ସାରଜା: ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍‌ର ଫାଇନାଲ୍‌ରେ ସୁପରନୋଭାସ୍ ଓ ଟ୍ରେଲବ୍ଲେଜର୍ସ ମୁହାଁମୁହିଁ ହେବେ। ଶନିବାରର କର ବା ମର ମ୍ୟାଚ୍‌ରେ ସୁପରନୋଭାସ୍ ରୋମାଞ୍ଚକର ଭାବେ ଟ୍ରେଲବ୍ଲେଜର୍ସକୁ ୨ ରନ୍‌ରେ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଥିଲା। ଅନ୍ୟପକ୍ଷରେ ପରାଜିତ ଟ୍ରେଲବ୍ଲେଜର୍ସ ନିଜ ପ୍ରଥମ ମ୍ୟାଚ୍‌ରେ ଏକତରଫା‌ ବିଜୟ ହାସଲ କରିଥିବାରୁ ଉନ୍ନତ ରନ୍ ରେଟ୍‌ ବଳରେ ପଏଣ୍ଟ୍‌ ତାଲିକାର ପ୍ରଥମ ସ୍ଥାନରେ ରହି ଟ୍ରଫି ଟକ୍କର ପାଇଁ ଟିକେଟ ହାସଲ କରିଥିଲା। ପ୍ରତିଯୋଗିତାର ତିନିଟି ଯାକ ଦଳ ସୁପରନୋଭାସ୍, ଟ୍ରେଲବ୍ଲେଜର୍ସ ଓ ଭେଲୋସିଟି ଦୁଇଟି ଲେଖାଏଁ ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏଁ ବିଜୟ ହାସଲ କରିଥି‌ଲେ। ତେବେ ସବୁଠାରୁ ଖରାପ ନେଟ୍ ରନ୍ ରେଟ୍ ପାଇଁ ମିତାଲି ରାଜ୍‌ଙ୍କ ନେତୃତ୍ବାଧୀନ ଭେଲୋସିଟି ବିଦାୟ ନେଇଥିଲା। ନିଜ ପ୍ରଥମ ମୁକାବିଲାରେ ସୁପରନୋଭାସ୍‌କୁ ହରାଇବା ପରେ ଟ୍ରେଲବ୍ଲେଜର ସମ୍ମୁଖରେ ମାତ୍ର ୪୭ ରନ୍‌‌ରେ ଅଲଆଉଟ୍ ହୋଇ ୯ ୱିକେଟ୍‌ରେ ପରାଜିତ ହେବା ଏହି ଦଳ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା।

