ସାରଜା: ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍ ତୃତୀୟ ସଂସ୍କରଣର ପ୍ରଥମ ମୁକାବିଲାରେ ଭେଲୋସିଟି ଦଳ ସୁପରନୋଭାସ୍କୁ ୫ ୱିକେଟ୍ରେ ପରାସ୍ତ କରି ଆତ୍ମବିଶ୍ବାସର ସହ ଅଭିଯାନ ଆରମ୍ଭ କରିଛି। ବୁଧବାର ସୁପରନୋଭାସ୍ ଦୁଇଟି ମିନି ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଭେଲୋସିଟି ସମ୍ମୁଖରେ ମାତ୍ର ୧୨୭ ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଭେଲୋସିଟି ଖାତା ଖୋଲିବା ପୂର୍ବରୁ ତାରକା ବ୍ୟାଟର୍ ଓ ଟ୍ବେଣ୍ଟି-୨୦ରେ ଦୁଇଟି ଶତକ ଅର୍ଜନ କରିଥିବା ଡାନି ୱାତଙ୍କୁ ହରାଇବା ସତ୍ତ୍ବେ ୧୯.୫ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା। ସୁଷମା ବର୍ମା (୩୪), ସୁନ୍ ଲୁସ୍ଙ୍କ ଦାୟିତ୍ବବାନ ବ୍ୟାଟିଂ ବଳରେ ୫ ୱିକେଟ୍ର ସହଜ ବିଜୟ ହାସଲ କରିଥିଲା। ଲୁସ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଟସ୍ ଜିତି କ୍ଷେତ୍ରରକ୍ଷଣ କରିଥିବା ମିତାଲି ରାଜ୍ଙ୍କ ଭେଲୋସିଟି ଦଳ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସୁପରନୋଭାସ୍ ଉପରୁ ଚାପ ହଟିବାକୁ ଦେଇନଥିଲା। ବିଶେଷ କରି ପାୱାର ପ୍ଲେର ପ୍ରଥମ ୬ ଓଭରରେ ଏହି ଦଳର ବୋଲର ସୁପରନୋଭାସ୍ ବ୍ୟାଟରଙ୍କୁ ହାତଖୋଲା ସଟ୍ ଖେଳିବାର କ୍ବଚିତ ସୁଯୋଗ ଦେଇଥିଲେ। ହରମନପ୍ରୀତ କୌରଙ୍କ ସୁପରନୋଭାସ୍ ଦଳ ସେଥିପାଇଁ ପାୱାର ପ୍ଲେରେ ଗୋଟିଏ ୱିକେଟ୍ ହରାଇ ମାତ୍ର ୩୨ ରନ୍ କରି ପାରିଥିଲା। ଶ୍ରୀଲଙ୍କାର ଚାମରି ଆଟାପାଟ୍ଟୁ (୪୪ ରନ୍, ୩୯ ବଲ୍, ୨ ଚୌକା, ୨ ଛକା) ଏବଂ ଅଧିନାୟିକା ହରମନପ୍ରୀତ କୌର (୩୧ ରନ୍, ୨୭ ବଲ୍, ୧ ଚୌକା, ୨ ଛକା) ରନ୍ ଗତି ବଢ଼ାଇବାକୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ହେଲେ ଅନ୍ୟମାନଙ୍କଠାରୁ ଆବଶ୍ୟକ ସମର୍ଥନ ନମିଳିବାରୁ ଏହି ଲକ୍ଷ୍ୟ ପୂରଣ କରିପାରିନଥିଲେ।
ଭେଲୋସିଟି ବୋଲରମାନେ ଏମିତି ଚାପ ସୃଷ୍ଟି କରିଥିଲେ ଯେ ଶେଷ ୫ ଓଭରରେ ସୁପରନୋଭାସ୍ ମାତ୍ର ୨୪ ରନ୍ ଯୋଡ଼ି ପାରିଥିଲା। ପାଳିର ଶେଷ ଦୁଇ ବଲ୍ରେ ଏକତା ଲଗାତାର ଦୁଇଟି ୱିକେଟ୍ କରାୟତ୍ତ କରିଥିଲେ। ୨୨ ରନ୍ ଦେଇ ସେ ତିନିଟି ୱିକେଟ୍ ଅକ୍ତିଆର କରିଥିଲେ। ସୁପରନୋଭାସ୍ ପକ୍ଷରୁ ୪ ଜଣ ବ୍ୟାଟର୍ ଏକ ଅଙ୍କ ଆଗକୁ ବଢ଼ି ନପାରିବା ପରେ ଏହି ଦଳ ନିର୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୨୬ ରନ୍ କରିଥିଲା। ବାଂଲାଦେଶର ଜାହାନାରା ଆଲମ ଓ ନ୍ୟୁଜିଲାଣ୍ଡର ଲିଫ୍ କାସ୍ପେରେକ୍ ଦୁଇଟି ଲେଖାଏଁ ୱିକେଟ୍ ପାଇଥିଲେ। ଭେଲୋସିଟି ଦଳରେ ଓଡ଼ିଆ ସ୍ପିନର ସୁଶ୍ରୀ ଦିବ୍ୟଦର୍ଶିନୀ ସ୍ଥାନ ପାଇଥିଲେ ମଧ୍ୟ ବୁଧବାରର ଚୂଡ଼ାନ୍ତ ଏକାଦଶରେ ସେ ସ୍ଥାନ ପାଇ ନଥିଲେ।
ସଂକ୍ଷିପ୍ତ ସ୍କୋର: ସୁପରନୋଭାସ୍ ୨୦ ଓଭରରେ ୧୨୬/୭ (ଚାମରି ଆଟାପାଟ୍ଟୁ ୪୪, ହରମନପ୍ରୀତ କୌର ୩୧, ଶଶିକଳା ଶିରିବର୍ଦ୍ଧନେ ୧୮, ଏକତା ବିସ୍ତ ୩/୨୨, ଲିଫ୍ କାସ୍ପେରେକ୍ ୨/୨୩, ଜାହାନାରା ଆଲମ ୨/୨୭)। ଭେଲୋସିଟି ୧୯.୫ ଓଭରରେ ୧୨୯/୫ (ସୁନ୍ ଲୁସ୍ ୩୭*, ସୁଷମା ବର୍ମା ୩୪, ଭେଦ କୃଷ୍ଣମୂର୍ତ୍ତୀ ୨୯, ସେଫାଳି ବର୍ମା ୧୭, ଆୟାବଙ୍ଗା ଖାଖା ୨/୨୭)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/f654hs9f7h98sf798sfhsfhshffh.jpg)