ସୂର୍ଯ୍ୟ ନୂଆ ମିଷ୍ଟର ୩୬୦ ଡିଗ୍ରୀ: ଗାଭାସ୍କର

‘ରବର ବଲ୍‌ କ୍ରିକେଟ୍‌ ଖେଳିବା ଦିନଠୁ ସ୍କୁପ୍‌ ସଟ୍‌ରେ ମାହିର’

ନୂଆଦିଲ୍ଲୀ: ବିଶ୍ବର ୧ ନମ୍ବର ଟ୍ବେଣ୍ଟି-୨୦ ବ୍ୟାଟର୍‌ ସୂର୍ଯ୍ୟକୁମାର ଯାଦବ ତାଙ୍କର ପ୍ରଥମ ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଚମକ ଦେଖାଇଛନ୍ତି। ସୁପର ୧୨ ପର୍ଯ୍ୟାୟରେ ଦମ୍‌ଦାର ବ୍ୟାଟିଂ ବଳରେ ସେ ଭାରତକୁ ସେମିଫାଇନାଲ୍‌ରେ ପହଞ୍ଚାଇଛନ୍ତି। ରବିବାର ଜିମ୍ବାୱେ ବିପକ୍ଷରେ ମଧ୍ୟ ସମାନ ଲୟ ବଜାୟ ରଖି ପଡ଼ିଆର ଚତୁର୍ଦିଗକୁ ଚୌକା, ଛକାର ବର୍ଷା କରିଥିଲେ। ତେଣୁ ପଡ଼ିଆର ଚାରିପଟକୁ ସଟ୍‌ ମାରିପାରୁଥିବାରୁ ସେ ହେଉଛନ୍ତି ନୂତନ ମିଷ୍ଟର ୩୬୦ ଡିଗ୍ରୀ ବୋଲି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର କହିଛନ୍ତି। ସୁନିଲ କହିଛନ୍ତି ଯେ, ବୋଲର ଯେଉଁ‌ କୋଣ‌କୁ ବଲ୍‌ ପକାଉଛନ୍ତି, ସେହି କୋଣରେ ସେ ବଲ୍‌କୁ ରାସ୍ତା ଦେଖାଉଛନ୍ତି। ଏପରିକି ୱିକେଟ୍‌ରକ୍ଷକଙ୍କ ପାଖ ବାମପଟକୁ ମଧ୍ୟ ସୂର୍ଯ୍ୟ ଛକା ମାରିଥିଲେ। ତେବେ ଶେଷ ଓଭର ବେଳକୁ ସେ ଅଧିକ ସ୍କୋ‌ୟାର ଅଞ୍ଚଳକୁ ଖେଳୁଥିବା ଦେଖାଯାଇଥିଲା। ତେଣୁ ତାଙ୍କ ପାଖରେ କ୍ରିକେଟ୍‌ର ସବୁପ୍ରକାରର ସଟ୍‌ ଭରି ରହିଛି। ଯଦି ଭାରତ ସେମିଫାଇନାଲ୍‌ ପର୍ଯ୍ୟନ୍ତ ପହଞ୍ଚିପାରିଛି, ତାହାର ବଡ଼ ଶ୍ରେୟ ସୂର୍ଯ୍ୟକୁମାରଙ୍କୁ ଯିବ ବୋଲି ଗାଭାସ୍କର କହିଛନ୍ତି।

ଗାଭାସ୍କରଙ୍କ ଅନୁଯାୟୀ, ଭାରତକୁ ଏକ ସମ୍ମାନଜନକ ସ୍ଥାନରେ ପହଞ୍ଚାଇବା ପାଇଁ ସେ ବଡ଼ ଭୂମିକା ନେଉଛନ୍ତି। ତାଙ୍କ ସହଯୋଗ ବଳରେ ଭାରତ ମେଲବର୍ଣ୍ଣରେ ସବୁଠୁ ଅଧିକ ରନ୍‌ ସଂଗ୍ରହ କରିପାରିଥିଲା। ସୂର୍ଯ୍ୟଙ୍କ ଅପରାଜିତ ୬୧ ରନ୍‌ ବିନା ଭାରତ ୧୫୦ରେ ପହଞ୍ଚିବା ବି କଷ୍ଟକର ହୋଇଥା’ନ୍ତା। ଯଦି ସୂର୍ଯ୍ୟ ବିଫଳ ହୋଇଥା’ନ୍ତେ, ତାହେଲେ ଫର୍ମକୁ ଫେରିଥିବା ରାହୁଲଙ୍କୁ ଲମ୍ବା ଖେଳିବାକୁ ପଡ଼ିଥା’ନ୍ତା। ବର୍ତ୍ତମାନ ଭାରତୀୟ ଦଳରେ ସୂର୍ଯ୍ୟକୁମାରଙ୍କ ସହ କୋହଲି ସେମାନଙ୍କ ଶ୍ରେଷ୍ଠ ଲୟରେ ଗତି କରୁଛନ୍ତି। ହେଲେ ଅଧିନାୟକ ରୋହିତ ଶର୍ମାଙ୍କ ପ୍ରଦର୍ଶନ ଚିନ୍ତାଜନକ ରହିଛି। କେବଳ ନେଦରଲାଣ୍ଡ୍ସ ବିପକ୍ଷରେ ସେ ୫୩ ରନ୍‌ର ପାଳି ଖେଳିଥିଲା ବେଳେ ବିଶ୍ବକପ୍‌ରେ ମାତ୍ର ୮୯ ରନ୍‌ କରିପାରିଛନ୍ତି। ଆଗକୁ ଦୁଇଟି ବଡ଼ ମ୍ୟାଚ୍‌ ଆସୁଛି। ତେଣୁ ଏଗୁଡ଼ିକରେ ରୋହିତଙ୍କୁ ଭଲ ପ୍ରଦର୍ଶନ କରିବେ ବୋଲି ଗାଭାସ୍କର ଆଶା ପ୍ରକଟ କରିଛନ୍ତି।

‘ରବର ବଲ୍‌ କ୍ରିକେଟ୍‌ ଖେଳିବା ଦିନଠୁ ସ୍କୁପ୍‌ ସଟ୍‌ରେ ମାହିର’
ରବିବାର ଜିମ୍ବାୱେ ବିପକ୍ଷରେ ସର୍ବାଧିକ ରନ୍‌ କରିଥିବା ସୂର୍ଯ୍ୟକୁମାର ଯାଦବଙ୍କ ସ୍କୁପ୍‌ ସଟ୍‌କୁ ନେଇ ଚାରିଆଡ଼େ ଚର୍ଚ୍ଚା ଚାଲିଛି। ତେବେ ରବର ବଲ୍‌ରେ ଦୀର୍ଘ ବର୍ଷଧରି ଅଭ୍ୟାସ କରିବା ପରଠୁ ଏଭଳି ଅଣ କ୍ରିକେଟ୍‌ ସଟ୍‌ ଉପରେ ମାହିର୍‌ ହୋଇଯାଇଥିବା ସୂର୍ଯ୍ୟ ଖୁଲାସା କରିଛନ୍ତି। ସୂର୍ଯ୍ୟ ଏହି ମ୍ୟାଚ୍‌ରେ ୨୫ ବଲ୍‌ରୁ ୬୧ ରନ୍‌ ସଂଗ୍ରହ କରିଥିଲା ବେଳେ ଭାରତ ୫ ୱିକେଟ୍‌ ହରାଇ ୧୮୬ ରନ୍‌ ସଂଗ୍ରହ କରିଥିଲେ। ତାଙ୍କର ଏହି ପାଳି ଭିତରେ ୬ ଚୌକା ଓ ୪ ଛକା ସାମିଲ ଥିଲା। ତେବେ ସବୁଠୁ ଅଧିକ ଚର୍ଚ୍ଚା ହୋଇଥିବା ସଟ୍‌ ମଧ୍ୟରେ ପାଳିର ଶେଷ ବଲ୍‌କୁ ରିଚାର୍ଡ ଏନଗର୍ଭା ବୋଲିଂ କରୁଥିଲା ବେଳେ ଅଫ୍‌ ଷ୍ଟମ୍ପ୍‌ ବାହାରୁ ବଲ୍‌କୁ ଫୁଲ୍‌ ଟସ୍‌ କରାଇ ଫାଇନ୍‌ ଲେଗ୍‌ ଅଞ୍ଚଳକୁ ସ୍କୁପ୍‌ ମାରିବା ଆଲୋଚନାର ପ୍ରସଙ୍ଗ ପାଲଟିଛି। ଏଭଳି ଶୈଳୀର ସଟ୍‌କୁ ଦୁଇ କିଂବଦନ୍ତି ଖେଳାଳି ରବି ଶାସ୍ତ୍ରୀ ଓ ସୁନିଲ ଗାଭାସ୍କର ପ୍ରଶଂସା କରିଛନ୍ତି। ଏପରି ସଟ୍‌ ଖେଳିବାକୁ ହେଲେ ପ୍ରଥମେ ବୋଲର କ’ଣ ପକାଇବାକୁ ଚାହୁଁଛି ତାହାକୁ ଟିକେ ଆଗରୁ ଠଉରାଇବାକୁ ପଡ଼ିବ। ସେହି ଅନୁସାରେ ବଲ୍‌କୁ ତାହାର ଦିଗ ଦେଖାଇବାକୁ ହେବ ବୋଲି ସୂର୍ଯ୍ୟ ଏକ ଟେଲିଭିଜନ୍‌ କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି।

ଏଥିପାଇଁ ସେ ଯେତେବେଳେ ରବର ବଲ୍‌ରେ କ୍ରିକେଟ୍‌ ଖେଳୁଥିଲେ, ସେବେଠୁ ଏହି ସଟ୍‌ ଉପରେ ଅନେକଥର ଅଭ୍ୟାସ କରିଛନ୍ତି। ଏବେ ଏହାର ସଫଳତା ମିଳୁଛି। ବୋଲର କ’ଣ ଭାବି ବୋଲିଂ କରୁଛି, ତାହାକୁ ମଧ୍ୟ ଜାଣିବାକୁ ପଡ଼ିବ। ଏଥିସହ ବାଉଣ୍ଡରି କେତେ ବଡ଼ ତାହାକୁ ମଧ୍ୟ ଧ୍ୟାନରେ ରଖିବାକୁ ହେବ। ଯଦି ଫିଲ୍ଡରମାନଙ୍କୁ ଉପରକୁ ଅଣାଯାଇଥାଏ, ତାହେଲେ ବଲ୍‌ର ଗତିକୁ ବିନିଯୋଗ କରି ପଛକୁ ସଟ୍‌ ମାରିବ‌ାକୁ ଚେଷ୍ଟା କରିଥାଏ। ଭଲ ଟାଇମ୍‌ ହେଲେ ଓ ବ୍ୟାଟ୍‌ ମଝିରେ ବାଜିଲେ‌ ଚୌକା, ଛକା ମିଳିଯାଉଥିବା ସେ କହିଛନ୍ତି। ଅନ୍ୟପକ୍ଷରେ ସୂର୍ଯ୍ୟଙ୍କ ୩୬୦ ଡିଗ୍ରୀ ଅବତାରକୁ ଦେଖି ଦୁଇ ପୂର୍ବତନ ପାକିସ୍ତାନ କ୍ରିକେଟର ୱାସିମ ଆକ୍ରମ ଓ ୱାକର ୟୁନିସ୍‌ ତାଙ୍କୁ ଅନ୍ୟ ଏକ ଗ୍ରହରୁ ଆସିଥିବା ଜଣେ ଖେଳାଳି ଏକ ଟେଲିଭିଜନ୍‌ ଆଲୋଚନାରେ କହିଥିଲେ।

ସମ୍ବନ୍ଧିତ ଖବର