କିନ୍ତୁ ଉଭୟ ଲିଗକୁ ମିଶାଇ ଗୋଟିଏ ଲିଗ୍‌ ଆୟୋଜନ କରିବାକୁ ଏଆଇ୍‌ଏଫ୍‌ଏଫ୍‌ ଲକ୍ଷ୍ୟ ରଖିଛି। ଏଆଇଏଫ୍‌ଏଫ୍‌ ଏଜିଏସ୍‌ ଅନିଲ କାମତ ମଧ୍ୟ ବୁଧବାର ଏହି ସୂଚନା ଦେଇଛନ୍ତି। ଏମିତି ଏକ ପ୍ରସ୍ତାବ ମିଳିଛି। ଆମେ ଏହି ଦିଗରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରଖିଛୁ। ହେଲେ ଏ ପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆ ଯାଇ ନାହିଁ ବୋଲି ସେ ଗୁରୁବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଥିଲେ। ତେବେ ପ୍ରତିଯୋଗିତାର ଫର୍ମାଟ୍‌ ନେଇ କେତେକ ଆଇଲିଗ୍‌ ଦଳର ମାଲିକ ଅସନ୍ତୋଷ ଜାହିର କରିଥିଲା ବେଳେ ଏହି ବିଷୟରେ ସେ ଏକପ୍ରକାର ଚୁପ୍‌ ରହିଥିଲେ। ଏହା ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କିନ୍ତୁ କେତେକ ଦଳର ପ୍ରଶିକ୍ଷକ ପ୍ରତିଯୋଗିତାର ଉପାଦେୟତା ନେଇ ସଂଶୟ ପ୍ରକାଶ କରିଥିଲେ। ବିଶେଷ କରି ଏହି ପ୍ରତିଯୋଗିତାକୁ ଏଏଫ୍‌ସି କପ୍‌ ଲାଗି ଯୋଗ୍ୟତା ଅର୍ଜନ କରିବାର ବ୍ୟବସ୍ଥା ନଥିବାରୁ ପରୋକ୍ଷରେ ସେମାନେ ଏହାର ଆବଶ୍ୟକତା ନେଇ ପ୍ରଶ୍ନ ଉଠାଇଥିଲେ।

ଆଇଲିଗ୍‌ ଓ ଆଇଏସ୍‌ଏଲ୍‌ ବିଜେତାଙ୍କୁ ଏଏଫ୍‌ସି ସୁଯୋଗ

ଦେଶର ଦୁଇଟି ପ୍ରତିଷ୍ଠିତ ପେସାଦାର ଫୁଟବଲ୍‌ ପ୍ରତିଯୋଗିତା ଆଇଲିଗ୍‌ ଏବଂ ଆଇଏସ୍‌ଏଲର ବିଜେତା ଦଳକୁ ଏଏଫ୍‌ସି ସୁଯୋଗ ମିଳିବ। ଆଇଲିଗ୍‌ ବିଜେତା ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍‌ ଯୋଗ୍ୟତା ପର୍ଯ୍ୟାୟ ଖେଳିବାର ସୁଯୋଗ ପାଇବ। ସେହିଭଳି ଆଇଏସ୍‌ଏଲ୍‌ ବିଜେତା ଏଏଫ୍‌ସି କପ୍‌ରେ ଅଂଶ ଗ୍ରହଣର ସୁଯୋଗ ପାଇବ। ବୁଧବାର ଫୁଟ୍‌ବଲ୍‌ ଆସୋସିଏସନ୍‌ ଅଫ୍‌ ଓଡ଼ିଶା ଏଆଇଏଫ୍‌ଏଫ୍‌ର ଅନୁମୋଦନ ପରେ ଏହି ସୂଚନା ଦେଇଛି। ଯାହା ଭାରତୀୟ ଫୁଟବଲ୍‌ ପାଇଁ ଏକ ବଡ଼ ଏବଂ ଶୁଭଙ୍କର ଖବର ହୋଇଛି। ସେପଟେ ଗୁରୁବାରର ସୁପର କପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ନେଇ ଦିଲ୍ଲୀ ଡାଇନାମସ୍‌ ଏବଂ ନର୍ଥ ଇଷ୍ଟ ୟୁନାଇଟେଡ୍‌ ଦଳ ବେଶ୍‌ ଉତ୍ସାହିତ ଥିବା ଜଣାପଡ଼ିଛି। ଆମେ ଗୋକୁଳମ୍‌ କେରଳାକୁ ମୁକାବିଲା କରିବା ଲାଗି ପୂରା ପ୍ରସ୍ତୁତ ବୋଲି କଳିଙ୍ଗ ଷ୍ଟାଡିୟମରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରି ନର୍ଥ ଇଷ୍ଟ ୟୁନାଇଟେଡର ପ୍ରଶିକ୍ଷକ ଅଭରାମ ଗ୍ରାଣ୍ଟ କହିଛନ୍ତି। ଚଳିତ ବର୍ଷ ଦିଲ୍ଲୀକୁ ମିଶ୍ର ଫଳ ମିଳିଥିଲା। ତଥାପି ଆମେ ଚର୍ଚିଲ ବ୍ରଦର୍ସ ବିପକ୍ଷରେ ନିଶ୍ଚିତ ଭଲ କରିବୁ ବୋଲି ଏହି ଅବସରରେ ଧୃଢ଼ୋକ୍ତି ପ୍ରକାଶ କରିଥିଲେ ଦିଲ୍ଲୀ ଡାଇନାମସର ସହାକରୀ ପ୍ରଶିକ୍ଷକ ଶକ୍ତି ଚୌହ୍ଵାନ।

ସମ୍ବନ୍ଧିତ ଖବର