ନୂଆଦିଲ୍ଲୀ : ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନୱେଙ୍କ ଶତକୀୟ ଭାଗୀଦାରି ପରେ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁଁ ଚେନ୍ନାଇ ସୁପରକିଙ୍ଗ୍ସ ୭୭ ରନ୍ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଦ୍ବିତୀୟ ଦଳ ଭାବେ ପ୍ଲେ ଅଫ୍ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଚେନ୍ନାଇ ୨୨୩/୩ ସ୍କୋର କରିଥିଲା ବେଳେ ଦିଲ୍ଲୀ ୧୪୬/୯ରେ ଅଟକିଯାଇଥିଲା। ଦିଲ୍ଲୀ ମୋଟ ୧୪ରୁ ୯ ମ୍ୟାଚ୍ ହାରି ଅଭିଯାନ ଶେଷ କରିଛି। ଗାଏକ୍ବାଡଙ୍କୁ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ଷୋଡ଼ଶ ସଂସ୍କରଣ ମଧ୍ୟରୁ ୧୨ ଥର ପ୍ଲେ ଅଫ୍ରେ ପ୍ରବେଶ କରିଥିବା ଚେନ୍ନାଇ ମଙ୍ଗଳବାର ପ୍ରଥମ କ୍ବାଲିଫାୟାରରେ ଗୁଜରାଟ ଟାଇଟନ୍ସକୁ ଭେଟିବ।
ପ୍ଲେ ଅଫ୍ ପାଇଁ ଏହି ନିର୍ଣ୍ଣାୟକ ମୁକାବିଲାରେ ମହେନ୍ଦ୍ର ସିଂହ ଧୋନି ଟସ୍ ଜିତି ବ୍ୟାଟିଂ ନେଇଥିଲେ। ଗାଏକ୍ବାଡ ଓ କନୱେ ପାୱାରପ୍ଲେ ମଧ୍ୟରେ ୫୨ ରନ୍ ସଂଗ୍ରହ କରିଥିଲା ବେଳେ ପ୍ରଥମ ୱିକେଟ୍ରେ ୧୪୧ ରନ୍ ଯୋଡ଼ିଥିଲେ। ଚଳିତ ଆଇପିଏଲ୍ରେ ଗାଏକ୍ବାଡ ତୃତୀୟ ଅର୍ଦ୍ଧଶତକ ଅର୍ଜନ କରି ଶତକ ଆଡ଼କୁ ଅଗ୍ରସର ହେଉଥିଲା ବେଳେ ଚେତନ ସାକାରିୟାଙ୍କ ଧିମା ବଲ୍କୁ ପରଖିବାରେ ବିଫଳ ହେବାରୁ ନିଜ ୱିକେଟ୍ ହରାଇଥିଲେ। ଶିବମ ଦୁବେଙ୍କୁ ସାଥୀ କରି କନୱେ ଦ୍ବିତୀୟ ୱିକେଟ୍ରେ ୫୪ ରନ୍ ଉଠାଇ ଦଳକୁ ଦ୍ବିଶତକର ନିକଟତର କରାଇଥିଲେ। କିନ୍ତୁ ତିନିଟି ବଲ୍ ବ୍ୟବଧାନରେ ଉଭୟ ଆଉଟ୍ ହେବାରୁ ରବୀନ୍ଦ୍ର ଜାଦେଜା ଶେଷ ୨ ଓଭର ମଧ୍ୟରେ ୭ ବଲ୍ରୁ ଦ୍ରୁତ ୨୦ ରନ୍ ସଂଗ୍ରହ କରିଥିଲେ। ଧୋନି ପ୍ରଥମ ଥର ଚତୁର୍ଥ ସ୍ଥାନରେ ବ୍ୟାଟିଂକୁ ଆସି ୫* ରନ୍ରେ ଅପରାଜିତ ରହିଥିଲେ। ଚେନ୍ନାଇ ପାଇଁ ଚଳିତ ଆଇପିଏଲ୍ରେ ଏହା ପଞ୍ଚମ ଦ୍ବିଶତକୀୟ ସ୍କୋର ହୋଇଥିଲା।
ବିଜୟ ଲକ୍ଷ୍ୟକୁ ପିଛା କରିବାକୁ ଯାଇ ଦିଲ୍ଲୀ ନିୟମିତ ଅନ୍ତରାଳରେ ୱିକେଟ୍ ହରାଇଥିଲା। କେବଳ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କୁ ଛାଡ଼ିଦେଲେ ଅନ୍ୟସମସ୍ତେ ଚେନ୍ନାଇ ବୋଲରଙ୍କୁ ସାମ୍ନା କରିବାକୁ ସଂଘର୍ଷ କରିଥିଲେ। ୱାର୍ଣ୍ଣର ଗୋଟିଏ ପଟରୁ ପାଳିକୁ ସମ୍ଭାଳିବା ସହ ଚଳିତ ଆଇପିଏଲ୍ର ଶ୍ରେଷ୍ଠ ସ୍କୋର କରିଥିଲେ। ଶତକରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ମୋଟ୍ ୫୧୬ ରନ୍ କରି ଚଳିତ ଆଇପିଏଲ୍ରୁ ବିଦାୟ ନେଇଥିଲେ। ୱାର୍ଣ୍ଣରଙ୍କ ବ୍ୟତୀତ ୟାଶ ଧୂଲ ଓ ଅକ୍ଷର ପଟେଲ ଦୁଇ ଅଙ୍କ ସ୍କୋର କରିପାରିଥିଲେ। ଚେନ୍ନାଇ ବୋଲରଙ୍କ ମଧ୍ୟରେ କେବଳ ରବୀନ୍ଦ୍ର ଜାଦେଜାଙ୍କୁ ଛାଡ଼ିଦେଲେ ଅନ୍ୟମାନଙ୍କ ଇକୋନୋମି ୬.୦୦ ପାଖାପାଖି ରହିଥିଲା।