କିଙ୍ଗ୍‌ସକୁ ହରାଇଲା ସୁପର୍‌ କିଙ୍ଗ୍‌ସ, ଚେନ୍ନାଇର ଚତୁର୍ଥ ବିଜୟ

ଚେନ୍ନାଇ: ଆଇପିଏଲ୍‌ର ଅଷ୍ଟାଦଶ ମ୍ୟାଚ୍‌ରେ ଶନିବାର କିଙ୍ଗ୍‌ସ ଇଲେଭେନ୍ ପଞ୍ଜାବକୁ ଘରୋଇ ପରିବେଶରେ ଚେନ୍ନାଇ ସୁପର୍ କିଙ୍ଗ୍‌ସ ୨୨ ରନ୍‌ରେ ହରାଇ ପୁଣି ବିଜୟ ଧାରାକୁ ଫେରିଛି। ଚେନ୍ନାଇର ୧୬୦ ରନ୍ ଜବାବରେ ପଞ୍ଜାବ ୧୩୮/୫ରେ ସୀମିତ ରହିଯିବାରୁ ଧୋନିଙ୍କ ଦଳ ପଞ୍ଚମ ମ୍ୟାଚ୍‌ରୁ ଚତୁର୍ଥ ବିଜୟ ହାସଲ କରିଛି। ଅନ୍ୟପକ୍ଷରେ ପଞ୍ଜାବ ପଞ୍ଚମ ମ୍ୟାଚ୍‌ରୁ ଦ୍ବିତୀୟ ପରାଜୟ ହାସଲ କରିଛି। ଚେନ୍ନାଇର ଚେପକ୍‌ସ୍ଥିତ ଏମଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଶନିବାର ଟସ୍ ଜିତି ବ୍ୟାଟିଂ କରିଥିବା ଚେନ୍ନାଇ ପାଇଁ ସେନ୍ ୱାଟସନ୍‌ (୨୬, ୨୪ ବଲ୍‌, ୩ ଚୌକା, ୧ ଛକା) ଏବଂ ଫାପ୍ ଡୁ‌ ପ୍ଲେସିସ୍‌ (୫୪, ୩୮ ବଲ୍‌, ୨ ଚୌକା, ୪ ଛକା) ଭଲ ଆରମ୍ଭ କରିଥିଲେ। ଉଭୟଙ୍କ ୱିକେଟ୍ ନେବା ପରେ ସୁରେଶ ରାଇନା (୧୭, ୨୦ ବଲ୍‌, ୧ ଚୌକା)ଙ୍କୁ ରବିଚନ୍ଦ୍ରନ ଅଶ୍ବିନ୍ ତୃ୍ତୀୟ ଶିକାର କରିଥିଲେ। ଏହା ପରେ ମହେନ୍ଦ୍ର ସିଂହ ଧୋନି (୩୭*, ୨୩ ବଲ୍‌, ୪‌ ଚୌକା, ୧ ଛକା) ଏବଂ ଅମ୍ବାତି ରାୟୁଡୁ (୨୧*, ୧୫ ବଲ୍‌, ୧ ଚୌକା, ୧ ଛକା) ଦଳକୁ ଲଢ଼ୁଆ ସ୍କୋର୍ ପ୍ରଦାନରେ ସହାୟକ ହୋଇଥିଲେ।

