ଭୁବନେଶ୍ବର: ଉତ୍ତରାଖଣ୍ଡରେ ଚାଲିଥିବା ୩୮ତମ ଜାତୀୟ କ୍ରୀଡ଼ାରେ ସୋମବାର ଓଡ଼ିଶାକୁ ଗୋଟିଏ ସ୍ବର୍ଣ୍ଣ ଏବଂ ଦୁଇଟି ରୌପ୍ୟ ପଦକ ମିଳିଛି। ସମସ୍ତ ୩ ପଦକ ମର୍ଡନ ପେଣ୍ଟାଥଲନ୍ରୁ ଆସିଛି। ମର୍ଡନ ପେଣ୍ଟାଥଲନ୍ ପୁରୁଷ ବ୍ୟକ୍ତିଗତ ବାଇଥଲ୍ରେ ରାୟଗୁରୁ ସୂର୍ଯ୍ୟାଂଶ ମହାପାତ୍ର ଓ ପ୍ରଣବ ଦାସ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ଜିତି ଓଡ଼ିଶାକୁ ୧-୨ ସଫଳତା ଦେଇଛନ୍ତି। ସୂର୍ଯ୍ୟାଂଶ ରେସ୍କୁ ୧୩ ମିନିଟ୍ ୫୮.୦୭ ସେକେଣ୍ଡ୍ରେ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲା ବେଳେ ପ୍ରଣବ (୧୪ ମିନିଟ୍ ୧୯.୬୩ ସେକେଣ୍ଡ୍) ଦ୍ବିତୀୟ ସ୍ଥାନରେ ରହିଥିଲେ।
ଝାଡ଼ଖଣ୍ଡର ପ୍ରେମ କିଶୋର ମହାତୋ (୧୪:୩୮.୪୨) କାଂସ୍ୟରେ ସନ୍ତୁଷ୍ଟ ରହିଥିଲେ। ସୂର୍ଯ୍ୟାଂଶ, ପ୍ରଣବ ଓ ପ୍ରତୀକ ଦାସଙ୍କୁ ନେଇ ଗଠିତ ଓଡ଼ିଶା ଦଳ ବାଇଥଲ୍ ଦଳଗତରେ ରୌପ୍ୟ ଜିତିଥିଲେ। ଏହି ଦଳ ୪୬ ମିନିଟ୍ ୧୫.୭୮ ସେକେଣ୍ଡରେ ରେସ୍ ଶେଷ କରି ଦ୍ବିତୀୟ ସ୍ଥାନରେ ରହିଥିଲା। ମଧ୍ୟପ୍ରଦେଶ (୪୬:୧୧.୫୭) ସ୍ବର୍ଣ୍ଣ ଏବଂ ଉତ୍ତରାଖଣ୍ଡ (୪୮:୫୬.୬୭) କାଂସ୍ୟ ପାଇଥିଲେ। ହକି ପୁରୁଷ ଓ ମହିଳାରେ ଓଡ଼ିଶା ପରାଜୟର ମୁହଁ ଦେଖିଛି। ପୁଲ୍ପର୍ଯ୍ୟାୟରେ ପୁରୁଷ ଦଳ ୧-୨ରେ ପଞ୍ଜାବଠୁ ଏବଂ ମହିଳା ଦଳ ୨-୩ରେ ହରିୟାଣାଠୁ ହାରିଯାଇଛି। ସୋମବାରର ଏହି ୩ ପଦକ ସହ ଓଡ଼ିଶାର ମୋଟ ପଦକ ସଂଖ୍ୟା ୩୩ (୯ ସ୍ବର୍ଣ୍ଣ, ୧୨ ରୌପ୍ୟ, ୧୨ କାଂସ୍ୟ)ରେ ପହଞ୍ଚିଛି।