ନ୍ୟୁଜିଲାଣ୍ଡ୍‌ରେ ବି ସୂର୍ଯ୍ୟ ଉଦୟ: ଭାରତ ୬୫ ରନ୍‌ରେ ଜିତିଲା

ଏମିତି ପାଳି ଦେଖିନଥିଲି ୱିଲିୟମସନ୍‌

ମାଉଣ୍ଟ ମୌଙ୍ଗନୁଇ: ୨୦୨୨ ମସିହାରେ ସୂର୍ଯ୍ୟଙ୍କ ତେଜ କମିବାର ନାଁ ଧରୁନାହିଁ, ବରଂ ଦିନକୁ ଦିନ ଅଧିକ ତେଜିଆନ‌ ହେବାରେ ଲାଗିଛି। ‘ବେ ଅଫ୍‌ ପ୍ଲେଣ୍ଟି’ ଭାବେ ପରିଚିତ ସହର ମାଉଣ୍ଟ୍ ମୌଙ୍ଗନୁଇରେ ରବିବାର ବି ଭାରତୀୟ ସୂର୍ଯ୍ୟଙ୍କ ଉଦୟ ହୋଇଥିଲା। ବର୍ଷା ବି ଲୁଚିଯାଇଥିଲା ସୂର୍ଯ୍ୟଙ୍କ ବ୍ୟାଟିଂରେ। ସ୍କାଏ (ସୂର୍ଯ୍ୟ କୁମାର ଯାଦବ)ଙ୍କ ରନ୍‌ ବର୍ଷାରେ ବରଂ ବୁଡ଼ିଯାଇଥିଲା ‘ବେ ଓଭାଲ୍’ ଷ୍ଟାଡିୟମ୍‌। ସ୍ପିନର୍‌ ଯଦି ଅଫଷ୍ଟମ୍ପ୍‌ରେ ଫୁଲ୍‌ ଲେନଥ୍‌ ପକାଉଥିଲେ ସୂର୍ଯ୍ୟ ତାକୁ ଖୁସିରେ ଖୁସିରେ କଭର ଉପରେ ଖେଳି ‌ଦେଉଥିଲେ। ଦ୍ରୁତ ବୋଲର ଯଦି ତାଙ୍କ ଷ୍ଟମ୍ପ୍‌କୁ ଗୁଡ୍‌ ଲେନ୍‌ଥରେ ଟାର୍ଗେଟ୍‌ କରୁଥିଲେ ସୂର୍ଯ୍ୟ ବଲ୍‌କୁ ତାଙ୍କ ଟ୍ରେଡ୍ ମାର୍କ ପିକ୍‌ ଅପ୍‌ ସଟ୍‌ ଜରିଆରେ ଫାଇନ୍ ଲେଗ୍‌ ଉପରେ ଛକା ମାରି ଦେଉଥିଲେ। ବୋଲରଙ୍କୁ ମନମୁଖି ଖେଳିବା ସହ ସେମାନଙ୍କ ସମସ୍ତ କୌଶଳ ଓ ପ୍ରୟାସକୁ ପଣ୍ଡ କରି ଦେଇଥିଲେ ଏହି ମୁମ୍ବାଇ ତାରକା। ଆଇସିସି ବିଶ୍ବ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା ଏହି ୩୨ ବର୍ଷୀୟ ଡାହାଣହାତୀ ବ୍ୟାଟର୍‌ ରବିବାର ନ୍ୟୁଜିଲାଣ୍ଡ୍‌ ବୋଲରଙ୍କୁ ନୟାନ୍ତ କରି ମାତ୍ର ୫୧ ବଲରୁ ୧୧୧* ରନ୍‌ ସଂଗ୍ରହ କରି ନେଇଥିଲେ। ଏହା ଭିତରେ ୧୧ ଚୌକା ଓ ୭ ଛକା ସାମିଲ ରହିଥିଲା। ନିଜେ ସମ୍ମୁଖୀନ ହୋଇଥିବା ଶେଷ ୧୮ ବଲ୍‌ରୁ ୬୪ ରନ୍ ଆଦାୟ କରିଥିଲେ। ପ୍ରଥମ ୫୦ ରନ୍‌ ପାଇଁ ସେ ୩୨ ବଲ୍‌ ଖେଳିଥିଲେ ମଧ୍ୟ ଦ୍ବିତୀୟ ୫୦ ରନ୍‌ ପାଇଁ ମାତ୍ର ୧୭ ବଲ୍‌ର ସହାୟତା ନେଇଥିଲେ। ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରେ ଏହା ସୂର୍ଯ୍ୟଙ୍କ ଦ୍ବିତୀୟ ଶତକ। ଚଳିତ ବର୍ଷ ଜୁଲାଇ ୧୦ ତାରିଖରେ ଇଂଲଣ୍ଡ ବିପକ୍ଷ ନଟିଂହାମ୍‌ ମ୍ୟାଚ୍‌ରେ ସେ ୫୫ ବଲରୁ ୧୧୭ ରନ୍‌ ସଂଗ୍ରହ କରିଥିଲେ।