ଜବାବରେ ହରଭଜନ ସିଂହ ନିଜ ପ୍ରଥମ ଓଭରରେ କ୍ରିସ୍ ଗେଲ୍‌ (୫, ୭ ବଲ୍‌) ଏବଂ ମୟଙ୍କ ଅଗ୍ରୱାଲ (୦)ଙ୍କ ୱିକେଟ୍ ନେଇ ଚହଳ ପକାଇ ଦେଇଥିଲେ। ଏହି ସମୟରେ ଏକାଠି ହୋଇଥିବା ଲୋକେଶ ରାହୁଲ (୫୫, ୪୭ ବଲ୍‌, ୩ ଚୌକା, ୧ ଛକା) ଏବଂ ସର୍ଫରାଜ ଖାନ୍‌ (୬୭, ୫୯ ବଲ୍‌, ୪‌ ଚୌକା, ୨ ଛକା) ୧୫.୩ ଓଭରରେ ୧୧୦ ରନ୍ ଯୋଡ଼ିଥିଲେ ମଧ୍ୟ ଉଭୟଙ୍କ ଷ୍ଟ୍ରାଇକ୍ ରେଟ୍ ଦଳ ପରାଜୟର କାରଣ ସାଜିଥିଲା। ଉଭୟ ଯୋଜନାହୀନ ବ୍ୟାଟିଂ କରିବାରୁ ଆଇପିଏଲ୍‌ ମଧ୍ୟ ଏକ ଖରାପ ପଶ୍ଚାତଧାବନ ଦେଖିଥିଲା। ହରଭଜନ ସିଂହ (୪-୧-୧୭-୨) ସବୁଠୁ ମିତ୍ତବ୍ୟୟୀ ବୋଲିଂ କରିଥିଲେ। ପ୍ରଥମ ମ୍ୟାଚ୍‌ ଖେଳିଥିବା ନ୍ୟୁଜିଲାଣ୍ଡ୍‌ ଦ୍ରୁତ ବୋଲର ସ୍କଟ୍‌ କଗଲିନ୍‌ (୪-୦-୩୭-୨) ମହଙ୍ଗା ସାବ୍ୟସ୍ତ ହୋଇଥିଲେ ମଧ୍ୟ ଅନ୍ୟତମ ସଫଳ ବୋଲର ଥିଲେ। ପଦାର୍ପଣରେ ସେ ପକାଇଥିବା ପ୍ରଥମ ବଲ୍‌କୁ ସର୍ଫରାଜ ଛକା ମାରିବାର ଆଲୋଡ଼ା କୀର୍ତିମାନ ବି ପାଇଥିଲେ। ପୂର୍ବରୁ ଆଇପିଏଲ୍‌ରେ ୧୨ ଜଣ ବୋଲର ନିଜ ପ୍ରଥମ ବଲ୍‌ରେ ଛକାର ଶିକାର ହୋଇଥିଲେ। ହରଭଜନ ସିଂହ ଏକମାତ୍ର ବୋଲର ଯିଏ ନିଜର ପ୍ରଥମ ଦୁଇ ବଲ୍‌ରେ ଛକା ବ୍ୟୟ କରିଥିଲେ। ରସ ଟେଲର ହିଁ ତାଙ୍କୁ ଏହି ଦଶା ଦେଇଥିଲେ। ଶନିବାର କିନ୍ତୁ ହରଭଜନ ଏହି ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସଂକ୍ଷିପ୍ତ ସ୍କୋର: ଚେନ୍ନାଇ ସୁପର୍ କିଙ୍ଗ୍ସ ୨୦ ଓଭରରେ ୧୬୦/୩ (ଫାପ୍ ଡୁ ପ୍ଲେସିସ୍‌-୫୪, ମହେନ୍ଦ୍ର ସିଂହ ଧୋନି-୩୭*, ଅମ୍ବାତି ରାୟୁଡୁ-୨୧*, ଆର୍ ଅଶ୍ବିନ୍‌-୩/୨୩)। କିଙ୍ଗସ ଇଲେଭେନ୍ ପଞ୍ଜାବ ୨୦ ଓଭରରେ ୧୩୮/୫ (ସର୍ଫରାଜ ଖାନ୍‌-୬୭, ଲୋକେଶ ରାହୁଲ-୫୫, ହରଭଜନ ସିଂହ-୨/୧୭, ସ୍କଟ୍ କଗଲେନ୍‌-୨/୩୭, ଦୀପକ ଚହର-୧/୪୦)।

ସମ୍ବନ୍ଧିତ ଖବର