ଦିନିକିଆ ଦଳରେ ସୂର୍ଯ୍ୟକୁମାର, ନଟରାଜନ୍‌, କ୍ରୁନାଲ ଓ ପ୍ରସିଦ୍ଧ

ନୂଆଦିଲ୍ଲୀ : ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳା ଲାଗି ଶୁକ୍ରବାର ଭାରତୀୟ ଦଳ ଘୋଷିତ ହୋଇଛି। ମୁମ୍ବାଇ ବ୍ୟାଟ୍‌ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ, ବରୋଦା ଅଲ୍‌ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଏବଂ କର୍ଣ୍ଣାଟକ ପେସର୍‌ ପ୍ରସିଦ୍ଧ କୃଷ୍ଣ ୧୮ ଜଣିଆ ଦଳରେ ସାମିଲ ହୋଇଛନ୍ତି। ଉଭୟ ପ୍ରସିଦ୍ଧ କୃଷ୍ଣ ଓ କ୍ରୁନାଲ ପାଣ୍ଡ୍ୟା ନିକଟରେ ଶେଷ ହୋଇଥିବା ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ ପାଇଁ ଦଳରେ ସାମିଲ ହୋଇଥିଲା ବେଳେ ଇଂଲଣ୍ଡ ବିପକ୍ଷ ଚଳିତ ଟି-୨୦ ଶୃଙ୍ଖଳାର ଚତୁର୍ଥ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ ପାଇଁ ସୂର୍ଯ୍ୟକୁମାରଙ୍କୁ ପୁରସ୍କାର ମିଳିଛି। ଏହି ତିନି ଜଣଙ୍କ ବ୍ୟତୀତ ଗୁରୁବାର ଚତୁର୍ଥ ଟି-୨୦ ମ୍ୟାଚ୍‌ ପୂର୍ବରୁ ଫିଟ୍‌ନେସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଦଳ ସହ ଯୋଗ ଦେଇଥିବା ବାମହାତୀ ୟର୍କର ବିସ୍ମୟ ଥାଙ୍ଗାରାସୁ ନଟରାଜନ୍‌ ମଧ୍ୟ ଦିନିକିଆ ଦଳରେ ସ୍ଥାନ ପାଇଛନ୍ତି। ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଶୁକ୍ରବାର ସକାଳେ ଦଳ ଘୋଷଣା କରିଛି। ‌ଦଳରେ ଦୁଇ ଜଣ ୱିକେଟ୍‌ରକ୍ଷକ ସାମିଲ ଥିବାରୁ ଭଲ ଫର୍ମରେ ଥିବା ସତ୍ତ୍ବେ ଈଶାନ୍‌ କିଶନ୍‌ଙ୍କୁ ସ୍ଥାନ ମିଳିନି। ସେହିପରି ଆହତ ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଦେଜା ପୂରା ଫିଟ୍‌ ହୋଇନଥିବାରୁ ଦଳଠୁ ଦୂରେଇ ରହିଛନ୍ତି। ସମସ୍ତ ତିନିଟିଯାକ ମ୍ୟାଚ୍‌ ପୁଣେରେ ବିନା ଦର୍ଶକରେ ହିଁ ଖେଳାଯିବ।

ନଟରାଜନ୍‌ ଭାରତର ଗତ ଅଷ୍ଟ୍ରେଲିଆ ଗସ୍ତ ଅବସରରେ ଟି-୨୦ ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିବା ପରେ ବ୍ରିସ୍‌ବନ୍‌ରେ ଟେଷ୍ଟ୍‌ ପଦାର୍ପଣ ମଧ୍ୟ କରିଥିଲେ। ପଦାର୍ପଣ ଟେଷ୍ଟ୍‌ରେ ସେ ପ୍ରଥମ ପାଳିରେ ୩ ୱିକେଟ୍‌ ଅକ୍ତିଆର କରିଥିଲେ। ନଟରାଜନ୍‌ ଗୋଟିଏ ଲେଖାଏଁ ଟେଷ୍ଟ୍‌ ଓ ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ଯଥାକ୍ରମେ ୩ ଓ ୨ ୱିକେଟ୍‌ ଦଖଲ କରିଥିଲା ବେଳେ ୩ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ରୁ ୬ ୱିକେଟ୍‌ ନେଇଛନ୍ତି। ସେହିପରି ସୂର୍ଯ୍ୟକୁମାର ଯାଦବ ଚଳିତ ଇଂଲଣ୍ଡ ବିପକ୍ଷ ଶୃଙ୍ଖଳାରେ ପ୍ରଥମ ଥର ବ୍ୟାଟିଂ ସୁଯୋଗ ପାଇ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଭାରତ ମଧ୍ୟ ସେହି ମ୍ୟାଚ୍‌କୁ ଗୁରୁବାର ୮ ରନ୍‌ରେ ଜିତିଥିଲା। ଅନ୍ୟପକ୍ଷରେ କ୍ରୁନାଲ ୧୮ ଟି-୨୦ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳି ୧୨୧ ରନ୍‌ କରିଥିଲା ବେଳେ ୧୪ ୱିକେଟ୍‌ କରାୟତ୍ତ କରିସାରିଛନ୍ତି।

୧୮ ଜଣିଆ ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପଅଧିନାୟକ), ଶିଖର ଧାୱନ୍‌, ଶୁବମନ୍‌ ଗିଲ୍‌, ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦିକ୍‌ ପାଣ୍ଡ୍ୟା, ଋଷଭ ପନ୍ତ୍‌ (ୱିକେଟ୍‌ରକ୍ଷକ), କେଏଲ୍‌ ରାହୁଲ (ୱିକେଟ୍‌ରକ୍ଷକ), ୟୁଜ୍‌ବେନ୍ଦ୍ର ଚହଲ୍‌, କୁଲ୍‌ଦୀପ ଯାଦବ, କ୍ରୁନାଲ ପାଣ୍ଡ୍ୟା, ୱାସିଂଟନ୍‌ ସୁନ୍ଦର, ଟି ନଟରାଜନ୍‌, ଭୁବନେଶ୍ବର କୁମାର, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣ, ଶାର୍ଦୁଲ ଠାକୁର।

ସମ୍ବନ୍ଧିତ ଖବର