ନୂଆଦିଲ୍ଲୀ : ସ୍ପଟ୍ ଫିକ୍ସିଂ କେଳେଙ୍କାରୀରେ ଛନ୍ଦି ହୋଇ ଆଜୀବନ ବାସନ୍ଦାଦେଶ ଭୋଗୁଥିବା କେରଳୀ ଦ୍ରୁତ ବୋଲର ଶାନ୍ତାକୁମାରନ୍ ଶ୍ରୀଶାନ୍ତଙ୍କୁ ଉଚ୍ଚତମ ନ୍ୟାୟାଳୟରୁ କୌଣସି ଆଶ୍ବସ୍ତି ମିଳି ନାହିଁ। ବିସିସିଆଇର ଏହି ନିଷ୍ପତ୍ତି ବିରୋଧରେ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଥିବା ଶ୍ରୀଶାନ୍ତ ବରଂ ମାନ୍ୟବର ନ୍ୟାୟାଳୟଙ୍କ ପ୍ରଶ୍ନବାଣରେ ପୂରା ଘାଇଲା ହୋଇଯାଇଛନ୍ତି। ଆଇପିଏଲ୍ର ୨୦୧୩ ସଂସ୍କରଣ ବେଳେ ବୁକି ତାଙ୍କ ସହ ଅନ୍ୟ କେତେକ ଖେଳାଳିଙ୍କୁ ଫିକ୍ସିଂ ପାଇଁ ଅନୁରୋଧ କରିଥିବା କଥା ଗୁରୁବାରର ଶୁଣାଣି ବେଳେ ସେ ନିଜ ଓକିଲଙ୍କ ମାଧ୍ୟମରେ ସ୍ବୀକାର କରିଥିଲେ। ହେଲେ ନିଜେ ଏଥିରେ କୌଣସି ଉପାୟରେ ଜଡ଼ିତ ନଥିବା ଦାବି କରିଥିଲେ। ଉଚ୍ଚତମ ନ୍ୟାୟାଳୟ କିନ୍ତୁ ତାଙ୍କ କଥାକୁ ବିଶ୍ବାସ କରି ନଥିଲେ। ବରଂ ତୁମେ ଯଦି ଫିକ୍ସିଂ ବିଷୟରେ ଜାଣିଥିଲ, ତାହାଲେ ଏକଥା ତୁରନ୍ତ ବିସିସିଆଇକୁ କାହିଁକି ଜଣାଇଲ ନାହିଁ ବୋଲି ପାଲଟା ପ୍ରଶ୍ନ କରିଥିଲେ। ବିସିସିଆଇକୁ ଏହି ବିଷୟରେ କୌଣସି ସୂଚନା ଦେଇ ନଥିବାରୁ ତୁମ ହାବଭାବ ନେଇ ଆମର ସନ୍ଦେହ ରହିଛି ବୋଲି ନ୍ୟାୟାଳୟ ଖୋଲାଖୋଲି ଭାବେ କହିଥିଲେ। ୩୫ ବର୍ଷୀୟ ଶ୍ରୀଶାନ୍ତ ତାଙ୍କ ଉପରେ ଜାରି ହୋଇଥିବା ଆଜୀବନ ବାସନ୍ଦାଦେଶକୁ କେରଳ ଉଚ୍ଚ ନ୍ୟାୟାଳୟ ପୁନଃ ଅବସ୍ଥାପିତ କରିବା ବିରୋଧରେ ଉଚ୍ଚତମ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି।
ଶ୍ରୀଶାନ୍ତଙ୍କ ଆବେଦନର ଶୁଣାଣି ଗୁରୁବାର ବିଚାରପତି ଅଶୋକ ଚଭନ ଓ ବିଚାରପତି କେଏମ୍ ଜୋସେଫଙ୍କୁ ନେଇ ଗଠିତ ଖଣ୍ଡପୀଠ କରିଥିଲେ। ସ୍ପଟ୍ ଫିକ୍ସିଂରେ ଜଡ଼ିତ ଥିବାର କୌଣସି ଠୋସ୍ ପ୍ରମାଣ ଏ ପର୍ଯ୍ୟନ୍ତ ମିଳି ନଥିବାରୁ ଶ୍ରୀଶାନ୍ତଙ୍କୁ ଆଜୀବନ ବାସନ୍ଦ କରି ବିସିସିଆଇ ତାଙ୍କ ପ୍ରତି ଘୋର ଅନ୍ୟାୟ କରିଛି ବୋଲି ବରିଷ୍ଠ ଓକିଲ ସଲମାନ ଖୁର୍ସିଦ ଯୁକ୍ତି ବାଢ଼ିଥିଲେ। ସେହିଭଳି ଶ୍ରୀଶାନ୍ତ ୨୦୧୩ର ରାଜସ୍ଥାନ ରୟାଲ୍ସ ଓ କିଙ୍ଗ୍ସ ଏକାଦଶ ମ୍ୟାଚ୍ରେ ଖରାପ ବୋଲିଂ କରିବା ଲାଗି ଅର୍ଥ ନେଇଥିବାର କୌଣସି ପ୍ରମାଣ ବି ନାହିଁ ବୋଲି ଖୁର୍ସିଦ ଦାବି କରିଥିଲେ। ସେ ମଧ୍ୟ ଏଥିନେଇ ବୁକିଙ୍କ ମଧ୍ୟରେ ହୋଇଥିବା ବାର୍ତାଳାପର ଦ୍ବାହି ଦେଇଥିଲେ। ହେଲେ ଖଣ୍ଡପୀଠ କହିଥିଲେ ଯେ ତୁମେ ଏହି ବିଷୟରେ ବୋର୍ଡକୁ କାହିଁକି ଜଣାଇ ନଥିଲ। ତୁମ ଅଭିମୁଖ୍ୟ ଠିକ୍ ନଥିଲା ବୋଲି ଆମର ହୃଦୟଙ୍ଗମ ହେଉଛି। ଶ୍ରୀଶାନ୍ତ ଏହାକୁ ଜଣାଇବାରେ ବିଫଳ ହୋଇଥିଲେ ମଧ୍ୟ ଏହି ମାମଲାରେ ସର୍ବାଧିକ ବାସନ୍ଦାଦେଶ ୫ ବର୍ଷ ହେବା କଥା ବୋଲି ଖୁର୍ସିଦ ଯୁକ୍ତି କରିଥିଲେ। ସେହିଭଳି ୧୪ ରନ୍ ବ୍ୟୟ କରିବାର କଥା ଥିଲେ ମଧ୍ୟ ଦୁଇ ଦକ୍ଷ ବ୍ୟାଟ୍ସମ୍ୟାନ୍ ଆଦାମ ଗିଲକ୍ରିଷ୍ଟ ଓ ସନ୍ ମାର୍ସଙ୍କୁ ବୋଲିଂ କରି ଶ୍ରୀଶାନ୍ତ ୧୩ ରନ୍ ବ୍ୟୟ କରିଥିଲେ। ଏଥିରୁ ପ୍ରମାଣିତ ହେଉଛି ଯେ ଶ୍ରୀଶାନ୍ତ ଫିକ୍ସିଂରେ ଜଡ଼ିତ ନଥିଲେ ବୋଲି ଖୁର୍ସିଦ ମତ ରଖିଥିଲେ। ହାନ୍ସି କ୍ରୋନିଏଙ୍କ ଛଡ଼ା ଫିକ୍ସିଂରେ ଜଡ଼ିତ ଥିବା ବିଶ୍ବର କୌଣସି ଖେଳାଳିଙ୍କୁ ଆଜୀବନ ବାସନ୍ଦାଦେଶ ହୋଇନାହିଁ। ଭାରତର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ବିରୋଧରେ ହୋଇଥିବା ବାସନ୍ଦାଦେଶକୁ ବି ୨୦୧୨ରେ ଉଠାଇ ଦିଆଯାଇଥିଲା ବୋଲି ଖୁର୍ସିଦ ଏହି ଅବସରରେ ଉଦାହରଣ ଦେଇଥିଲେ। ବିସିସିଆଇ ଓକିଲ ପରାଗ ତ୍ରିପାଠୀ ଖୁର୍ସିଦ ଜମା କରିଥିବା ଟେଲିଫୋନ୍ ବାର୍ତାଳାପର ଅନୁବାଦ ନେଇ ଆପତ୍ତି ଉଠାଇଥିଲେ। ଏହାର ଅନୁବାଦ ଠିକ୍ ଭାବେ ହୋଇ ନଥିବା ସେ ଯୁକ୍ତି ରଖିଥିଲେ।
ସୂଚନାଯୋଗ୍ୟ ଯେ ୨୦୧୩ରେ ଦିଲ୍ଲୀ ପୁଲିସ ଆଇପିଏଲ୍ କେଳେଙ୍କାରୀ ମାମଲାରେ ଶ୍ରୀଶାନ୍ତଙ୍କ ସହ କ୍ରିକେଟର ଅଜିତ ଚାଣ୍ଡିଲା, ଅଙ୍କିତ ଚଭନ ଓ ଅନ୍ୟମାନଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପୁଲିସ ୩୬ ଜଣଙ୍କୁ ଅଭିଯୁକ୍ତ କରିଥିଲା। ତେବେ ଶ୍ରୀଶାନ୍ତ, ଚାନ୍ଦିଲା ଓ ଚଭନଙ୍କ ସହ ଅନ୍ୟମାନେ ୨୦୧୫ ଜୁଲାଇରେ ଏକ ତଳିଆ କୋର୍ଟ ଦ୍ବାରା ଦୋଷ ମୁକ୍ତ ହୋଇଥିଲେ। ହେଲେ ବିସିସିଆଇ ଜାରି କରିଥିବା ବାସନ୍ଦାଦେଶ ଉଠାଇବାକୁ ମନା କରି ଦେଇଥିଲା। କେରଳ ଉଚ୍ଚ ନ୍ୟାୟାଳୟଙ୍କ ଜଣିକିଆ ଖଣ୍ଡପୀଠ ଶ୍ରୀଶାନ୍ତଙ୍କ ବାସନ୍ଦାଦେଶକୁ ଉଠାଇ ଦେଇଥିଲେ। ତେବେ ବିସିସିଆଇ ଏହା ବିରୋଧରେ ଅପିଲ କରିବା ପରେ ଏକ ବିଭାଜିତ ଖଣ୍ଡପୀଠ ବାସନ୍ଦାଦେଶକୁ ପୁନର୍ବାର ଅବସ୍ଥାପିତ କରିଦେଇଥିଲା।