କ୍ରିକେଟ୍‌ର ସମସ୍ତ ଫର୍ମାଟରୁ ଅବସର ଗ୍ରହଣ କଲେ କ୍ରିକେଟର୍‌ ସୁରେଶ ରାଇନା

ନୂଆଦିଲ୍ଲୀ: ଭାରତୀୟ ଦଳର ସଫଳ ଅଲରାଉଣ୍ଡର ସୁରେଶ ରାଇନା ଇଣ୍ଡିଆନ୍‌ ପ୍ରିମିୟମ୍‌ ଲିଗ୍‌ (ଆଇପିଏଲ୍‌) ସମେତ ସମସ୍ତ ପ୍ରକାରର କ୍ରିକେଟ୍‌ରୁ ଅବସର ଗ୍ରହଣ କରିଛନ୍ତି। ଆଜି ଟୁଇଟ୍ କରି ସେ ଏହି ଘୋଷଣା କରିଛନ୍ତି। ଚାରିଚାରି ଥର ଆଇପିଏଲ୍‌ ଚାମ୍ପିୟନ୍‌ ହୋଇଥିବା ଚେନାଇ ସୁପର୍‌ କିଙ୍ଗ୍‌ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଥିବା ରାଇନା ୨୦୨୨ ମସିହା ଆଇପିଏଲ୍‌ରେ ନିଲାମର ଅଂଶ ପାଲଟି ପାରି ନ ଥିଲେ। ଏହି ଅବସରରେ ବିସିସିଆଇ, ୟୁପି କ୍ରିକେଟ୍ ଆସୋସିଏସନ୍, ଚେନ୍ନାଇ ସୁପରକିଙ୍ଗସ୍ ଏବଂ କ୍ରିକେଟ୍ ପ୍ରଶାସକ ରାଜୀବ ଶୁକ୍ଲାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ବାମହାତୀ ବ୍ୟାଟ୍‌ସମ୍ୟାନ୍‌ ଦୀର୍ଘ ବର୍ଷ ଧରି ଭାରତୀୟ କ୍ରିକେଟ୍‌ ଦଳର ଜଣେ ସକ୍ରିୟ ସଦସ୍ୟ ରହିଥିବା ବେଳେ ଖେଳର ୩ଟି ଫର୍ମରେ ସେ ଜଣେ ଉଦୀୟମାନ ଖେଳାଳି ଭାବେ ବେଶ୍‌ ପରିଚିତ।

 

ସେ ଦେଶପାଇଁ ୨୨୬ଟି ଦିନିକିଆ ମ୍ୟାଚ୍ ଖେଳି ୫୬୧୫ ରନ୍‌ କରିବାରେ ସମର୍ଥ ହୋଇଛନ୍ତି। ତାଙ୍କର ସର୍ବାଧିକ ସ୍କୋର୍‌ ହେଉଛି ୧୧୬ ରନ୍‌। ସେହିପରି ଟି-୨୦ରେ ସେ ୭୮ ମ୍ୟାଚ୍‌ ଖେଳି ୧୦୬୫ ରନ୍‌ ହାତେଇ ପାରିଛନ୍ତି। ଏହି ୩୫ ବର୍ଷୀୟ ଖେଳାଳି ୨୦୨୦ ମସିହା ଅଗଷ୍ଟ ୧୫ ତାରିଖରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ବିଦାୟ ନେଇଥିଲେ। ଯେଉଁଦିନ ମହେନ୍ଦ୍ର ସିଂହ ଧୋନୀ ଭାରତୀୟ କ୍ରିକେଟ୍‌ର ଭାବେ ଅବସର ଗ୍ରହଣ କରିଥିଲେ।

ଉଲ୍ଲେଖଯୋଗ୍ୟ, ଆଇପିଏଲ୍‌ରେ ୨୦୫ ମ୍ୟାଚ୍ ଖେଳି ୫୫୨୮ ରନ୍ କରିଛନ୍ତି ରାଇନା। ସେଥିମଧ୍ୟରେ ରହିଛି ଗୋଟିଏ ଶତକ ଏବଂ ୩୯ ଅର୍ଦ୍ଧଶତକ। ଆଇପିଏଲ୍‌ର ସର୍ବାଧିକ ରନ୍ ହାସଲକାରୀଙ୍କ ମଧ୍ୟରେ ସଂପ୍ରତି ବିରାଟ କୋହଲି (୬୨୮୩), ଶିଖର ଧାୱନ (୫୭୮୪) ଓ ରୋହିତ ଶର୍ମା (୫୬୧୧)ଙ୍କ ପରେ ମିଷ୍ଟର ଆଇପିଏଲ୍ ଭାବେ ପରିଚିତ ରାଇନା ଚତୁର୍ଥ ସ୍ଥାନରେ ରହିଛନ୍ତି। ପ୍ରଥମ ଖେଳାଳି ଭାବେ ଆଇପିଏଲ୍‌ରେ ୫,୦୦୦ ରନ୍ ପୂରଣ, ସର୍ବାଧିକ କ୍ୟାଚ୍ (୧୦୯), ଚେନ୍ନାଇ ପାଇଁ ସର୍ବାଧିକ ଅର୍ଦ୍ଧଶତକ (୩୩), ସର୍ବାଧିକ ବାଉଣ୍ଡରି (୪୨୫) ମାରିବାର କୀର୍ତ୍ତିମାନ ରାଇନାଙ୍କ ନାଁରେ ରହିଛି। ଚେନ୍ନାଇ ପାଇଁ ଦ୍ବିତୀୟ ସର୍ବାଧିକ ଛକା (୧୮୫) ମାରିଛନ୍ତି ଏହି ୩୫ ବର୍ଷୀୟ ବିସ୍ଫୋରକ ବ୍ୟାଟର୍। ବ୍ୟକ୍ତିଗତ କାରଣ ପାଇଁ ଗତବର୍ଷର ଆଇପିଏଲ୍ ଖେଳିନଥିଲେ ରାଇନା। ୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେବା ପରେ ସେ ମଧ୍ୟ ଘରୋଇ କ୍ରିକେଟ୍‌ରେ ସକ୍ରିୟ ନଥିଲେ।

ସମ୍ବନ୍ଧିତ ଖବର