ନୂଆଦିଲ୍ଲୀ: ଚଳିତ ମାସର ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଦିନିକିଆ ଓ ଟ୍ବେଣ୍ଟି-୨୦ ଦଳ ଗୁରୁବାର ଘୋଷିତ ହୋଇଛି। ବିଶ୍ବକପ୍ ବିଜୟ ସ୍ବପ୍ନ ସାକାର କରିବା ପରେ ରୋହିତ ଶର୍ମା ଓ ବିରାଟ କୋହଲି ଟ୍ବେଣ୍ଟି-୨୦ ଫର୍ମାଟକୁ ଛାଡ଼ି ଦେଇଥିବା ବେଳେ ଏହି ଶୃଙ୍ଖଳାରେ କେବଳ ଦିନିକିଆ ଖେଳିବେ। ରୋହିତ ଦିନିକିଆ ଦଳ ବଜାୟ ରଖିଥିବା ବେଳେ ହାର୍ଦିକ ପାଣ୍ଡ୍ୟାଙ୍କୁ ପଛରେ ପକାଇ ସୂର୍ଯ୍ୟକୁମାର ୟାଦବ ଟ୍ବେଣ୍ଟି-୨୦ ଦଳର ନୂଆ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଶୁବମନ ଗିଲଙ୍କୁ ଉଭୟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି। ପାଣ୍ଡ୍ୟା ଦିନିକିଆ ଶୃଙ୍ଖଳା ମିସ୍ କରିବେ କିନ୍ତୁ ଟ୍ବେଣ୍ଟି-୨୦ରେ ଖେଳିବେ। ଯଶପ୍ରୀତ୍ ବୁମରାଙ୍କୁ ଉଭୟ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଛି। ଶ୍ରେୟସ୍ ଆୟର, କେଏଲ୍ ରାହୁଲ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ରାଜସ୍ଥାନ ରୟାଲ୍ସ ତାରକା ରିୟାନ୍ ପରାଗ ଉଭୟ ଦଳରେ ଆଶ୍ଚର୍ଯ୍ୟଜନକ ଭାବେ ସ୍ଥାନ ପକ୍କା କରିଛନ୍ତି। ଯୁବ ଦ୍ରୁତ ବୋଲର ହର୍ଷିତ ରାଣା ନୂଆ ମୁହଁ ଭାବେ ଦିନିକିଆ ଦଳରେ ସୁଯୋଗ ପାଇଛନ୍ତି। ଜୁଲାଇ ୨୭ ତାରିଖରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ଶୃଙ୍ଖଳାରେ ଭାରତ ୩ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳିବ।
ଭାରତୀୟ ଟ୍ବେଣ୍ଟି-୨୦ ଦଳ: ସୂର୍ଯ୍ୟକୁମାର ୟାଦବ (ଅଧିନାୟକ), ଶୁବମନ ଗିଲ୍ (ଉପଅଧିନାୟକ), ଯଶସ୍ବୀ ଜୟସ୍ବାଲ, ରିଙ୍କୁ ସିଂହ, ରିୟାନ ପରାଗ, ଋଷଭ ପନ୍ତ (ୱିକେଟରକ୍ଷକ), ସଂଜୁ ସାମସନ (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ଅକ୍ଷର ପଟେଲ୍, ୱାସିଂଟନ୍ ସୁନ୍ଦର, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଖଲିଲ୍ ଅହମ୍ମଦ, ମହମ୍ମଦ ସିରାଜ।
ଭାରତୀୟ ଦିନିକିଆ ଦଳ: ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ୍ (ଉପଅଧିନାୟକ), ବିରାଟ କୋହଲି, କେଏଲ୍ ରାହୁଲ (ୱିକେଟରକ୍ଷକ), ଋଷଭ ପନ୍ତ (ୱିକେଟରକ୍ଷକ), ଶ୍ରେୟସ ଆୟର, ଶିବମ ଦୁବେ, କୁଲଦୀପ ୟାଦବ, ମହମ୍ମଦ ସିରାଜ, ୱାସିଂଟନ୍ ସୁନ୍ଦର, ଅର୍ଶଦୀପ ସିଂହ, ରିୟାନ ପରାଗ, ଅକ୍ଷର ପଟେଲ୍, ଖଲିଲ୍ ଅହମ୍ମଦ, ହର୍ଷିତ ରାଣା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/07/surya.jpg)