ପର୍ଥରେ ଆତ୍ମ ସମର୍ପଣ

ଭାରତ ୧୪୬ ରନ୍‌ରେ ପରାସ୍ତ O ଶୃଙ୍ଖଳା ୧-୧ ସ୍ଥିତିରେ O ନାଥନ୍ ଲାୟନ୍‌ ଶ୍ରେଷ୍ଠ ଖେଳାଳି

ପର୍ଥ: ଆଡିଲେଡ୍ ଟେଷ୍ଟ୍‌ରେ ୩୧ ରନ୍‌ର ରୋମାଞ୍ଚକ ବିଜୟ ସଫଳତା ପର୍ଥରେ ୧୪୬ ରନ୍‌ ପରାଜୟ ସହିତ ଫିକା ପଡ଼ିଯାଇଛି। କଷ୍ଟ ଅର୍ଜିତ ପ୍ରଥମ ଥର ଶୃଙ୍ଖଳା ଆଗୁଆର କୃତିତ୍ବ ତୁରନ୍ତ ବେକାର ହୋଇଯାଇଛି। ଏଥି ସହିତ ୪ ମ୍ୟାଚ୍ ଶୃଙ୍ଖଳା ବି ୧-୧ ସମତୁଲ ସ୍ଥିତିକୁ ଚାଲି ଆସିଛି। ଭାରତ ବିନା ସ୍ପିନ୍ ଆକ୍ରମଣରେ ଖେଳିଥିବା ବେଳେ ଅଷ୍ଟ୍ରେଲିଆ ଅଫ୍‌ସ୍ପିନର୍ ନାଥନ୍ ଲାୟନ (୮/୧୦୬) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇ କୋହଲିଙ୍କ ଖେଳାଳି ଚୟନ ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି। ମେଲ୍‌ବର୍ନରେ ତୃତୀୟ ଟେଷ୍ଟ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବ।
୬୫ ମିନିଟରେ ଖତମ
ଭାରତର ଅବଶିଷ୍ଟ ଦ୍ବିତୀୟ ପାଳି ମଙ୍ଗଳବାର ମାତ୍ର ୬୫ ମିନିଟରେ ଖତମ ହୋଇଯାଇଥିଲା। ୧୫ ଓଭର ଭିତରେ ହିଁ ଭାରତ ନିଜର ଶେଷ ୫ ୱିକେଟ୍ ହରାଇ ଦେଇଥିଲା। ଚତୁର୍ଥ ଦିନ ସଂଧ୍ୟାରେ ଅପରାଜିତ ଥିବା ଭାରତର‌ ‌ଶେଷ ସ୍ବୀକୃତିପ୍ରାପ୍ତ ବ୍ୟାଟିଂ ଯୋଡ଼ି ହନୁମା ବିହାରୀ ଏବଂ ଋଷବ ପନ୍ତ୍‌ ବିଶେଷ କିଛି କରିସ୍ମା କରିପାରିନଥିଲେ। ମିଚେଲ ଷ୍ଟାର୍କ ପ୍ରଥମେ ବିହାରୀଙ୍କୁ ବିଦାୟ ରାସ୍ତା‌ ଦେଖାଇଦେବା ପରେ ଉମେଶ ଯାଦବଙ୍କ ୱିକେଟ୍‌ ନେଇଥିଲେ। ନାଥନ୍ ଲାୟନଙ୍କୁ ଲମ୍ବା ସଟ୍ ଖେଳିବାକୁ ଯାଇ ଋଷବ ପନ୍ତ୍‌ ବି ହ୍ୟାଣ୍ଡସ୍କମ୍ବଙ୍କ ହାତରେ ଧରାପଡ଼ିଥିଲେ। ଏଇଠି ହିଁ ଭାରତର ଅଭିଯାନ ଶେଷ ହୋଇଯାଇଥିଲା। ୫୬ତମ ଓଭରରେ ଈଶାନ୍ତ ଶର୍ମା ଏବଂ ଯଶପ୍ରୀତ୍ ବୁମରାଙ୍କ ୱିକେଟ୍ ନେଇ ପ୍ୟାଟ୍‌ କମିନ୍ସ ଭାରତ ପାଳିକୁ ୧୪୦ ରନ୍‌ରେ ଶେଷ କରି ଦେଇଥିଲେ। ଭାରତର ଶେଷ ୫ ୱିକେଟ୍‌ ମାତ୍ର ୨୧ ରନ୍ ଯୋଡ଼ି ପାରିଥିଲେ।
ଅଷ୍ଟ୍ରେଲିଆ ଭାଙ୍ଗିଲା ପରାଜୟ ଧାରା
ପର୍ଥର ନୂଆ ପିଚ୍ ଅଷ୍ଟ୍ରେଲିଆ କ୍ରିକେଟକୁ ନୂଆ ଦିଶା‌ ଦେଇଛି। ବର୍ଷ ପ୍ରାରମ୍ଭରେ ବଲ୍ ବିକୃତ ବିବାଦ ପରେ କଙ୍ଗାରୁ ଦଳର ଏହା ପ୍ରଥମ ବିଜୟ। ଇତିମଧ୍ୟରେ ଟିମ୍ ପେନ୍‌ଙ୍କ ଦଳ ୮ ଟେଷ୍ଟ୍ ହାରିଯାଇଥିଲା। ଦକ୍ଷିଣ ଆଫ୍ରିକା ଗସ୍ତର ନ୍ୟୁଲାଣ୍ଡ୍‌ସ ଟେଷ୍ଟ୍ ବଲ୍ ବିକୃତ ବିବାଦ ପରେ ଷ୍ଟିଭେନ୍ ସ୍ମିଥ୍ ଏବଂ ଡେଭିଡ୍‌ ୱାର୍ନର ବର୍ଷକ ପାଇଁ ନିଲମ୍ବିତ ହେବା ପରେ ଅଷ୍ଟ୍ରେଲିଆ ସଂଘର୍ଷ କରୁଥିଲା।
ପେସ୍-ସ୍ପିନ ୩୦-୧୦
ଏହି ଟେଷ୍ଟ୍‌ରେ ଭାରତ ବିନା ସ୍ବତନ୍ତ୍ର ସ୍ପିନରଙ୍କୁ ନେଇ ଖେଳିଥିଲା। କିନ୍ତୁ ଅଷ୍ଟ୍ରେଲିଆ ଅଫ୍‌ସ୍ପିନର୍ ନାଥନ୍ ଲାୟନ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଭାରତର ୨୦ ୱିକେଟ୍‌ରୁ ସେ ଏକା ୮ଟି ନେଇଥିଲେ। ଅବଶିଷ୍ଟ ୧୨ ୱିକେଟ୍‌ ମିଚେଲ ଷ୍ଟାର୍କ, ଜୋସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କମିନ୍ସ ବାଣ୍ଟି‌ ନେଇଥିଲେ। ଭାରତ ପକ୍ଷରୁ ସାମୟିକ ସ୍ପିନର ହନୁମା ବିହାରୀ ପ୍ରଥମ ପାଳିରେ କେବଳ ୨ ୱିକେଟ୍ ନେଇ ସୀମିତ ରହିଥିଲେ। ଅବଶିଷ୍ଟ ୧୮ ୱିକେଟ୍‌କୁ ମହମ୍ମଦ ସାମି (୬), ଈଶାନ୍ତ ଶର୍ମା (୫), ଯଶପ୍ରୀତ୍ ବୁମରା (୫) ଏବଂ ଉମେଶ ଯାଦବ (୨) ନେଇଥିଲେ। ଏଥି ସହିତ ମ୍ୟାଚ୍‌ରେ ପେସ-ସ୍ପିନ୍ ଅଙ୍କ ୩୦-୧୦ରେ ଶେଷ ‌ହୋଇଛି।

