ସୁପରୱାଲ୍‌ଙ୍କ ଆଦର୍ଶ ସ୍ପାଇଡର୍‌ମ୍ୟାନ୍‌

ନୂଆଦିଲ୍ଲୀ: ଭାରତୀୟ ଫୁଟ୍‌ବଲ୍‌ ଦଳର ଗୋଲ୍‌ରକ୍ଷକ ଗୁରପ୍ରୀତ୍‌ ସିଂହ ସାନ୍ଧୁ ଗୁରୁବାର କହିଛନ୍ତି ଯେ ‘ସ୍ପାଇଡର୍‌ମ୍ୟାନ୍‌ ସୁବ୍ରତ ପଲ୍‌’ ମୋ ଫୁଟ୍‌ବଲ୍‌ ଜୀବନର ଅନ୍ୟତମ ଆଦର୍ଶ ଖେଳାଳି। ଯୁବ ଖେଳାଳି ଭାବେ ଆସିଥିବା ବେ‌ଳେ ତାଙ୍କଠାରୁ ପଡିଆ ଭିତରେ ଓ ବାହାରେ ଅନେକ କିଛି ଶିଖିବାର ସୌଭାଗ୍ୟ ପାଇଥିଲି। ତାଲିମ ନେବା ବେଳେ ତାଙ୍କୁ ଦେଖିବା ଏବଂ ନିରୀକ୍ଷଣ କରିବାର ସୁଯୋଗ ପାଇଥିଲି। ସେଦିନ ଶିଖିଥିବା ତାଲିମ ମୁଁ ଆଜି ବି କରୁଛି। ତାଙ୍କୁ ହିଁ ସର୍ବଦା ଅନୁସରଣ କରି ଆସିଛି। ୨୦୧୧ ମସିହାର ଏଏଫ୍‌ସି‌ ଏସିଆନ୍ କପ୍‌ ଦଳରେ ମୁଁ ସର୍ବକନିଷ୍ଠ ଖେଳାଳି ଥିବାବେଳେ ଦେଖିଛି ଚମତ୍କାର ପ୍ରଦର୍ଶନ ହିଁ ତାଙ୍କୁ ‘ସ୍ପାଇଡର୍‌ମ୍ୟାନ୍‌’ ନାମକରଣ ଦେଇଥିଲା। ଜଣେ ବରିଷ୍ଠ ଖେଳାଳିଠାରୁ କିଭଳି ଶିଖିବାକୁ ହୁଏ ସୁବ୍ରତ ଭାଇ ଥିଲେ ଠିକଣା ଉଦାହରଣ।

୨୦୧୧ ମସିହାର ଏଏଫ୍‌ସି ଏସିଆନ୍ କପ୍‌ ଦଳରେ ଥିବା ବହୁ ଖେଳାଳି ଭାରତୀୟ ଫୁଟ୍‌ବଲ୍‌ର ବଡ଼ ନାମ ଭାବେ ଉଭା ହୋଇଛନ୍ତି। ସୁବ୍ରତ ଭାଇ ତାଙ୍କ ମଧ୍ୟରୁ ଅନ୍ୟତମ। ସେ ଅତି ଚମତ୍କାର, ମୁଁ ତାଙ୍କଠାରୁ ଯେତେ ସମ୍ଭବ ଶିଖିବାକୁ ଚେଷ୍ଟା କରିଥିଲି, ଆଜି ଯାହାବି ହୋଇଛି ତାଙ୍କ ପାଇଁ ହୋଇଛି। ବୈଷୟିକ ଦୃଷ୍ଟିକୋଣରୁ ସୁବ୍ରତ ଭାଇ ଭଲ ଥିଲେ, ବିଗତ ଦେଢ଼ ଦଶନ୍ଧି ଧରି ଉଦୀୟମାନ ଗୋଲ୍‌ରକ୍ଷକଙ୍କ ପାଇଁ ସେ ମଧ୍ୟ ଉଦାହରଣ ରଖିଯାଇଛନ୍ତି। ତାଙ୍କ ମାନସିକ ଦୃଢ଼ତା ସହିତ ଦଳ ପ୍ରତି ସଙ୍କଳ୍ପ ଓ ପ୍ରତିଜ୍ଞା ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ବୋଲି ଗୁରପ୍ରୀତ୍ ପ୍ରକାଶ କରିଥିଲେ।ଗୁରପ୍ରୀତ୍‌ଙ୍କ ମୁହଁରୁ ନିଜ ପ୍ରଶଂସା ଶୁଣି ସୁବ୍ରତ ପଲ୍‌ ମଧ୍ୟ ସ୍ମିତ ହସ ସହ ତାଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୁଁ ତାଙ୍କୁ ୨୦୧୧ ଏସିଆନ୍ କପ୍‌ଠାରୁ ଦେଖି ଆସିଛି। ସେଠାରେ ସେ ୨ ମାସ ମୋ ରୁମ୍‌ମେଟ୍‌ ଥିଲେ। ଗୁରପ୍ରୀତ୍‌ ଅଭ୍ୟାସ ସମୟରେ ଠକନ୍ତି ନାହିଁ କି କ୍ଲାନ୍ତ ହୁଅନ୍ତି ନାହିଁ। ତାଙ୍କ ଖେଳରେ ମୁଁ ମୋତେ ଦେଖିଛି ବୋଲି କହିଥିଲେ ସୁବ୍ରତ। ସୂଚନାଯୋଗ୍ୟ ଯେ ନିଜ ଗୋଲ୍‌ ରକ୍ଷଣ ଦକ୍ଷତା ପାଇଁ ଗୁରପ୍ରୀତଙ୍କୁ ସୁପରୱାଲ୍‌ ଉପାଧି ମିଳିଛି।

ସମ୍ବନ୍ଧିତ ଖବର