ରାଇନା ମୁହଁ ଖୋଲିଲେ : ସିଏସ୍‌କେକୁ ଫେରିବାକୁ ଦେଲେ ସଙ୍କେତ

ରାଇନାଙ୍କ ଫେରିବା ନେଇ ଧୋନି ନିଷ୍ପତ୍ତି ନେବେ: ଶ୍ରୀନିବାସନ୍‌

ଲକ୍ଷ୍ନୌ : ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ପ୍ରଶିକ୍ଷଣ ଶିବିର ଛାଡ଼ି ଅଚାନକ ୟୁଏଇରୁ ସ୍ବଦେଶ ଫେରିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନା। ହୋଟେଲ ରୁମ୍ ବିବାଦ ପାଇଁ ଭାରତ ପ୍ରତ୍ୟାବର୍ତ୍ତନ କରିଥିବା ଖବରକୁ ଖଣ୍ଡନ କରିବା ସହ ପୁଣି ଥରେ ସିଏସ୍‌କେ ପ୍ରଶିକ୍ଷଣ ଶିବିରରେ ଯୋଗଦେବାର ସଙ୍କେତ ଦେଇଛନ୍ତି ସେ। ସେହିଭଳି ୟୁଏଇ ଯିବାର ମାତ୍ର କିଛି ଦିନ ଭିତରେ ଭାରତ ଚାଲିଆସିବାର କାରଣ ଉପରୁ ପରଦା ଉଠାଇଛନ୍ତି ରାଇନା। ପାରିବାରିକ କାରଣ ପାଇଁ ଭାରତ ଫେରିଥିବା ଏବଂ ଏହା ସହିତ ହୋଟେଲ୍ ରୁମ୍ କିମ୍ବା ଅନ୍ୟ କୌଣସି ବିବାଦର ସଂପର୍କ ନଥିବା ‌ସେ ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ତାଙ୍କ ସଫଳତାକୁ ସହି ପାରୁ ନଥିବା କିଛି ବ୍ୟକ୍ତି ଏଭଳି ମିଛ ଖବର ପ୍ରଚାର କରିଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଉତ୍ତରପ୍ରଦେଶର ଏହି ପ୍ରତିଭାବାନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍। ‘‘ଏହା ବ୍ୟକ୍ତିଗତ ନିଷ୍ପତ୍ତି ଥିଲା। ମୋ ପରିବାର ପାଇଁ ମୋତେ ଘରକୁ ଫେରିବାର ଥିଲା। ପାରିବାରିକ କ୍ଷେତ୍ରରେ କିଛି କଥା ଓ ସମସ୍ୟାର ତୁରନ୍ତ ସମାଧାନ କରିବା ନିହାତି ଜରୁରୀ ଥିଲା। ସିଏସ୍‌କେ ମଧ୍ୟ ମୋ ପରିବାର ଭଳି। ମାହି ଭାଇ (ମହେନ୍ଦ୍ର ସିଂହ ଧୋନି) ମୋ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ମୋ ପାଇଁ ମଧ୍ୟ ଏହା ଅତ୍ୟନ୍ତ କଠିନ ନିଷ୍ପତ୍ତି ଥିଲା।

