ଦୁବାଇ: ଭାରତୀୟ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଓ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ଚଳିତ ବର୍ଷ ପାଇଁ ଆଇସିସିର ଶ୍ରେଷ୍ଠ ଟ୍ବେଣ୍ଟି-୨୦ କ୍ରିକେଟର ଦୌଡ଼ରେ ସ୍ଥାନ ପାଇଛନ୍ତି। ପୁରୁଷ ବିଭାଗରେ ସୂର୍ଯ୍ୟକୁମାରଙ୍କ ସହିତ ଇଂଲଣ୍ଡ ଅଲରାଉଣ୍ଡର ସାମ୍ କରନ୍, ପାକିସ୍ତାନ ୱିକେଟ ରକ୍ଷକ ମହମ୍ମଦ ରିଜୱାନ ଓ ଜିମ୍ବାୱେ ଅଲରାଉଣ୍ଡର ସିକନ୍ଦର ରାଜା ରହିଥିଲା ବେଳେ ମହିଳାରେ ପାକିସ୍ତାନର ଅଲରାଉଣ୍ଡର ନିଦା ଦର, ନ୍ୟୁଜିଲାଣ୍ଡର ସୋଫି ଦେବୀନେ ଓ ଅଷ୍ଟ୍ରେଲିଆର ତାହିଲା ମ୍ୟାକ୍ଗ୍ରା ଏହି ପୁରସ୍କାର ପାଇଁ ସ୍ମୃତିଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ।
ସୂର୍ଯ୍ୟକୁମାର ୨୦୨୨ ବର୍ଷ ସୀମିତ ଓଭର କ୍ରିକେଟ୍ରେ ୧ ହଜାରରୁ ଊର୍ଦ୍ଧ୍ବ ସ୍କୋର କରିବାରେ ଦ୍ବିତୀୟ ବ୍ୟାଟର ହୋଇଥିଲେ। ବର୍ଷ ଶେଷ ବେଳକୁ ସେ ୧୧୬୪ ରନ୍ କରିଥିଲେ। ଏହି ବର୍ଷ ସେ ୬୮ ଛକା ମାରି ନୂଆ କୀର୍ତ୍ତିମାନ କରିଥିଲେ। ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ସେ ୩ ଅର୍ଦ୍ଧଶତକ ମାରିଥିଲେ। କ୍ୟାରିୟର ଶ୍ରେଷ୍ଠ ୮୯୦ ପଏଣ୍ଟ ପାଇ ଟ୍ବେଣ୍ଟି-୨୦ ମାନ୍ୟତାର ଶୀର୍ଷକୁ ପହଞ୍ଚିପାରିଛନ୍ତି। ମହିଳା ଟ୍ବେଣ୍ଟି-୨୦ କ୍ରିକେଟରେ ସ୍ମୃତି ୨୫୦୦ ରନ୍ ପାର୍ କରିଛନ୍ତି। ପ୍ରଥମ ଭାରତୀୟ ମହିଳା ଭାବେ ୨୩ ବଲ୍ରୁ ଦ୍ରୁତ ଅର୍ଦ୍ଧଶତକ ମାରିଥିଲେ।