‘ବିଶ୍ବକପ୍ ଜିତି ବି ନିଯୁକ୍ତି ବ୍ୟବସ୍ଥାରୁ ବଞ୍ଚିତ’: ପାରାଆଥଲେଟ୍‌ଙ୍କୁ କ୍ୟାଭିର ଦୃଢ଼ ସମର୍ଥନ

ଭୁବନେଶ୍ବର: ସମାନ ସୁଯୋଗ ଏବଂ ସମାନ ଅଧିକାର ସହ ସାଧାରଣ କ୍ରୀଡ଼ାବିତ୍‌ଙ୍କ ଭଳି ପ୍ରଦର୍ଶନ ଭିତ୍ତିକ ନିଯୁକ୍ତି ବ୍ୟବସ୍ଥାରେ ସାମିଲ ହେବା ନେଇ ଓଡ଼ିଶା ପାରାପ୍ଲେୟାର୍ସ ଫୋରମ୍ ଚଳାଇଥିବା ଆନ୍ଦୋଳନକୁ କ୍ରିକେଟ୍ ଆସୋସିଏସନ୍ ଫର୍ ଦି ଭିଜୁଆଲି ଏମ୍ପାୟାର୍ଡ ଓଡ଼ିଶା (କ୍ୟାଭି) ଦୃଢ଼ ସମର୍ଥନ କରିଛି। ପାରା ଆଥ୍‌ଲେଟଙ୍କ ସହ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିଥିବା ରାଜ୍ୟର ୬ ଜଣ ଦୃଷ୍ଟିହୀନ କ୍ରିକେଟରଙ୍କୁ ମଧ୍ୟ ରାଜ୍ୟ ସରକାର କ୍ରୀଡ଼ାବିତ୍‌ମାନଙ୍କୁ ଦେଉଥିବା ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବାକୁ କ୍ୟାଭି ଦାବି କରିଛି। ସଂଘ ତରଫରୁ କୁହାଯାଇଛି ଯେ ସାଧାରଣ କ୍ରିକେଟର୍‌ଙ୍କୁ ରଣଜୀ ଖେଳିଲେ ଚାକିରି ମିଳିଯାଉଛି। ହେଲେ ଆମ ରାଜ୍ୟର ୬ ଖେଳାଳି ମହମ୍ମଦ ଜାଫର ଇକ୍‌ବାଲ, ସୁଖରାମ ମାଝୀ, ପଙ୍କଜ ଭୁଏ, ନକୁଳ ବଡ଼ନାୟକ, ଲିଙ୍ଗରାଜ ରାଉତରା ଓ କାଳିଆ ପ୍ରଧାନ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ଖେଳିବା ସତ୍ତ୍ବେ ଏହି ନିଯୁକ୍ତି ବ୍ୟବସ୍ଥାରୁ ବଞ୍ଚିତ ହୋଇଆସୁଛନ୍ତି। ଏମାନଙ୍କ ମଧ୍ୟରୁ ଜାଫର ଚାରିଟି ବିଶ୍ବକପ୍ ଖେଳିଛନ୍ତି। ପଙ୍କଜ ଏବଂ ସୁଖରାମ ମଧ୍ୟ ଏକାଧିକ ବିଶ୍ବକପ୍‌ରେ ଦେଶର ପ୍ରତିନିଧିତ୍ବ କରିଛନ୍ତି। ଦୁର୍ଭାଗ୍ୟଜନକ ଭାବେ ଚାକିରିଟିଏ ନଥିବାରୁ ସୁଖରାମ ଏବେ ଦିନମଜୁରିଆ ଭାବେ କାମ କରୁଛନ୍ତି। କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ତାଙ୍କୁ ୨୦୧୭ ମସିହାରେ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେଉଥିଲେ। ହେଲେ ଦୁଃଖର କଥା ବର୍ଷକ ପରେ ଏହା