ସିଏସ୍‌କେ ଓ ମୋ ଭିତରେ କୌଣସି ବିବାଦ ନାହିଁ। କେହି କେବେ ବି କୌଣସି ଠୋସ୍ କାରଣ ବିନା ୧୨.୫ କୋଟି ଟଙ୍କା ଉପରୁ ମୁହଁ ମୋଡ଼ି ଦେଇ ପାରିବେ ନାହିଁ। ମୁଁ ହୁଏତ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ଘୋଷଣା କରିସାରିଛି। ହେଲେ ମୁଁ ଏବେ ବି ଯୁବକ ଅଛି। ଅହୁରି ୪ରୁ ୫ ବର୍ଷ ପର୍ଯ୍ୟନ୍ତ ଆଇପିଏଲ୍ ଖେଳିବାକୁ ଲକ୍ଷ୍ୟ ରଖିଛି’’ ବୋଲି ରାଇନା ବୁଧବାର ଦେଇଥିବା ଏକ ସାକ୍ଷାତକାର ଅବସରରେ ସ୍ପଷ୍ଟ କରି ଦେଇଛନ୍ତି। ସେପଟେ ଏହି ମାମଲାରେ ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ କାଶୀ ବିଶ୍ବନାଥ ଓ ମାଲିକ ତଥା ବିସିସିଆଇର ପୂର୍ବତନ ସଭାପତି ଏନ୍ ଶ୍ରୀନିବାସନ୍ ନରମ ପଡ଼ିଛନ୍ତି। ରାଇନାଙ୍କ ପାଖରେ ଦଳ ସବୁବେଳେ ଛିଡ଼ା ହେବ ଏବଂ ତାଙ୍କ ପାଇଁ ଦଳର ଦ୍ବାର ସବୁବେଳେ ଉନ୍ମକ୍ତ ରହିବ ବୋଲି ଉଭୟ କହିଛନ୍ତି। ପୂର୍ବରୁ କିନ୍ତୁ ଦୁଇ ଜଣ ଯାକ ରାଇନାଙ୍କ ସ୍ବଦେଶ ଫେରିବା ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଥିଲେ। ଶ୍ରୀନିବାସନଙ୍କୁ ମୁଁ ଭାରତ ଫେରିବାର ପ୍ରକୃତ କାରଣ କୁହାଯାଇନଥିଲା। ସେଥିପାଇଁ ସେ ପ୍ରତିକ୍ରିୟାଶୀଳ ହୋଇ ଯାଇଥିଲେ ବୋଲି ରାଇନା ସଫେଇ ଦେଇଛନ୍ତି। ଏପରିକି ଶ୍ରୀନିବାସନଙ୍କୁ ସେ ପିତୃ ତୁଲ୍ୟ କହିବା ସହ ତାଙ୍କର ମୋ ଉପରେ ରାଗିବାର ଅଧିକାର ଅଛି ବୋଲି ମତ ଦେଇଛନ୍ତି। ‘‘ଶ୍ରୀନିବାସନ୍ ମୋତେ ତାଙ୍କ ସାନ ପୁଅ ଭଳି ଦେଖନ୍ତି। ସେ ମୋ ହୃଦୟର ଅତି ନିକଟରେ ରୁହନ୍ତି। ମୋତେ ନେଇ ଶ୍ରୀନିବାସନ୍ ଦେଇଥିବା ବୟାନକୁ ଅଜଥାରେ ବିବାଦୀୟ କରାଯାଉଛି’’ ବୋଲି ଆବେଗଭରା କଣ୍ଠରେ ରାଇନା କହିଛନ୍ତି।

ସୂଚନାଯୋଗ୍ୟ ଯେ ପଞ୍ଜାବର ପଠାନକୋଟଠାରେ ରହୁଥିବା ରାଇନାଙ୍କ ପିଉସାଙ୍କ ପରିବାର ଉପରେ ଗତ କିଛି ଦିନ ତଳେ ଅଜଣା ଦୁର୍ବୃତ୍ତ ସେମାନେ ଶୋଇଥିଲା ବେଳେ ଅତର୍କିତ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ପିଉସା ଓ ପିଉସୀ ପୁଅ ଭାଇଙ୍କର ମୃତ୍ୟୁ ଘଟିଛି। ପିଉସୀ ଓ ଆଉ ଜଣେ ଭାଇ ମଧ୍ୟ ଗୁରୁତର ଅଛନ୍ତି। ଏହା ହିଁ ତାଙ୍କ ଭାରତ ଫେରିବାର କାରଣ ବୋଲି ରାଇନା ସୂଚାଇ ଦେଇଛନ୍ତି। ସେହିଭଳି ପରିବାର ପାଇଁ ଚିନ୍ତିତ ଥିବାରୁ ଅଚାନକ ସେ ଏଭଳି ନିଷ୍ପତ୍ତି ନେଇଥିଲେ ଏବଂ ସଂପ୍ରତି ସଙ୍ଗରୋଧରେ ଥିବା ପ୍ରକାଶ କରିଛନ୍ତି। ପିଉସାଙ୍କ ପରିବାର ଉପରେ ହୋଇଥିବା ଏହି ଭୟଙ୍କର ଆକ୍ରମଣର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ସେ ପଞ୍ଜାବ ସରକାରଙ୍କୁ ଅନୁରୋଧ କରିଛନ୍ତି।

ରାଇନାଙ୍କ ଫେରିବା ନେଇ ଧୋନି ନିଷ୍ପତ୍ତି ନେବେ: ଶ୍ରୀନିବାସନ୍‌
ନୂଆଦିଲ୍ଲୀ : ରାଇନାଙ୍କୁ ମୁଁ ପୁଅ ଭଳି ଦେଖେ। ହେଲେ ତାଙ୍କ ମାଲିକ ନୁହେଁ। ତେବେ ଅପ୍ରତ୍ୟାଶିତ ଭାବେ ସେ ୟୁଏଇରୁ ଦଳୀୟ ଶିବିର ଛାଡ଼ି ସ୍ବଦେଶ ଫେରିଯିବା ପରେ ପୁଣି ମନ ବଦଳାଇଛନ୍ତି। କିନ୍ତୁ ଦଳକୁ ଫେରିବା ନେଇ ମୁଁ କିଛି କହିପାରିବିନି। ଏନେଇ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ତାଙ୍କ ନେତୃତ୍ବାଧୀନ ଦଳୀୟ କର୍ମକର୍ତା ନିଷ୍ପତ୍ତି ନେବେ ବୋଲି ବୁଧବାର କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ମାଲିକ ଏନ୍‌ ଶ୍ରୀନିବାସନ୍‌। ଆଇପିଏଲ୍‌ରେ ଦଳର ସଫଳତାରେ ରାଇନାଙ୍କର ମଧ୍ୟ ଅବଦାନ ରହିଛି। ହେଲେ ସେ ଯେଭଳି ଢଙ୍ଗରେ ଦଳ ଛାଡ଼ି ସ୍ବଦେଶ ଫେରିଗଲେ ତାହା ମୋତେ କ୍ଷୁବ୍‌ଧ କରିଥିଲା ବୋଲି ପୂର୍ବତନ ବିସିଆଇ ସଭାପତି ଶ୍ରୀନିବାସନ୍‌ କହିଛନ୍ତି। ଆମେ ଏକ ଦଳର ମାଲିକାନା ରଖିଛୁ, ଆମେ ଫ୍ରାଞ୍ଚାଇଜ୍‌ ମଧ୍ୟ ମାଲିକାନା ସତ୍ତ୍ବ ରଖିଛୁ। ମାତ୍ର ଖେଳାଳିଙ୍କ ମାଲିକ ନୁହେଁ। ଦଳ ଆମର, କିନ୍ତୁ ଖେଳାଳି ନୁହେଁ। ମୁଁ କଦାପି ଖେଳାଳିଙ୍କ ମାଲିକ ନୁହେଁ। ତେଣୁ ଦଳକୁ ରାଇନାଙ୍କ ପ୍ରତ୍ୟାବର୍ତନ ନେଇ ମୋର କିଛି କହିବାର ନାହିଁ। ହେଲେ ଏହି ନିଷ୍ପତ୍ତି ବିଶେଷକରି ଅଧିନାୟକ ଧୋନି ଏବଂ ସିଇଓ କାଶୀ ବିଶ୍ବନାଥ ନେବେ ବୋଲି ଶ୍ରୀନିବାସନ୍‌ କହିଛନ୍ତି। ‘‘ମୁଁ କ୍ରିକେଟ୍‌ ଅଧିନାୟକ ନୁହେଁ। ମୁଁ ବି ଦଳୀୟ କର୍ତୃପକ୍ଷଙ୍କୁ କାହାକୁ ଖେଳାଇବେ ଏବଂ କାହାକୁ ନିଲାମରେ କିଣିବେ ସେନେଇ ମଧ୍ୟ କଦାପି କହେନି। ଆମ ପାଖରେ ସର୍ବକାଳୀନ ମହାନ୍‌ ଅଧିନାୟକ ଅଛନ୍ତି। ତେଣୁ ମୁଁ କାହିଁକି କ୍ରିକେଟ୍‌ ପ୍ରସଙ୍ଗରେ ହସ୍ତକ୍ଷେପ କରିବି’’ ବୋଲି କହିଛନ୍ତି ଶ୍ରୀନିବାସନ୍‌।

ସମ୍ବନ୍ଧିତ ଖବର