ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟି-୨୦ ଶୃଙ୍ଖଳା ପାଇଁ ରବିବାର ଭାରତୀୟ ଦଳରେ ଖେଳାଳିଙ୍କ ନାମ ଘୋଷଣା ହୋଇଛି। ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଫେବ୍ରୁଆରି ୧୮ରୁ ଆରମ୍ଭ ହେବ। ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଜୋହାନେସବର୍ଗରେ ଖେଳାଯିବ। ଫେବ୍ରୁଆରି ୨୧ରେ ୨ୟ ମ୍ୟାଚ୍ ସେଞ୍ଚୁରିଅନ୍ରେ ଖେଳା ଯିବାକୁ ଥିବା ବେଳେ ୩ୟ ତଥା ଅନ୍ତିମ ମୁକାବିଲା ଫେବ୍ରୁଆରି ୨୪ରେ କେପ୍ଟାଉନ୍ରେ ଖେଳାଯିବ।
ଟିମ୍ ଇଣ୍ଡିଆର ୧୬ ସଦସୀୟ ଟିମ୍ରେ ସୁରେଶ ରାଇନାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ବାମହାତୀ ବ୍ୟାଟ୍ସମ୍ୟାନ୍ ରାଇନା ଭାରତ ପକ୍ଷରୁ ସେ ଶେଷ ଥର ପାଇଁ ଟି-୨୦ ମ୍ୟାଚ୍ ଇଂଲଣ୍ଡ ବିପକ୍ଷରେ ଗତ ଫେବ୍ରୁଆରିରେ ଖେଳିଥିଲେ। ଏହା ପରେ ୩୧ ବର୍ଷିଅ ରାଇନା ଫିଟ୍ନେସ୍ କାରଣ ଯୋଗୁଁ ଭାରତୀୟ ଟିମ୍ରୁ ବାହାରେ ଥିଲେ।
ଟି-୨୦କୁ କେମିତି ଫେରିଛନ୍ତି ରାଇନା
ସୁରେଶ ରାଇନା ଘରୋଇ କ୍ରିକେଟରେ ଜବରଦସ୍ତ ଶତକ ସହିତ ଫର୍ମକୁ ଫେରିଛନ୍ତି। ଉତ୍ତରପ୍ରଦେଶର ଅଧିନାୟକ ରାଇନା ଗତ ସପ୍ତାହରେ ସୟଦ ମୁସ୍ତାକ ଅଲି ଟି-୨୦ ମୁକାବିଲାରେ ପଶ୍ଚିମବଙ୍ଗ ବିପକ୍ଷରେ ୫୯ବଲରେ ଅପରାଜିତ ୧୨୬ ରନ ଯୋଡ଼ିଥିଲେ। ଏହି ସ୍କୋରରେ ୭ଟି ଛକା ଓ ୧୩ଟି ଚୌକା ସାମିଲ ଥିଲା। ରାଇନା ୪୯ଟି ବଲରେ ଶତକ ପୂରା କରିଥିଲେ। ଏହା ପରେ ସେ ୨ଟି ଶତକ ମଧ୍ୟ ହାସଲ କରିଛନ୍ତି। ଏଥି ସହିତ ରାଇନା ସୟଦ ମୁସ୍ତାକ ଅଲି ଟି-୨୦ରେ ସର୍ବୋଚ୍ଚ ସ୍କୋର କରିଥିବା ଖେଳାଳି ହୋଇପାରିଥିଲେ। ସେ ଉନ୍ମୁଖ ଚନ୍ଦଙ୍କୁ ପଛରେ ପକାଇଛନ୍ତି। ଉନ୍ମୁଖ ୨୦୧୩ରେ ୧୨୫ ରନ୍ ସଂଗ୍ରହ କରିଥିଲେ।
ସଂକ୍ଷେପରେ ରାଇନାଙ୍କ କ୍ରିକେଟ କ୍ୟାରିୟର
ଟି-୨୦: ୬୫, ରନ୍-୧୩୦୫, ଓ୍ଵିକେଟ-୧୨
ଦିନିକିଆ:୨୨୩, ରନ୍-୫୫୬୮, ଓ୍ଵିକେଟ-୩୬
ଟେଷ୍ଟ:୧୮, ରନ୍-୭୮୬, ଓ୍ଵିକେଟ-୧୩
ଟିମ୍ରେ ବିରାଟ କୋହଲି(ରୋହିତ ଶର୍ମା), ରୋହିତ ଶର୍ମା(ଉପଅଧିନାୟକ), ଶିଖର ଧାଓ୍ଵନ, କେଏଲ୍ ରାହୁଲ, ସୁରେଶ ରାଇନା, ମହେନ୍ଦ୍ର ସିଂହ ଧୋନି(ଓ୍ଵିକେଟକିପର), ଦିନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ଅକ୍ଷର ପଟେଲ, ଯୁଜବେନ୍ଦ୍ର ଚହଲ, କୁଳଦୀପ ଯାଦବ, ଭୁବନେଶ୍ୱର କୁମାର, ଯଶପ୍ରିତ ବୁମରା, ଜୟଦେବ ଉନାଦକର ଓ ଶାର୍ଦୁଲ ଠାକୁରଙ୍କୁ ସ୍ଥାନ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/rains.jpeg)
/sambad/media/post_attachments/wp-content/uploads/2018/01/raina-300x168.jpeg)