ମଧ୍ୟ ବନ୍ଦ ହୋଇଯାଇଛି। ବୁଢ଼ି ମା’ଙ୍କ ସହ ସେ ଏବେ ବହୁ ଦୁଃଖ କଷ୍ଟରେ ଚଳୁଛନ୍ତି। ଅନ୍ୟପକ୍ଷରେ ପଙ୍କଜ ଓ ଜାଫର ନିଜସ୍ବ ଉଦ୍ୟମରେ ଚାକିରି ପାଇଛନ୍ତି। ନକୁଳ, ଲିଙ୍ଗରାଜ ଓ କାଳିଆଙ୍କ ପାଖରେ କିନ୍ତୁ ରୋଜଗାରର କୌଣସି ମାଧ୍ୟମ ନାହିଁ। କରୋନା ସଙ୍କଟ ପାଇଁ ଏମାନଙ୍କର ଆର୍ଥିକ ଅବସ୍ଥା ଏବେ ଶୋଚନୀୟ।

‘‘ଆମର ତିନିଜଣ ଖେଳାଳି ଜାଫର, ସୁଖରାମ ଓ ପଙ୍କଜ ବିଶ୍ବକପ୍ ଖେଳିଛନ୍ତି। ଏହାକୁ ଜିତିଛନ୍ତି ମଧ୍ୟ। ସେହିଭଳି ନକୁଳ, ଲିଙ୍ଗରାଜ ଏବଂ କାଳଆ ମଧ୍ୟ ଢେର କିଛି ମ୍ୟାଚ୍‌ରେ ଭାରତର ପ୍ରତିନିଧିତ୍ବ କରି ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ହେଲେ ସମସ୍ତେ ଘୋର ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ପଙ୍କଜ ଓ ଜାଫରଙ୍କ ଛଡ଼ା ଅନ୍ୟ ଚାରିଜଣଙ୍କର କୌଣସି ରୋଜଗାର ବାଟ ନାହିଁ। ଏହି ଦୁଇ ଜଣ ସାଧାରଣ ପ୍ରାର୍ଥୀ ଭଳି ପରୀକ୍ଷା ଦେଇ ଚାକିରି ପାଇଛନ୍ତି। ଏଥିନେଇ ଆମେ ପାରା ଆଥଲେଟ୍‌ଙ୍କ ଭଳି ବହୁବାର କ୍ରୀଡ଼ା ବିଭାଗର ଦ୍ବାରସ୍ଥ ହୋଇଛୁ। କ୍ରୀଡ଼ାନୀତି ୨୦୧୬ରେ ସମସ୍ତ ଶ୍ରେଣୀର କ୍ରୀଡ଼ାବିତ୍‌ଙ୍କୁ ଚାକିରି ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି ବୋଲି ବାରମ୍ବାର ଆଶ୍ବାସନା ପାଇଛୁ। ଆବେଦନ କଲେ ଚାକିରି ମିଳିବ ବୋଲି ପ୍ରତିଶ୍ରୁତି ମଧ୍ୟ ମିଳୁଛି। କିନ୍ତୁ ଚାକିରି ପାଇଁ ଆମ ପିଲାମାନେ ଯେତେବେଳେ ପୁଲିସ ବିଭାଗରେ ଆବେଦନ କରୁଛନ୍ତି ଫିଟନେସ୍ ଦୃଷ୍ଟିରୁ ଆପଣଙ୍କୁ ଚାକିରି ଦେଇ ହେବନି ବୋଲି ପୁଲିସ ବିଭାଗ କହୁଛି। କ୍ରୀଡ଼ାନୀତିରେ ସ୍ବଚ୍ଛତା ଆଣି ସମସ୍ତ ପ୍ରକାର ଦିବ୍ୟାଂଗ କ୍ରୀଡ଼ାବିତ୍‌ଙ୍କୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରିବା ଲାଗି ଆମେ ‌ଯେ‌ତେବେଳେ କ୍ରୀଡ଼‌ା ବିଭାଗର ଦ୍ବାରସ୍ଥ ହୋଇଛୁ, ଆମେ ଫାଇଲ୍ ଜିଏ ବିଭାଗକୁ ପଠାଇ ଦେଇଛୁ ବୋଲି ଶୁଣି ଆସୁଛୁ। ଫାଇଲ୍ କିନ୍ତୁ ଆଗକୁ ବଢ଼ିନି, ସେହିଠାରେ ପଡ଼ି ରହିଛି। ଏଣୁ ସମସ୍ତ ପ୍ରକାର ପାରା ଆଥ୍‌ଲେଟଙ୍କ ଦୁଃଖ ବୁଝି ତୁରନ୍ତ ସେମାନଙ୍କୁ ଚାକିରି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଆମେ ଅନୁରୋଧ କରୁଛୁ’’ ବୋଲି କ୍ୟାଭିର କର୍ମକର୍ତାମାନେ କହିଛନ୍ତି।

ସୂଚନାଯୋଗ୍ୟ ଯେ ଭାରତୀୟ ଦଳରେ ସ୍ଥାନ ପାଇ ଅନ୍ତର୍ଜାତୀୟ ଦୃଷ୍ଟିହୀନ କ୍ରିକେଟର୍‌ ଦୀପକ ମଲ୍ଲିକଙ୍କୁ ହରିୟାଣା ସରକାର ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିଭଳି ଭାରତୀୟ ଦଳରେ ଥିବା କେରଳର ତିନିଜଣ ଯାକ ଖେଳାଳିଙ୍କୁ ମଧ୍ୟ କେରଳ ସରକାର କ୍ରୀଡ଼ା କୋଟାରେ ଚାକିରି ଦେଇଛନ୍ତି। ସେପଟେ ପାରା ଆଥଲେଟ୍‌ମାନଙ୍କୁ ମହାରାଷ୍ଟ୍ର, ହରିୟାଣା, ପଞ୍ଜାବ ଭଳି ରାଜ୍ୟ ସରକାର ଚାକିରି ଯୋଗାଇ ଦେଉଛନ୍ତି। ହେଲେ ଦେଶର କ୍ରୀଡ଼ା କ୍ୟାପିଟାଲ ଓଡ଼ିଶା ଏ କ୍ଷେତ୍ରରେ ଢେର ପଛୁଆ ରହିଛି। ଓଡ଼ିଶା ପାରା ପ୍ଲେୟାର୍ସ ଫୋରମର ସଦସ୍ୟଙ୍କ ଅଭିଯୋଗ ଅନୁସାରେ ସେମାନେ ବାରମ୍ବାର କ୍ରୀଡ଼ା କୋଟାରେ ଚାକିରି ପାଇଁ ଆବଦନ କରିଆସୁଥିଲେ ମଧ୍ୟ ଏହାର କୌଣସି ଫଳ ମିଳୁନି। କ୍ରୀଡ଼ାନୀତିରେ କୌଣସି ସ୍ପଷ୍ଟ ସୂଚନା ନଥିବାରୁ ନିଯୁକ୍ତି ପ୍ରଦାନ କ୍ଷେତ୍ରରେ ସେମାନେ ପାତର ଅନ୍ତରର ଶିକାର ହେଉଛନ୍ତି। ଏଥିଲାଗି ରାଜ୍ୟ ସରକାରଙ୍କ ତରଫରୁ ତୁରନ୍ତ କୌଣସି ପଦକ୍ଷେପ ନିଆନଗଲେ ଚଳିତ ଅଗଷ୍ଟ ୨୯ର କ୍ରୀଡ଼ା ଦିବସକୁ କଳା ଦିବସ ଭାବେ ପାଳନ କରିବାକୁ ସେମାନେ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି। ସେହିଭଳି ଆସନ୍ତା ସମୟ‌ରେ ଏହି ଦାବି ନେଇ କ୍ରୀଡ଼ା ବିଭାଗ ସମ୍ମୁଖରେ ଧାରଣାରେ ବସିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର