ଜୟପୁର: ଭେଲୋସିଟିକୁ ୪ ୱିକେଟ୍ରେ ହରାଇ ସୁପରନୋଭାସ୍ ବିସିସିଆଇ ତରଫରୁ ଆଇପିଏଲ୍ ସହ ସମାନ୍ତରାଳ ଭାବେ ଆୟୋଜିତ ମହିଳା ଟ୍ବେଣ୍ଟି-୨୦ ଚ୍ୟାଲେଞ୍ଜ୍ ଟ୍ରଫି ଜିତି ନେଇଛି। ଭେଲୋସିଟି ଧାର୍ଯ୍ୟ କରିଥିବା ୧୨୨ ରନ୍ର ବିଜୟ ଲକ୍ଷ୍ୟକୁ ସୁପରନୋଭାସ୍ ଉତ୍କଣ୍ଠାପୂର୍ଣ୍ଣ ଭାବେ ଶେଷ ବଲ୍ରେ ହାସଲ କରି ନେଇଥିଲା। ଶନିବାର ସୁପରନୋଭାସ୍ ଏକଦା ୫ ୱିକେଟ୍ ବିନିମୟରେ ୧୧୫ ରନ୍ କରି ଦୃଢ଼ ସ୍ଥିତିରେ ଥିଲା। ଶେଷ ଓଭରରୁ ବିଜୟ ପାଇଁ ଏହି ଦଳକୁ ମାତ୍ର ୭ ରନ୍ର ଦରକାର ଥିଲା। ହେଲେ ଭେଲୋସିଟି ସ୍ପିନର ଆମେଲିଆ କେର୍ ପ୍ରଥମ ୪ ବଲ୍ରେ ମାତ୍ର ୪ ରନ୍ ଦେଇ ଗୋଟିଏ ୱିକେଟ୍ ଅକ୍ତିଆର କରିବା ପରେ ମ୍ୟାଚ୍ରେ ରୋମାଞ୍ଚ ଭରି ଯାଇଥିଲା। ଫଳରେ ଶେଷ ଦୁଇ ବଲ୍ରୁ ଭେଲୋସିଟିକୁ ବିଜୟ ପାଇଁ ୩ ରନ୍ କରିବାର ଥିଲା। ପଞ୍ଚମ ବଲ୍ରେ ୨ ରନ୍ ନେଇଥିବା ରାଧା ଯାଦବ ଶେଷ ବଲ୍କୁ ଚୌକା ମାରି ସୁପରନୋଭାସକୁ ଟ୍ରଫି ଉପହାର ଦେଇଥିଲେ। ଏହା ପୂର୍ବରୁ ଅଧିନାୟିକା ହରମନପ୍ରୀତ କୌର (୫୧ ରନ୍, ୩୭ ବଲ୍, ୪ ଚୌକା, ୩ ଛକା) ଅର୍ଧଶତକୀୟ ପାଳି ଖେଳି ସୁପରନୋଭାସ୍କୁ ବିଜୟ ଦ୍ବାର ଦେଶରେ ପହଞ୍ଚାଇ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରିୟା ପୁନିଆ ୨୯ ଓ ଜେମିମା ରୋଡ୍ରିଗ୍ବେଜ୍ ୨୨ ରନ୍ କରିଥିଲେ। ହରମନପ୍ରୀତ ମ୍ୟାଚ୍ ଏବଂ ରୋଡ୍ରିଗ୍ବେଜ୍ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ପୁରସ୍କାର ଲାଭ କରିଥିଲେ।
ଜୟପୁରର ସବାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସୁପରନୋଭାସ୍ ଟସ୍ ଜିତି ଭେଲୋସିଟିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଭୋଲୋସିଟି ମାତ୍ର ୧ ରନ୍ରେ ୨ ଏବଂ ୧୪ରେ ୩ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିଲା। ଅଭିଜ୍ଞ ଅଧିନାୟିକା ମିତାଲି ରାଜ୍ (୧୨) ମଧ୍ୟ ନିରାଶ କରିଥିଲେ। ତେବେ ସୁଷମା ବର୍ମା (୪୦* ରନ୍, ୩୨ ବଲ୍, ୩ ଚୌକା, ୧ ଛକା)ଙ୍କ ଦ୍ରୁତ ୪୦ ଏବଂ ଆମେଲିଆ କେରଙ୍କ ଉପଯୋଗୀ ୩୬ (୩୮ବଲ୍, ୪ ଚୌକା) ରନ୍ ବଳରେ ନିର୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୨୧ ରନ୍ କରିନେଇଥିଲା। ସୂଚନାଯୋଗ୍ୟ ଯେ ମହିଳା ଚ୍ୟାଲେଞ୍ଜର ଟ୍ବେଣ୍ଟି-୨୦ ଗତବର୍ଷଠାରୁ ଆରମ୍ଭ ହୋଇଛି। ଗତବର୍ଷ ଏହା ଦୁଇଟି ଦଳକୁ ନେଇ ଖେଳାଯାଇଥିଲା। ଚଳିତ ବର୍ଷ ଦଳ ସଂଖ୍ୟା ୩କୁ ବଢ଼ାଇ ଦିଆଯାଇଥିଲା। ପ୍ରଥମ ଥର ପାଇଁ ଭାଗ ନେଇଥିବା ଭୋଲୋସିଟି ଦଳରେ ଓଡ଼ିଶା ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ସ୍ଥାନ ପାଇ ଗୋଟିଏ ମ୍ୟାଚ୍ ଖେଳିଥିଲେ। ତୃତୀୟ ଦଳ ଟ୍ରେଲବ୍ଲେଜର୍ସ ଫାଇନାଲକୁ ଯାଇ ପାରି ନଥିଲା।
ସଂକ୍ଷିପ୍ତ ସ୍କୋର: ଭେଲୋସିଟି ୨୦ ଓଭରରେ ୧୨୧/୬ (ସୁଷମା ବର୍ମା ୪୦*, ଆମେଲିଆ କେର ୩୬, ମିତାଲି ରାଜ୍ ୧୨, ଲି’ ତାହିହୁ ୨/୨୧, ପୁନମ ଯାଦବ ୧/୧୮, ଅନୁଜା ପାଟିଲ ୧/୧୯)। ସୁପରନୋଭାସ୍ ୨୦ ଓଭରରେ ୧୨୫/୬ (ହରମନପ୍ରୀତ କୌର ୫୧, ପ୍ରିୟା ପୁନିଆ ୨୯, ଜେମିମା ରୋଡ୍ରିଗ୍ବେଜ୍ ୨୨, ଜାହାନାରା ଆଲାମ ୨/୨୧, ଆମେଲିଆ କେର ୨/୨୯)।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/05/Untitled-6-7.jpg)