କରୋନା ମୁକାବିଲା ପାଇଁ ୫୨ ଲକ୍ଷ ଟଙ୍କା ପ୍ରଦାନ କଲେ ରାଇନା

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପୂର୍ବରୁ ବହୁ ପ୍ରଭାବଶାଳୀ ବ୍ୟକ୍ତିମାନେ ସରକାରଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଥିବା ବେଳେ ଏବେ ଏହି କ୍ରମରେ ଯୋଡ଼ି ହୋଇଛନ୍ତି ଜଣାଶୁଣା କ୍ରିକେଟ୍‌ ତାରକା ସୁରେଶ ରାଇନା। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିଲିଫ୍‌ ପାଣ୍ଠିକୁ ୩୧ ଲକ୍ଷ ଟଙ୍କା ଦାନ କରିଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ଦାନ କରିଥିବା ସୂଚନା ରହିଛି।

କୋଭିଡ୍‌-୧୯ ବିରୋଧରେ ଲଢ଼େଇ କରିବା ପାଇଁ ପୂର୍ବରୁ ବହୁ ସେଲିବ୍ରେଟି ଅର୍ଥ ରାଶି ପ୍ରଦାନ କରିଥିବାର ଉଦାହରଣ ରହିଛି। ଗତ କାଲି କ୍ରିକେଟ୍‌ ତାରକା ସଚିନ ତେନ୍ଦୁଲ୍‌କର ୫ କ‌ୋଟି ଟଙ୍କା ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରାକାରଙ୍କ ରିଲିଫ୍‌ ପାଣ୍ଠିକୁ ଦାନ କରିଥିଲେ। ସେହିପରି ଖିଲାଡି ବୟ ଅକ୍ଷୟ କୁମାର ମଧ୍ୟ ୨୫ ‌କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅକ୍ଷୟ ସରକାରଙ୍କ ପାଣ୍ଠିକୁ ଅର୍ଥ ରାଶି ଦାନ କରିବା ପରେ ଏହାକୁ ନେଇ ଖୁସି ବ୍ୟକ୍ତ କରିଛିନ୍ତି ପତ୍ନୀ ଟ୍ବିଙ୍କିଲ୍‌ ଖାନ୍ନା।

ଉଲ୍ଲେଖଯୋଗ୍ୟ, ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ମହାମାରୀ କରୋନା ଭାଇରସ୍‌ ସାରା ବିଶ୍ବରେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଏହି ଭାଇରସ୍‌ରେ ଏବେ ସୁଦ୍ଧା ପ୍ରାୟ ୬ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ପାଖାପାଖି ୩୦ ହଜାର ଲୋକଙ୍କ ଜୀବନ ଗଲାଣି। ଭାରତରେ କରୋନା ଭାଇରସ୍‌ ଦ୍ବାରା ଏବେ ସୁଦ୍ଧା ୧୯  ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର