ମୁମ୍ବାଇ : ସୂର୍ଯ୍ୟକୁମାର ଯାଦବଙ୍କ ପ୍ରଥମ ଆଇପିଏଲ୍ ଶତକ ପରେ ବୋଲରଙ୍କ ଜବରଦସ୍ତ ପ୍ରଦର୍ଶନ ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ ଅଫ୍ ଆଶା ପୁଣି ଥରେ ଉଜ୍ଜୀବିତ ହୋଇଛି। ଗତକାଲି ୱାଙ୍ଖଡେ ଷ୍ଟାଡିୟମ୍ରେ ଖେଳାଯାଇଥିବା ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ମୁମ୍ବାଇ ୨୭ ରନ୍ରେ ପରାସ୍ତ କରି ପଏଣ୍ଟ ଟେବୁଲ୍ର ତୃତୀୟ ସ୍ଥାନକୁ ଉଠିଛି। ତେବେ ଏହାରି ସହ କମଳା କ୍ୟାପ୍ ଏବଂ ବାଇଗଣୀ କ୍ୟାପ୍ ରେସରେ ମଧ୍ୟ ଏକ ବଡ଼ ପରିବର୍ତ୍ତନ ହୋଇଛି | ଗୁଜୁରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ଏକ ଶତକ ହାସଲ କରି ୧୦୩ ରନ୍ ସଂଗ୍ରହ କରିଥିଲେ। ଏହି କାରଣରୁ ସେ ଏହି ସିଜନରେ ୪୭୯ ରନ୍ ସଂଗ୍ରହ କରିଛନ୍ତି। ଏହା ସହ ସେ କମଳା କ୍ୟାପ୍ ରେସରେ ତିନି ନମ୍ବରରେ ପହଞ୍ଚିଛନ୍ତି। ୫୭୬ ରନ୍ ସହ ଫାଫ୍ ଡୁ ପ୍ଲେସିସ୍ ବର୍ତ୍ତମାନ ଏହି ତାଲିକାର ଶୀର୍ଷରେ ଅଛନ୍ତି |
ଅନ୍ୟପକ୍ଷରେ, ଯଶସ୍ୱୀ ଜୈସୱାଲ ୫୭୫ ରନ୍ ସହ ଦ୍ଵିତୀୟ ସ୍ଥାନରେ ଥିବାବେଳେ ସୂର୍ଯ୍ୟକୁମାର ଯାଦବ(୪୭୯) ତୃତୀୟ,ଶୁଭମନ ଗିଲ(୪୭୫) ଚତୁର୍ଥ, କନୱେ (୪୬୮) ପଞ୍ଚମ ସ୍ଥାନରେ ଅଛନ୍ତି | ସେହିପରି ଆଇପିଏଲ୍ ୨୦୨୩ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲରଙ୍କ ବାବଦରେ କହିବାକୁ ଗଲେ ଗତକାଲି ମ୍ୟାଚ ପରେ ରସିଦ୍ ଖାନ୍ ଚଳିତ ସିଜନରେ ବର୍ତ୍ତମାନ ୨୩ ୱିକେଟ୍ ନେଇ ୟୁଜଭେନ୍ଦ୍ର ଚହଲଙ୍କୁ ପଛରେ ପକାଇ ଦେଇଛନ୍ତି। ରସିଦଙ୍କ ବ୍ୟତୀତ ପୀୟୁଷ ଚାୱଲା ମଧ୍ୟ ଏହି ମ୍ୟାଚରେ ୨ ୱିକେଟ୍ ନେଇ ମୋଟ ୧୯ଟି ୱିକେଟ୍ ନେଇଛନ୍ତି। ବାଇଗଣୀ କ୍ୟାପ୍ ଦୋୖଡରେ ପ୍ରଥମରେ ରସିଦ ଖାନ ୨୩ ୱିକେଟ, ୟୁଜଭେନ୍ଦ୍ର ଚହଲ ୨୧ ୱିକେଟ, ପୀୟୁଷ ଚାୱଲା ୧୯ ୱିକେଟ, ମହମ୍ମଦ ଶାମି ୧୯ ୱିକେଟ, ତୁଷାର ଦେଶପାଣ୍ଡେ ୧୯ ୱିକେଟ୍ ପ୍ରମୁଖ ଅଛନ୍ତି |