ନୂଆଦିଲ୍ଲୀ: ଏସିଆ କପ୍‌ ବିଜୟ ସତ୍ତ୍ବେ ଭାରତୀୟ ଦଳକୁ ଏସୀୟ କ୍ରି‌କେଟ୍ ପରିଷଦ (ଏସିସି) ଟ୍ରଫି ପ୍ରଦାନରୁ ବଞ୍ଚିତ ରଖିବାର ବିବାଦ ଭିତରେ ସୋମବାର ସବୁଠାରୁ ବଡ଼ କଥା ହୋଇଛି ଦୁଇ ଦେଶର ଅଧିନାୟକଙ୍କ ଆଭିମୁଖ୍ୟ। ଭାରତୀୟ ଦଳ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହି ଏସିଆ କପ୍‌ରୁ ନିଜର ସମସ୍ତ ରୋଜଗାରକୁ ଭାରତୀୟ ସେନାଙ୍କୁ ସମର୍ପଣ କରିବାକୁ ଘୋଷଣା କରିଥିଲେ। ଏହାକୁ ଅନୁସରଣ କରି ମାତ୍ର କିଛି ଘଣ୍ଟା ପରେ ପାକିସ୍ତାନ ଅଧିନାୟକ ସଲମାନ୍ ଅଲୀ ଆଘା ଘୋଷଣା କରିଛନ୍ତି, ତାଙ୍କ ଦଳ ଭାରତର ‘ଅପରେସନ୍‌ ସିନ୍ଦୂର’ ଦ୍ବାରା ପ୍ରପୀଡ଼ିତ ପାକିସ୍ତାନର ସାଧାରଣ ନାଗରିକ ଓ ଆତଙ୍କୀଙ୍କ ପରିବାରକୁ ପ୍ରଦାନ କରିବେ। ଏହି ଆଭିମୁଖ୍ୟରୁ କେଉଁ ଦେଶ କେଉଁ ଆଭିମୁଖ୍ୟ ରଖୁଛି ତାହା ସ୍ପଷ୍ଟ ହୋଇଯାଇଛି। ଅନ୍ୟପକ୍ଷରେ ଭାରତୀୟ ଦଳ କେବଳ ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ତଥା ଏସିସି ଅଧ୍ୟକ୍ଷ ମୋହସିନ୍ ନକ୍‌ଭୀଙ୍କଠାରୁ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲେ ମଧ୍ୟ କାହିଁକି ଅନ୍ୟମାନଙ୍କଦ୍ବାରା ଏହା ପ୍ରଦାନ କରା ନଗଲା ବୋଲି ପ୍ରଶ୍ନ ଉଠିଛି। ଏହା ବିରୋଧରେ ବିସିସିଆଇ ଦୃଢ଼ ଭାବେ ଆଇସିସି ନିକଟରେ ଫେରାଦ ହେବ ବୋଲି ସ୍ପଷ୍ଟ କରି ଦେଇଛି।

Advertisment

କିଛି ଦିନ ପୂର୍ବେ ଦିଲ୍ଲୀର ଆମ୍ ଆଦ୍‌ମୀ ପାର୍ଟି ବିଧାୟକ ସୌରଭ ଭରଦ୍ବାଜ ଦମ୍ ଅଛି ତ ଏସିଆ କପ୍‌ରୁ କରୁଥିବା ରୋଜଗାରକୁ ଦାନ  କରିବାକୁ ଭାରତୀୟ ଦଳକୁ ଆହ୍ବାନ କରି କହିଥିଲେ। ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ବିଜେତା ହେବା ପରେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏହାର ଜବାବ ରଖିଛନ୍ତି। ଭାରତୀୟ ସେନାଙ୍କୁ ପାକିସ୍ତାନ ବିପକ୍ଷ ବିଜୟ ଉତ୍ସର୍ଗ କରିଥିବାରୁ ସୌରଭ ଭରଦ୍ବାଜ ଏହାକୁ କଟାକ୍ଷ କରି ଏଭଳି ଦାବି କରିଥିଲେ। ବିଳମ୍ବରେ ହେଲେ ବି ସୂର୍ଯ୍ୟ ରବିବାର ରାତିରେ ସାମ୍ବାଦିକ ସମ୍ବିଳନୀରେ ଏସିଆ କପ୍‌ରୁ ବ୍ୟକ୍ତିଗତ ଭାବେ କରିଥିବା ସଂପୂର୍ଣ୍ଣ ରୋଜଗାରକୁ ଭାରତୀୟ ‌ସେନା ଏବଂ ପହଲଗାମ ସହିଦଙ୍କ ପରିବାରକୁ ଦାନ କରିବାକୁ ଘୋଷଣା କରି ଭରଦ୍ବାଜଙ୍କ ମୁହଁ ବନ୍ଦ କରି ଦେଇଛନ୍ତି। ସେହିଭଳି ଟ୍ରଫି ମିଳୁ କି ନ ମିଳୁ ଡ୍ରେସିଂରୁମ୍‌ରେ ଥିବା‌ ମୋର ୧୪ଜଣ ସାଥୀ, ପ୍ରଶିକ୍ଷକ, ସପୋର୍ଟ ଷ୍ଟାଫ୍ ମୋ ପାଇଁ ଅସଲ ଟ୍ରଫି କହି ନିଜ ମହାନତାର ପରିଚୟ ଦେଇଛନ୍ତି। ଏହା ମୋ ଜୀବନରେ ପ୍ରଥମ ଥର ଦେଖିଲି ବୋଲି ସେ କହିଥିଲେ। ସେହିଭଳି ଭାରତୀୟ ଦଳ ଏସବୁ ଭୁଲି ଖେଳ ଉପରେ ଅଧିକ ଧ୍ୟାନ ଦେବ ବୋଲି ସ୍ପଷ୍ଟ କରି ଦେଇଛନ୍ତି। ବ୍ୟାଟର୍‌ମାନେ ମ୍ୟାଚ୍‌ ଜିତାଇଥାନ୍ତି, କିନ୍ତୁ ବୋଲର ଟୁର୍ଣ୍ଣାମେଣ୍ଟ୍ ଜିତାନ୍ତି ବୋଲି ମଧ୍ୟ ଏହି ଅବସରରେ କହିଥ‌ିଲେ ସୂର୍ଯ୍ୟ।