ପର୍ଥ ଟେଷ୍ଟ୍‌ ସ୍କୋର‌୍‌ କାର୍ଡ

ଅଷ୍ଟ୍ରେଲିଆ ପ୍ରଥମ ପାଳି: ୩୨୬
ଭାରତ ପ୍ରଥମ ପାଳି: ୨୮୩
ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୨୪୩
ଭାରତ ଦ୍ବିତୀୟ ପାଳି: ୧୪୦
ଲୋକେଶ ରାହୁଲ୍‌-ବୋ-ଷ୍ଟାର୍କ-୦୦
ମୁରଲୀ ବିଜୟ-ବୋ-ଲାୟନ୍‌-୨୦
ପୂଜାରା-କ-ପେନ୍‌-ବୋ-ହାଜ୍‌ଲେଉଡ୍‌-୦୪
କୋହଲି-କ-ଖୱାଜା-ବୋ-ଲାୟନ୍‌-୧୭
ରାହାଣେ-କ-ହେଡ୍‌-ବୋ-ହାଜ୍‌ଲେଉଡ୍‌-୩୦
ହନୁମା ବିହାରୀ-କ-ହାରିସ୍‌-ବୋ-ଷ୍ଟାର୍କ-୩୦
ଋଷଭ ପନ୍ତ୍‌-କ-ହ୍ୟାଣ୍ଡ୍‌ସକମ୍ବ୍‌-ବୋ-ଲାୟନ୍‌-୨୮
ଉମେଶ ଯାଦବ-କ ଓ ବୋ-ଷ୍ଟାର୍କ-୦୨
ଈଶାନ୍ତ ଶର୍ମା-କ-ପେନ୍‌-ବୋ-କମିନ୍‌ସ-୦୦
ମହମ୍ମଦ ସାମି-ଅପରାଜିତ-୦୦
ଯଶ୍‌ପ୍ରୀତ୍‌ ବୁମ୍‌ରା- କ ଓ ବୋ-କମିନ୍‌ସ-୦୦
ଅତିରିକ୍ତ: (ବା-୬, ୱା-୩)୦୯
ମୋଟ-(୫୬ ଓଭର, ଅଲ୍‌ଆଉଟ୍‌-୧୪୦
ଵିକେଟ୍‌ ପତନ-୧/୦, ୨/୧୩, ୩/୪୮, ୪/୫୫, ୫/୯୮, ୬/୧୧୯, ୭/୧୩୭, ୮/୧୩୯, ୯/୧୪୦, ୧୦/୧୪୦।
ବୋଲି˚: ମିଚେଲ ଷ୍ଟାର୍କ ୧୭-୩-୪୬-୨, ଜୋସ୍‌ ହାଜ୍‌ଲେଉଡ୍‌ ୧୧-୩-୨୪-୨, ପ୍ୟାଟ୍‌ କମିନ୍‌ସ ୯-୦-୨୫-୨, ନାଥନ୍‌ ଲାୟନ୍‌ ୧୯-୩-୩୯-୩।

ସମ୍ବନ୍ଧିତ ଖବର