ସୂର୍ଯ୍ୟଙ୍କ ବିସ୍ଫୋରକ ପାଳି ବଳରେ ଭାରତ ରବିବାର ଘରୋଇ ନ୍ୟୁଜିଲାଣ୍ଡ୍‌କୁ ୬୫ ରନ୍‌ର ବଡ଼ ବ୍ୟବଧାନରେ ହରାଇ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ପ୍ରଥମଟି ବର୍ଷା ‌ଧୋଇନେଇଥିବାରୁ ଭାରତ ଏବେ ଶୃଙ୍ଖଳାରେ ମଧ୍ୟ ସୁରକ୍ଷିତ ‌ହୋଇଯାଇଛି। ମଙ୍ଗଳବାର ନାପିଏରରେ ତୃତୀୟ ତଥା ଶେଷ ଟ୍ବେଣ୍ଟି-୨୦ ଖେଳାଯିବ। ରବିବାର ଭାରତ ପାଇଁ ବୋଲରମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ଭାରତ ୧୯୧ ରନ୍‌ ସ୍କୋର୍‌ କରିବାବେଳେ ଘରୋଇ ଦଳକୁ ୧୨୬ ରନ୍‌ରେ ଅଲ୍‌ ଆଉଟ୍ କରି ଦେଇଥିଲା। ବିଶ୍ବକପ୍‌ ବେଳେ ବେଞ୍ଚ୍‌ରେ ବସି ବସି ଆସିଥିବା ୟୁଝବେନ୍ଦ୍ର ଚହଲ (୪-୦-୨୬-୦) ଏବଂ ମହମ୍ମଦ ସିରାଜ (୪-୧-୨୪-୨) ମିତବ୍ୟୟୀ ତଥା ସଫଳ ବୋଲର ଥିଲେ। ୱିକେଟ୍ ଦଖଲ ଦୃଷ୍ଟିରୁ କିନ୍ତୁ ୧୯ତମ ଓଭରରେ ୩ ୱିକେଟ୍ ନେଇଥିବା ଦୀପକ ହୁଡ଼ା (୨.୫-୦-୧୦-୪) ସଫଳତମ ଥିଲେ। ସବୁଠୁ ଅଭିଜ୍ଞ ଭୁବନେଶ୍ବର କୁମାର (୩-୦-୧୨-୧) ମଧ୍ୟ ସବୁଠୁ ମିତବ୍ୟୟୀ ବୋଲର ହୋଇଥିଲେ।

