ଚେନ୍ନାଇ: ଗ୍ରୁପ୍ ଟପ୍ପର ତଥା ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସକୁ ୧୫ ରନ୍‌ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍‌ରେ ପ୍ରବେଶ କରିଛି। ଏଥି ସହ ପଞ୍ଚମ ଆଇପିଏଲ୍‌ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି।

Advertisment

ମଙ୍ଗଳବାର ଚେନ୍ନାଇର ଚେପକ୍ ଷ୍ଟାଡ଼ିୟମ୍‌ରେ ଖେଳାଯାଇଥିବା କ୍ବାଲିଫାୟାର୍-୧ରେ ମାହି ସେନା ଦଳଗତ ପ୍ରଦର୍ଶନ ବଳରେ ଦ୍ବିତୀୟ ସ‌ୁଯୋଗକୁ ଅପେକ୍ଷା ନ କରି ସିଧାସଳଖ ଟ୍ରଫି ଟକ୍କରରେ ପହଞ୍ଚିଯାଇଛି। ଋତୁରାଜ ଗାଏକ୍ବାଡ ଓ ଡେଭନ୍ କନୱେଙ୍କ ଦୃଢ଼ ମୂଳଦୁଆ ସତ୍ତ୍ବେ ସଂଘର୍ଷ କରିଥିବା ସିଏସ୍‌କେ ୧୭୨ ରନ୍‌ କରି ନେଇଥିଲା। ଜବାବରେ କୌଣସି ସମୟରେ ସୁଯୋଗକୁ ହାତେଇ ନପାରି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ସମସ୍ତ ୱିକେଟ୍ ହରାଇ ୧୫୭ ରନ୍‌ କରିପାରିଥିଲା। ଚେନ୍ନାଇର ପ୍ରତି ବୋଲର ଦୀପକ ଚହର, ତୁଷାର ଦେଣପାଣ୍ଡେ, ମାଥିଶା ପଥିରଣା, ରବୀନ୍ଦ୍ର ଜାଦେଜା, ମହେଶ ତୀକ୍ଷଣା ୱିକେଟ୍ ବାଣ୍ଟି ନେଇଥିଲେ। ମ୍ୟାଚ୍‌ର ଅଷ୍ଟାଦଶ ଓଭରରେ ବଦଳ ଖେଳାଳି ଭାବେ ପଡ଼ିଆକୁ ଆସିଥିବା ଓଡ଼ିଶାର  ଶୁଭ୍ରାଂଶୁ ସେନାପତି ମିଡ୍‌ ଅଫ୍‌ରୁ ଫିଙ୍ଗିଥିବା ଏକ ଥ୍ରୋରେ ଦର୍ଶନ ନଲକାଣ୍ଡେ ରନ୍‌ ଆଉଟ୍‌ ହେବା ମଧ୍ୟ ନିର୍ଣ୍ଣାୟକ ହୋଇଥିଲା। ଏହି ଥ୍ରୋ ଲାଗି ସେ ପ୍ରଶଂସାର ପାତ୍ର ହୋଇଥିଲେ।

