ସାଣ୍ଟିଆଗୋ (ଚିଲି),: ଭାରତୀୟ ବାଳିକା ହକି ଦଳ ଚିଲି ଗସ୍ତରେ ଚମତ୍କାର ପ୍ରଦର୍ଶନ କରିଛି। ଏଠାକାର କନିଷ୍ଠ ଦଳ ବିପକ୍ଷ ଦୁଇ ମ୍ୟାଚ୍ ଜିତିବା ପରେ ବରିଷ୍ଠ ଦଳ ବିପକ୍ଷରେ ୩ ବିଜୟ ଓ ୧ ଅମୀମାଂସିତ ରଖି ଭାରତ ଅପରାଜେୟ ରହି ଏହି ଗସ୍ତ ଶେଷ କରିଛି। ଗସ୍ତରେ ଭାରତ ୬ ମ୍ୟାଚ୍ ଖେଳି ୫-୦ରେ ଅଭିଯାନ ଶେଷ କରିଛି। ସୋମବାର ପ୍ରିନ୍ସ ଅଫ୍ ୱେଲ୍ସ କାଉଣ୍ଟି କ୍ଲବ୍ରେ ଖେଳାଯାଇଥିବା ଚିଲିର ବରିଷ୍ଠ ଦଳ ବିପକ୍ଷ ଏହି ଗସ୍ତର ଶେଷ ମ୍ୟାଚ୍କୁ ଭାରତୀୟ କନିଷ୍ଠ ଦଳ ୨-୧ ଗୋଲ୍ରେ ଜିତି ନେଇଥିଲା।
ବିଉଟି ଡୁଙ୍ଗଡୁଙ୍ଗଙ୍କ ଯୁଗଳ ଗୋଲ୍ ବଳରେ ଭାରତ ଏହି ବିଜୟ ପାଇଥିଲା। ମ୍ୟାଚ୍ର ଷଷ୍ଠ ମିନିଟ୍ରେ ବିଉଟି ଗୋଲ୍ ଦେଇ ଘରୋଇ ଦଳ ଉପରେ ପ୍ରାରମ୍ଭିକ ଚାପ ପକାଇଥିଲେ। ପ୍ରଥମ କ୍ବାର୍ଟରରେ ଭାରତ ୧-୦ରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟରରେ ଭାରତକୁ ମିଳିଥିବା ପେନାଲ୍ଟି କର୍ଣ୍ଣରକୁ ବିଉଟି (୨୬ ମିନିଟ୍) ଗୋଲ୍ରେ ପରିଣତ କରି ଦଳକୁ ୨-୦ରେ ଅଗ୍ରଣୀ ଦେଇଥିଲେ। ତୃତୀୟ କ୍ବାର୍ଟରରେ ଘରୋଇ ଦଳର ଫ୍ରାନ୍ସିସ୍କା ତାଲା (୪୦ ମିନିଟ୍) ଗୋଟିଏ ଗୋଲ୍ ଶୁଝି ବିଜୟ ବ୍ୟାବଧାନକୁ ଟିକେ କମାଇଥିଲେ। ହେଲେ ଚତୁର୍ଥ କ୍ବାର୍ଟର ଗୋଲ୍ ଶୂନ୍ୟ ରହିବାରୁ ଭାରତ ବିଜୟୀ ହୋଇଥିଲା।