ସାଉଦିଙ୍କ ହ୍ୟାଟ୍ରିକ୍‌
ଅନେକ ଦୃଷ୍ଟିରୁ ରବିବାର ମ୍ୟାଚ୍‌ ଘଟଣାବହୁଳ ଥିଲା। ଭାରତ ପାଳିରେ ସୂର୍ଯ୍ୟଙ୍କ ୧୧୧* ରନ୍‌ ବାଦ୍‌ ଦ୍ବିତୀୟ ସର୍ବାଧିକ ରନ୍‌ ସଂଗ୍ରହ କରିଥିଲେ ପ୍ରାରମ୍ଭିକ ବ୍ୟାଟର୍‌ ଈଶାନ କିଶନ (୩୬ ରନ୍‌)। ବର୍ଷା ବି ଅଟକାଇଥିଲା ଭାରତ ପାଳିକୁ ସାମୟିକ। ୬.୪ ଓଭରରେ ଭାରତ ୫୦/୧ରେ ଥିବାବେଳେ ବର୍ଷା ପାଇଁ ପ୍ରାୟ କିଛି ସମୟ ଖେଳ ଅଟକିଥିଲା। କିନ୍ତୁ ଓଭର ପ୍ରଭାବିତ ନହୋଇ ଏହା ପୁନଃ ଆରମ୍ଭ ପରେ ସୂର୍ଯ୍ୟଙ୍କ ରଶ୍ମିରେ କିୱିମାନେ ମଳିନ ପଡ଼ିଯାଇଥିଲେ। ଦଳଗତ ଭାବେ ଭାରତ ବ୍ୟାଟିଂ ବିଫଳତାର ଶିକାର ହୋଇଥିଲା। ଅନ୍ୟ ଦୁଇ ଜଣ ମାତ୍ର ଦୁଇ ଅଙ୍କ ଛୁଇଁ ପାରିଥିଲେ (ଶ୍ରେୟସ ଆୟର ଓ ହାର୍ଦିକ ପାଣ୍ଡ୍ୟା ୧୩ ରନ୍‌ ଲେଖାଏଁ)। ଭାରତ ପାଳିର ଶେଷ ଆଡ଼କୁ ଟିମ୍ ସାଉଦି ମଧ୍ୟ ଏକ ବିରଳ ସଫଳତା ଅର୍ଜନ କରିଥିଲେ। ବିଂଶତମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲରେ ଯଥାକ୍ରମେ ହାର୍ଦିକ ପାଣ୍ଡ୍ୟା, ଦୀପକ ହୁଡ଼ା, ୱାସିଂଟନ୍‌ ସୁନ୍ଦରଙ୍କୁ ଆଉଟ୍ କରି ହ୍ୟାଟ୍ରିକ୍ ଅର୍ଜନ କରିଥିଲେ। ସେ ସର୍ବାଧିକ ୩ ୱିକେଟ୍ ନେଇଥିଲେ ଏବଂ ଲୋକି ପର୍ଗୁସନ୍ ସର୍ବାଧିକ ୪୯ ରନ୍‌ ବ୍ୟୟ କରିଥିଲେ।

ପନ୍ତ୍‌ ଚାଲ୍‌ ଫେଲ୍‌
ଭାରତ ରବିବାର ମ୍ୟାଚ୍‌ରେ ଭିନ୍ନ ଯୋଜନାରେ ଖେଳିଥିଲା। ଟସ୍ ହାରିବା ପରେ ଦୁଇ ବାମହାତୀ ବ୍ୟାଟର୍‌ ଈଶାନ କିଶନ ଓ ଋଷଭ ପନ୍ତ ପାଳି ଆରମ୍ଭ କରିବାକୁ ଆସିଥିଲେ। ବାମ-ଡାହାଣ ସମନ୍ବୟ ଲାଗି ଶୁବମନ ଗିଲ୍‌-ଋଷଭ ପନ୍ତ୍‌ଙ୍କୁ ନେଇ ଖେଳିବା କଥା ଆଲୋଚନା ହୋଇଥିଲେ ମଧ୍ୟ ଏହାର ପାଲଟା କରିଥିଲେ ଲକ୍ଷ୍ମଣ-ହାର୍ଦିକ। ତେବେ ପନ୍ତ୍‌ଙ୍କୁ ମିଳିଥିବା ସୁଯୋଗକୁ ସେ ହାତଛଡ଼ା କରି ଦେଇଥିବାରୁ ଟ୍ବେଣ୍ଟି-୨୦ରେ ତାଙ୍କ ଭୂମିକାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ୧୩ ବଲ୍‌ ଖେଳିଥିଲେ ମଧ୍ୟ ସେ ମାତ୍ର ୬ ରନ୍‌ କରିଥିଲେ। ପନ୍ତ୍‌ଙ୍କୁ ନେଇ ଭାରତର ପ୍ରଥମ ପରିବର୍ତନ ଚାଲ୍‌ ‌ଫେଲ୍ ମାରିଥିଲା।

ଏମିତି ପାଳି ଦେଖିନଥିଲି
ସୂର୍ଯ୍ୟକୁମାରଙ୍କ ବ୍ୟାଟିଂ ଦେଖି ନ୍ୟୁଜିଲାଣ୍ଡ୍‌ ଅଧିନାୟକ ‌କେନ୍‌ ୱିଲିୟମସନ୍‌ ଆଶ୍ଚର୍ଯ୍ୟଚକିତ ହୋଇଯାଇଛନ୍ତି। ମ୍ୟାଚ୍‌ ପରେ କହିଛନ୍ତି ‘ଆମେ ଭଲ ଖେଳିପାରିଲୁ ନାହିଁ। ଏଭଳି ପାଳି (ସୂର୍ଯ୍ୟଙ୍କ ୫୧ ବଲ୍‌ ୧୧୧* ରନ୍‌) କିନ୍ତୁ ମୁଁ କେବେ ଦେଖିନଥିଲି। ଏହା ପରବର୍ତୀ ସ୍ତରର କ୍ରିକେଟ୍‌। ଟ୍ବେଣ୍ଟି-୨୦ କ୍ରିକେଟ୍ ଦ‌ିନେ ଏଭଳି ‌ହୋଇଯିବ। ଆମେ ନିୟମିତ ୱିକେଟ୍ ହରାଇ ତୁଳନୀୟ ପ୍ରଦର୍ଶନ କରିପାରିଲୁ ନାହିଁ’। ଭାରତୀୟ ଅଧିନାୟକ ହାର୍ଦିକ ପାଣ୍ଡ୍ୟା କହିଥିଲେ ‘ସୂର୍ଯ୍ୟ ଆମକୁ ଆଶାଠାରୁ ୩୦ ରନ୍‌ ଅଧିକ ଦେଲେ। ଏହା ଏକ ସ୍ବୟଂସମ୍ପୂର୍ଣ୍ଣ ମ୍ୟାଚ୍‌ ଥିଲା। ଶାରୀରିକ ଭାଷା ବଡ଼ କଥା। ଆମ ଷଷ୍ଠ ବୋଲର ଦୀପକ ହୁଡ଼ାଙ୍କ ଅଢ଼େଇ ଓଭର ମଧ୍ୟ ଘରୋଇ ଦଳ ଉପରେ ଚାପ ପକାଇଥିଲା’। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ସୂର୍ଯ୍ୟକୁମାର କହିଥିଲେ ‘ବ୍ୟାଟିଂକୁ ଆସିବା ବେଳଠୁ ଯୋଜନା ସ୍ପଷ୍ଟ ଥିଲା। ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ପାର୍ ସ୍କୋର୍‌ ୧୭୦ ରନ୍‌ କରିବାର ଥିଲା। ପରିସ୍ଥିତି ଯାହାବି ଥାଉ ଭଲ ଆଭିମୁଖ୍ୟରେ ଖେଳିଥିଲି।’

ସମ୍ବନ୍ଧିତ ଖବର