Advertisment

ଶନିବାର ଟ୍ରେଲବ୍ଲେଜର୍ସ ସମ୍ମୁଖରେ ସୁପରନୋଭାସ୍ ୧୪୭ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଏହାର ଜବାବରେ ଟ୍ରେଲବ୍ଲେଜର୍ସ ୫ ୱିକେଟ୍ ବିନିମୟରେ ୧୪୪ ରନ୍ କରି ପାରିଥିଲା। ଶେଷ ଓଭରରୁ ବିଜୟ ପାଇଁ ୧୦ ରନ୍‌ ଦରକାର ଥିଲା ବେଳେ ସୁପରନୋଭାସ୍ ୭ ରନ୍ କରି ପାରିଥିଲା। ତା’ ସହ ଭେଲୋସିଟି ବିଦା‌ୟ ଏକ ପ୍ରକାର ନିଶ୍ଚିତ ହୋଇଯାଇଥିଲା। ସାର୍‌ଜା ଷ୍ଟାଡିୟମରେ ଖେଳା ଯାଇଥିବା ଏହି ମ୍ୟାଚ୍‌ରେ ସୁପରନୋଭାସ୍ ଟସ୍ ଜିତି ବ୍ୟାଟିଂ କରିଥିଲା। ପ୍ରାରମ୍ଭିକ ଯୋଡ଼ି ପ୍ରିୟା ପୁନିଆ (୩୦ ରନ୍, ୩୭ ବଲ୍, ୩ ଚୌକା) ଓ ଚାମରି ଆଟାପାଟ୍ଟୁ (୬୭ ରନ୍, ୪୮ ବଲ୍, ୫ ଚୌକା, ୪ ଛକା) ପ୍ରଥମ ୱିକେଟ୍‌ରେ ୮୯ ରନ୍ ଯୋଡ଼ି ଏହାକୁ ସାର୍ଥକ କରିଥିଲେ। ପ୍ରିୟା ଦାୟିତ୍ବବାନ ଓ ରକ୍ଷଣାତ୍ମକ ଖେଳ ଖେଳୁଥିଲା ବେଳେ ଆଟାପାଟ୍ଟୁ ବିସ୍ଫୋରକ ବ୍ୟାଟିଂ କରିଥିଲେ। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ଆଟାପାଟ୍ଟୁ ମାତ୍ର ୩୭ ବଲ୍‌ରୁ ୪ ଚୌକା ଓ ୩ ଛକା ବଳରେ ଜାଜ୍ଜୁଲ୍ୟମାନ ଅର୍ଧଶତକ ହାସଲ କରିଥିଲେ। ଏହା ସତ୍ତ୍ବେ ଶେଷ ୫ ଓଭରରେ ସୁପରନୋଭାସ୍ ଆଶାଜନକ ଭାବେ ରନ୍ ଗତି ବଢ଼ାଇ ପାରି ନଥିଲା। ଝୁଲଣ ଗୋସ୍ବାମୀଙ୍କ ନେତୃତ୍ବରେ ଟ୍ରେଲ‌୍‌ବ୍ଲେଜର୍ସ ବୋଲିଂ ବାହିନୀ ସଫଳ ପ୍ରତ୍ୟାବର୍ତ୍ତନ କରି ପ୍ରତିପକ୍ଷ ସୁପରନୋଭାସ୍‌କୁ ଦେଢ଼ ଶହ ରନ୍ ତଳେ ଅଟକାଇ ଦେଇଥିଲା। ଅନ୍ୟମାନଙ୍କ ମଧ୍ୟରେ ହରମନପ୍ରୀତ କୌର ୩୧ ରନ୍ କରିଥିଲେ। ପାୱାର ପ୍ଲେର ପ୍ରଥମ ୬ ଓଭରରେ ୫୦ ରନ୍ କରି ନେଇଥିବା ସୁପରନୋଭାସ୍ ୧୪ ଓଭରରେ ୧୦୦ ରନ୍ ପୂରଣ କରିଥିଲା। ତେବେ ୱିକେଟ୍ ହାତରେ ଥାଇ ମଧ୍ୟ ଶେଷ ୬ ଓଭରରୁ କେବଳ ୪୬ ରନ୍ ଅମଳ କରି ପାରିଥିଲା।

ସଂକ୍ଷିପ୍ତ ସ୍କୋର: ସୁପରନୋଭାସ୍ ୨୦ ଓଭରରେ ୧୪୬/୬ (ଚାମରି ଆଟାପାଟ୍ଟୁ ୬୭, ପ୍ରିୟା ପୁନିଆ ୩୦, ହରମନପ୍ରୀତ କୌର ୩୧, ଝୁଲଣ ଗୋସ୍ବାମୀ ୧/୧୭)। ଟ୍ରେଲବ୍ଲେଜର୍ସ ୨୦ ଓଭରରେ ୧୪୪/୫ (ଦୀପ୍ତି ଶର୍ମା ୪୩*, ସ୍ମୃତି ମନ୍ଧାନା ୩୩, ହରଲିନ୍ ଦିଓଲ ୨୭, ରାଧା ଯାଦବ ୨/୩୦, ସାକିରା ସେଲମନ୍ ୨/୩୧)।