ଗୁଜରାଟ ପାଇଁ କେବଳ ଶୁବମନ ଗିଲ୍‌ ଲଢ଼ିଥିବା ବେଳେ ୪୨ ରନ୍‌ର ସର୍ବାଧିକ ପାଳି ଖେଳିଥିଲେ। ଶେ‌ଷ ଭାଗରେ ରସିଦ୍ ଖାନ କିଛି ଦର୍ଶନୀୟ ସଟ୍ ‌‌‌ଖେଳି ୩୦ ରନ୍ କରିଥିଲେ ମଧ୍ୟ ଏହା ଯଥେଷ୍ଟ ହୋଇନଥିଲା। ଏଥି ସହିତ ଗତବର୍ଷ ନବମ ସ୍ଥାନରେ ରହିଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ଏଥର ପ୍ରଥମ ଦଳ ଭାବେ ଫାଇନାଲ୍ ଉଠି ସମସ୍ତଙ୍କୁ ଚକିତ କରିଛି। ପରାଜୟ ସତ୍ତ୍ବେ ଏକ ନମ୍ବର ସ୍ଥାନରେ ରହି ପ୍ଲେ ଅଫ୍ ଆସିଥିବାରୁ ହାର୍ଦିକ ପାଣ୍ଡ୍ୟାଙ୍କ ଦଳକୁ ଫାଇନାଲ୍ ପ୍ରବେଶ ଲାଗି ଆଉ ଗୋଟିଏ ସୁଯୋଗ ମିଳିବ। ବୁଧବାର ଏଲିମିନେଟର୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଲକ୍ଷ୍ନୌ ସୁପର୍ ଜାଏଣ୍ଟସର ମୁକାବିଲା ହେବ। ଏହି ଦଳର ବିଜେତା ସହ ଶୁକ୍ରବାର କ୍ବାଲିଫାୟାର-୨ରେ ଖେଳିବ ଗୁଜରାଟ ଟାଇଟନ୍ସ। ସେଦିନର ବିଜେତା ଦଳ ରବିବାର ଚେନ୍ନାଇ ସୁପର୍ କିଙ୍ଗ୍ସ ସହ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ୍‌ରେ ଫାଇନାଲ୍ ଖେଳିବ।

ଚେନ୍ନାଇର ଏମ୍‌ଏ ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଦଳ। ଚେନ୍ନାଇ ପୁଣି ଥରେ ଅପରିବର୍ତ୍ତିତ ଦଳକୁ ନେଇ ପଡ଼ିଆକୁ ଓହ୍ଲାଇଥିଲା ବେଳେ ଋତୁରାଜ ଗାଏକ୍ବାଡ ଓ ଡେଭନ କନୱେ ରକ୍ଷଣାତ୍ମକ ଖେଳିଥିଲେ। ପାୱାରପ୍ଲେରୁ ୪୯ ରନ୍‌ ସଂଗ୍ରହ କରିବା ପରେ ପ୍ରଥମ ୱିକେଟ୍‌ରେ ଏହି ଯୋଡ଼ି ୮୭ ରନ୍‌ ଉଠାଇଥିଲେ। ଦ୍ବିତୀୟ ଓଭରରେ ଜୀବନଦାନ ପାଇଥିବା ଗାଏକ୍ବାଡ ଏହାର ଫାଇଦା ଉଠାଇ ଅର୍ଦ୍ଧଶତକ ଅର୍ଜନ କରିଥିଲେ। ‌୪୪ ବଲ୍‌ରୁ ୬୦ ରନ୍‌ (୭ ଚୌକା, ୧ଛକା) ସଂଗ୍ରହ କରିଥିବା ଗାଏକ୍ବାଡଙ୍କୁ ମୋହିତ ଶର୍ମା ଆଉଟ୍‌ କରି ଯୋଡ଼ି ଭାଙ୍ଗିଥିଲେ। ଏହାପରଠୁ ସିଏସ୍‌କେ ନିୟମିତ ଅନ୍ତରାଳରେ ୱିକେଟ୍‌ ହରାଇ ଚାଲିଥିଲା। କନୱେ ପାଳିର ଦ୍ବିତୀୟ ସର୍ବାଧିକ ସ୍କୋରର ଭାବେ ୪୦ ରନ୍‌ କରିଥିଲେ। ରବୀନ୍ଦ୍ର ଜାଦେଜା (୨୨) ଅଧିକ ବାଉଣ୍ଡରି ମାରିପାରନଥିଲେ ମଧ୍ୟ ଦଳକୁ ସମ୍ମାନ ଜନକ ସ୍ଥିତିରେ ପହଞ୍ଚାଇଥିଲେ। ପର୍ପଲ କ୍ୟାପ୍‌ ଦୌଡ଼ରେ ସବୁଠୁ ଆଗରେ ଥିବା ସାମି ଓ ମୋହିତ ଶର୍ମା ୨ ୱିକେଟ୍‌ ଲେଖାଏଁ ନେଇଥିଲେ।